ଭୁବନେଶ୍ୱର: ରାଜ୍ୟରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣିଥରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅବଧି ବୃଦ୍ଧି କରିଥିବା ନେଇ ବୁଧବାର ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସ୍କୁଲରେ ନାମଲେଖା ଲାଗି ଶେଷ ତାରିଖ ଅଗଷ୍ଟ ୧୪ ଯାଏଁ ବୃଦ୍ଧି କରାଯିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ନାମଲେଖା ଅବଧିକୁ ଅଗଷ୍ଟ ୧୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇ ଜଣାଇ ଦିଆଯାଇଛି। ପୂର୍ବରୁ ଜୁନ୍ ୮ରୁ ଜୁଲାଇ ୧୫ତାରିଖ ମଧ୍ୟରେ ନାମଲେଖା ଶେଷ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା।
ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ୍ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ରାଜ୍ୟ ମଦ୍ରାସା ବୋର୍ଡ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ନାମଲେଖା ପ୍ରକ୍ରିୟା ଅଗଷ୍ଟ ୧୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
Follow Us