ସମ୍ବଲପୁରରେ ଇଦ୍‌ ପାଇଁ ପ୍ରଶାସନର ପ୍ରସ୍ତୁତି: ମସ୍‌ଜିଦ ଭିତରେ ସୀମିତ ରହିବ ନମାଜ ପାଠ

ସମ୍ବଲପୁରରେ ଇଦ୍‌ ପାଇଁ ପ୍ରଶାସନର ପ୍ରସ୍ତୁତି: ମସ୍‌ଜିଦ ଭିତରେ ସୀମିତ ରହିବ ନମାଜ ପାଠ

ସମ୍ବଲପୁର : ଗୋଟିଏ ଦିନ ପରେ ମୁସଲମାନ୍ ସଂପ୍ରଦାୟର ସବୁଠୁ ବଡ଼ ପର୍ବ ଇଦ୍‌-ଅଲ୍‌-ଫିତର୍ ପାଳନ ହେବ। ଏଥି ପାଇଁ ଘରେଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ହେଲେ ଗତ ସପ୍ତାହରୁ ସମ୍ବଲପୁରରେ ଲାଗି ରହିଥିବା ଅଶାନ୍ତ ପରିବେଶ ଏହି ପର୍ବକୁ କିଛିଟା ଫିକା କରି ଦେଇଛି। ସଂସ୍କୃତିର ସହର ସମ୍ବଲପୁରରେ ଇଦ୍‌ ‌ଯେମିତି ଶାନ୍ତିଶୃଂଖଳାର ସହ ପାଳନ ହେବ ସେଥି ପାଇଁ ପୁଲିସ୍‌ ଓ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଶୁକ୍ରବାର ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ପୁଲିସ୍‌ ଓ ପ୍ରଶାସନର ଏକ ସମନ୍ବୟ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍‌ପି ବି. ଗଂଗାଧର, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଏସ୍‌ଏମ୍‌ସି କମିସନର୍ ପ୍ରଦୀପ ସାହୁ, ଅତିରିକ୍ତ ଏସ୍‌ପି ତପନ ମହାନ୍ତି, ସଦର ଉପଜିଲ୍ଲାପାଳ ପ୍ରଭାସ ଡନ୍‌ସେନା, ସଦର ଏସ୍‌ଡିପିଓ ପ୍ରଦୀପ ସାହୁଙ୍କ ସମେତ ସମସ୍ତ ମାଜିଷ୍ଟ୍ରେଟ୍ ଏବଂ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ।

ଇଦ୍‌ ଯେମିତି ଶୃଂଖଳିତ ଭାବେ ପାଳିତ ହେବ ଓ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେ ସଂପର୍କରେ ଆଲୋଚନା ହୋଇଥିଲା। ଏଥି ପାଇଁ କଣ ସବୁ ଜରୁରୀ ସତର୍କତାମୂଳକ ପଦକ୍ଷେପ ନିଆଯିବ ସେ ନେଇ ଦାୟିତ୍ବ ନ୍ୟସ୍ତ କରା ଯାଇଥିଲା। ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନମାଜ ପାଠ ସହରରେ ଥିବା ୧୩ଟି ମସ୍‌ଜିଦ ଭିତରେ ସୀମିତ ରଖିବା ପାଇଁ ପ୍ରଶାସନର ପ୍ରସ୍ତାବକୁ ମୁସଲ୍‌ମାନ ସଂପ୍ରଦାୟ ପକ୍ଷରୁ ଗ୍ରହଣ କରାଯାଇଛି। ତେଣୁ କୌଣସି ସାର୍ବଜନୀନ ସ୍ଥାନ ବଦଳରେ କେବଳ ମସ୍‌ଜିଦ୍ ଭିତରେ ହିଁ ନମାଜ ପାଠ ହେବ। ସହରରେ ଥିବା ଇଦ୍‌ଗାହରେ ସାମୂହିକ ନମାଜ ପାଠକୁ ବି ବାରଣ କରାଯାଇଛି। ଇଦ୍‌ ସମୟରେ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟିରୁ ବିରତ ରହିବାକୁ ସବୁ ପକ୍ଷକୁ ପ୍ରଶାସନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe