ଓଡ଼ିଶାରେ ଆନ୍ଧ୍ର ଜମି ପଟ୍ଟା ବାଣ୍ଟିବା ଘଟଣା: ସୀମାନ୍ତ ଗାଁରେ ପ୍ରଶାସନିକ ଟିମ୍‌

Advertisment
ଓଡ଼ିଶାରେ ଆନ୍ଧ୍ର ଜମି ପଟ୍ଟା ବାଣ୍ଟିବା ଘଟଣା: ସୀମାନ୍ତ ଗାଁରେ ପ୍ରଶାସନିକ ଟିମ୍‌

ପଟାଙ୍ଗି : ଓଡ଼ିଶାରେ ପଶି ଜଙ୍ଗଲ ଜମି ପଟ୍ଟା ବାଣ୍ଟିଲା ଆନ୍ଧ୍ର। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ତୁରନ୍ତ କୋରାପୁଟ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ବି ଦାବି ହେଲା। ଆଉ ଏହା ପରେ ତତ୍ପରତା ପ୍ରକାଶ କରିଛି ପ୍ରଶାସନ। ଗୁରୁବାର ଗୋଟିଏ ଟିମ୍‌ ସୀମାନ୍ତ ଗାଁରେ ପହଞ୍ଚି ତଦନ୍ତ କରିଛି।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଆନ୍ଧ୍ରର ସାଲୁର ବିଧାୟକ ପି ରାଜନ ଦୋରା ଦଳବଳ ନେଇ କୋରାପୁଟ ଜିଲ୍ଲା ପଟାଙ୍ଗି ଅନ୍ତର୍ଗତ କୋଟିଆ ପଞ୍ଚାୟତର ନେରେଡେବାଲସା ଗାଁରେ ପହଞ୍ଚିଥିଲେ। ତାଙ୍କ ସହ ପାବର୍ତୀପୁରମ ପିଏ ଆଇଟିଡିଏଙ୍କ ସହ କିଛି ସରକାରୀ ଅଧିକାରୀ ବି ଆସିଥିଲେ। ଏଭଳି ଅନଧିକାର ପ୍ରବେଶ ପରେ ଗ୍ରାମସଭାର ଆୟୋଜନ କରାଯାଇଥିଲା। ଏଥିରେ ନେରେଡେବାଲସା, ଧୂଳିପଦର ଏବଂ ଉପରସେମ୍ବୀ ଗ୍ରାମବାସୀ ସାମିଲ ହୋଇଥିଲେ। ଶାଳୀନତା ଭୁଲିଯାଇ ସାଲୁର ବିଧାୟକ ଓଡ଼ିଶା ମାଟିରେ ଓଡ଼ିଶା ସରକାରଙ୍କ ବିରୋଧରେ ଲୋକଙ୍କୁ କହିଥିଲେ। ଏପରିକି ଓଡ଼ିଶା ସରକାରଙ୍କୁ ଖୋଲାଖୋଲି ବିରୋଧ କରିବାକୁ ଲୋକଙ୍କୁ ମତାଇଥିଲେ। ଶେଷରେ ଲୋକଙ୍କୁ ପ୍ରଲୋଭିତ କରି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ।

ଆନ୍ଧ୍ରର ଏଭଳି ଅନୁପ୍ରବେଶକୁ ନେଇ ଓଡ଼ିଶାରେ ଆଲୋଡ଼ନ ଖେଳିଯାଇଥିଲା। ଏହାପରେ ଗୁରୁବାର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଲଳିତ କୁମାର କଅଁର, ପଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ, ରାଜସ୍ବ ସୁପରଭାଇଜର ଗୋଲକ ବିହାରୀ ପରିଡ଼ା, କୋଟିଆ ରାଜସ୍ବ ନିରୀକ୍ଷକ ଜି. ଡମ୍ବରୁ, ଡବ୍ଲୁଇଓ ପ୍ରମୁଖ ବିବାଦୀୟ କୋଟିଆ ପଞ୍ଚାୟତରେ ପହଞ୍ଚିଥିଲେ। ଆରଜୁବାଲସା, ନେରେଡେବାଲସା ଗ୍ରାମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଯେଉଁ ପଟ୍ଟା ଆନ୍ଧ୍ର ପକ୍ଷରୁ ବଣ୍ଟନ କରାଯାଇଥିଲା ତାହାକୁ ଯାଞ୍ଚ କରିଥିଲେ। ଏଥି ସହିତ ଓଡ଼ିଆ ତରଫରୁ ଆରଜୁବାଲସା ଠାରୁ ତାଡ଼ିବାଲସା ପର୍ଯ୍ୟନ୍ତ ନିର୍ମାଣାଧିକ ରାସ୍ତାର ତଦାରଖ କରି ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe