ମାଟିର ପୁଅଙ୍କୁ ଭୁଲିଗଲା ପ୍ରଶାସନ: ସହିଦ୍‌ ଜୟୀ ରାଜଗୁରୁଙ୍କ ମୂର୍ତ୍ତିରେ ମାଳ ଖଣ୍ଡେ ବି ପକାଇଲେନି

ମାଟିର ପୁଅଙ୍କୁ ଭୁଲିଗଲା ପ୍ରଶାସନ: ସହିଦ୍‌ ଜୟୀ ରାଜଗୁରୁଙ୍କ ମୂର୍ତ୍ତିରେ ମାଳ ଖଣ୍ଡେ ବି ପକାଇଲେନି

ପୁରୀ : ମାଟିର ପୁଅକୁ ଭୁଲିଗଲା ପ୍ରଶାସନ। ପ୍ରତିମୂର୍ତ୍ତିରେ ମାଳ ଖଣ୍ଡେ ବି ପକାଇଲାନି। ନିଜ ଜନ୍ମମାଟିରେ ଆଜି ଏଭଳି ଅବହେଳିତ ହୋଇଛନ୍ତି ବୀର ପୁରୁଷ ତଥା ସ୍ବାଧୀନତା ସଂଗ୍ରାମର ସୂତ୍ରଧର ସହିଦ୍‌ ଜୟୀ ରାଜଗୁରୁ। ଏହି ଘଟଣା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଦିନତମାମ ଆଜି ଏହି ପ୍ରସଙ୍ଗରେ ପ୍ରଶାସନକୁ ସମାଲୋଚନା କରିଛନ୍ତି ବୁଦ୍ଧିଜୀବୀ। କିଛି ଯୁବଗୋଷ୍ଠୀ ଏହି ପ୍ରଶାସନିକ ଅବହେଳାର କ୍ଷତ ଭରଣା ପାଇଁ ଘୋଡ଼ାବଜାରସ୍ଥିତ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମନ ବୁଝାଇଛନ୍ତି।

ପାଇକ ବିଦ୍ରୋହର ପୂର୍ବରୁ ଗୋରା ସରକାରଙ୍କ କବଳରୁ ଦେଶବାସୀଙ୍କ ସ୍ବାଧୀନତା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିଲେ ଜୟୀ ରାଜଗୁରୁ। ସେ ଥିଲେ ପ୍ରଥମ ସହିଦ୍‌, ଯିଏକି ସ୍ବାଧୀନତାର ସଂଗ୍ରାମର ଅୟମାରମ୍ଭ କରିଥିଲେ। ଯେଉଁଥିପାଇଁ ଗୋରା ସରକାରଙ୍କ ଦ୍ବାରା ତାଙ୍କୁ ଗଛରେ ବାନ୍ଧି ଦୁଇଫାଳ କରି ଦିଆଯାଇଥିଲା। ଅତୀତରେ ସହିଦ୍‌ ରାଜଗୁରୁ ସ୍ବାଧୀନତା ସଂଗ୍ରାମୀ କି ନୁହେଁ, ତାକୁ ନେଇ ଜାତୀୟ ସ୍ତରରେ ତର୍କବିତର୍କ ହୋଇଥିଲା। ପରେ କେନ୍ଦ୍ର ସରକାର ବି ନିଜେ ଜୟୀ ରାଜଗୁରୁଙ୍କୁ ଆଦ୍ୟ ସ୍ବାଧୀନତା ସଂଗ୍ରାମୀର ମାନ୍ୟତା ଦେଇଥିଲେ। ଆଜି ଜୟୀ ରାଜଗୁରୁ ପାଠ୍ୟପୁସ୍ତକରେ ବି ସ୍ବାଧୀନତା ସଂଗ୍ରାମୀ ଭାବେ ସ୍ଥାନ ପାଇଛନ୍ତି। ଏହି ବୀର ପୁରୁଷଙ୍କ ଜନ୍ମମାଟି ହେଉଛି ପୁରୀ ଜିଲ୍ଲା ସଦର ବ୍ଲକ୍‌ ବୀରହରେକୃଷ୍ଣପୁରରେ। ଆଜି ତାଙ୍କ ବିଚାରାଧାରା ଯୁବପିଢ଼ିଙ୍କୁ ମାର୍ଗଦର୍ଶନ କରୁଛି। ଆଜି ଏହି ବୀର ପୁରୁଷଙ୍କ ଥିଲା ୨୮୩ତମ ଜୟନ୍ତୀ। କିନ୍ତୁ ପ୍ରଶାସନ ନିଜ ମାଟିର ଏହି ବୀର ପୁରୁଷଙ୍କୁ ସମ୍ପୂର୍ଣ୍ଣ ଭୁଲିଯାଇଛି। ଭୁବନେଶ୍ବରରେ ଏଥିପାଇଁ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ବଡ଼ ବଡ଼ ମନ୍ତ୍ରୀ, ନେତା, ସ୍ବାଧୀନତା ସଂଗ୍ରାମୀ ଯୋଗ ଦେଇଛନ୍ତି, ଅଥଚ ଜନ୍ମମାଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ସବର ଆୟୋଜନ ତ’ ଦୂରର କଥା ବୀରହରେକୃଷ୍ଣପୁର, ଘୋଡ଼ାବଜାରଠାରେ ଏହି ବୀର ପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଳ ଖଣ୍ଡେ ପକାଇ ନାହିଁ। ଯାହା ସହିଦ୍‌ ରାଜଗୁରୁଙ୍କ ପ୍ରତି ଅପମାନ ସଦୃଶ ହୋଇଛି। କେବଳ ବୀରହରେକୃଷ୍ଣପୁର ନୁହେଁ, ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀମାନେ ବି ଏହାକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe