ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ବନ୍ଦ ନେଇ ଗୃହରେ ଉଦ୍‌ବେଗ

Advertisment
ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ବନ୍ଦ ନେଇ ଗୃହରେ ଉଦ୍‌ବେଗ

Telegraph India

ଭୁବନେଶ୍ୱର : ସମ୍ବଲପୁର ସ୍ଥିତ ସରକାରୀ ବିଇଡି କଲେଜ୍‌ ପର୍ଶୁରାମ ମିଶ୍ର ଶିକ୍ଷା ପ୍ରତିଷ୍ଠାନରେ ଚଳିତ ବର୍ଷ ନାମଲେଖା ବନ୍ଦକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଶନିବାର ଅପରାହ୍ନରେ ଏହି ପ୍ରସଙ୍ଗ ଉଠାଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ, ଏହି ପ୍ରତିଷ୍ଠାନରେ ଅଧ୍ୟକ୍ଷଙ୍କୁ ମିଶାଇ ୨୭ଟି ଅଧ୍ୟାପକ ପଦବି ରହିଛି। କିନ୍ତୁ ବର୍ତ୍ତମାନ ମାତ୍ର ୪ରୁ ୫ ଜଣ ଅଧ୍ୟାପକ ଅଛନ୍ତି। ଯେଉଁ ଅଧ୍ୟାପକମାନେ ଅବସର ଗ୍ରହଣ କରିସାରିଛନ୍ତି, ସେମାନଙ୍କ ସ୍ଥାନରେ ନୂତନ ନିଯୁକ୍ତି ଦିଆଯାଇନି। ଯାହାକୁ ନେଇ ଚଳିତବର୍ଷ ବିଇଡି ପାଠ୍ୟକ୍ରମରେ ନାମଲେଖା ବନ୍ଦ ହୋଇଯାଇଛି। ପଦବି ପୂରଣ କରିବାକୁ ସରକାର ପୂର୍ବରୁ ଏକ ସତ୍ୟପାଠ ଦେଇଥିଲେ ବି ଏ ପର୍ଯ୍ୟନ୍ତ ସରକାର ତାଙ୍କ ପ୍ରତିଶ୍ରୁତି ରଖିନାହାନ୍ତି।

ଶ୍ରୀ ମିଶ୍ରଙ୍କୁ ସମର୍ଥନ କରି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ଏ ନେଇ ଉଦବେଗ ପ୍ରକାଶ କରିଥିଲେ। ଉଭୟ କହିଥଲେ, ସମ୍ବଲପୁରର ଏହି ଶିକ୍ଷା ପ୍ରତିଷ୍ଠାନରେ କେବଳ ସମ୍ବଲପୁରର ଛାତ୍ରଛାତ୍ରୀ ପାଠ ପଢ଼ନ୍ତି ନାହିଁ। ଅଧ୍ୟାପକ ଅଭାବରୁ ବରଗଡ଼, କଳାହାଣ୍ଡି, ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶାର ୧୫ଟି ସରକାରୀ ଓ ବେସରକାରୀ ବିଇଡି କଲେଜ୍‌ରେ ଚଳିତବର୍ଷ ନାମଲେଖା ବନ୍ଦ ରହିଛି। ଯଦି ଶିକ୍ଷକ ଗଢ଼ୁଥିବା ଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖା ବନ୍ଦ ରହିବ, ତାହେଲେ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବ କିଏ? ଉପରିସ୍ଥ ଅଧିକାରୀମାନେ ଏ ଦିଗରେ ତୁରନ୍ତ ଧ୍ୟାନ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ କହିଥିଲେ, ବଲାଙ୍ଗୀର ବିଇଡି କଲେଜରେ ଅଧ୍ୟାପକ ଅଭାବ ସମସ୍ୟାକୁ ନେଇ ବାରମ୍ବାର ଛାତ୍ର ଆନ୍ଦୋଳନ ହେଉଛି। ତଥାପି ସରକାର ଅଧ୍ୟାପକ ନିଯୁକ୍ତି ନେଇ ପଦକ୍ଷେପ ନେଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe