ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ଚଳିତ ବର୍ଷ

ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ହେବ ଶିକ୍ଷାଦାନ, ଡିସେମ୍ବର ସୁଦ୍ଧା ନିଜସ୍ବ କୋଠା

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ଚଳିତ ବର୍ଷ

Odisha News Insight

ସାକ୍ଷୀଗୋପାଳ : ପୁରୀ ଜିଲ୍ଲା ସତ୍ୟବାଦୀରେ ଚଳିତ ବର୍ଷ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ନାମଲେଖା ସହ ଶିକ୍ଷାଦାନ ଆରମ୍ଭ ହେବ। ତେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସ୍ଥାନୀୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ବିଶ୍ବବିଦ୍ୟାଳୟର ଅଫିସ୍‌ ଓ ଶିକ୍ଷାଦାନ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ଆଜି ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ସତ୍ୟବାଦୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସ୍ଥାନୀୟ ପୂର୍ତ୍ତ ବିଭାଗର ଡାକବଙ୍ଗଳାରେ ଅନୁଷ୍ଠିତ ବୈଠକରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟର ମନ୍ଥରତା ନେଇ କମିଟି ଅସନ୍ତୋଷ ବ୍ୟକ୍ତ କରିବା ସହ ଶୀଘ୍ର ନିର୍ମାଣ ସାରିବା ନିମନ୍ତେ ଓବିସିସିର ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହା ସହ ବିଶ୍ୱବିଦ୍ୟାଳୟରେ ଶୀଘ୍ର ବିଦ୍ୟୁତ୍‌ ସଂଯୋଗ, ଜଳଯୋଗାଣ, ୱାଇଫାଇ, ଫର୍ଣ୍ଣିଚର, ରାସ୍ତାଘାଟ ଆଦି ନିର୍ମାଣ ସହ ପ୍ରାଥମିକତା ଭିତ୍ତିରେ ସମସ୍ତ କୋଠାର କାର୍ଯ୍ୟ କରାଯିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି କମିଟିରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ନାୟକ, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳସଚିବ କାହ୍ନୁଚରଣ ମଲ୍ଲିକ, ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ରମାକାନ୍ତ ସାହୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ ମୁଖ୍ୟ ଯୁଧିଷ୍ଠିର ସାହୁ, ଓବିସିସିର ମୁଖ୍ୟଯନ୍ତ୍ରୀ ଗିରିଜା ଶଙ୍କର ନାୟକ, ଏବିସିଏଲ୍‌ର ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା, ଏବିସିଏଲ୍‌ର ବୈଷୟିକ ନିର୍ଦ୍ଦେଶକ ଆକାଶ ରଞ୍ଜନ ପାଣି, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସ୍ଥାନୀୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ପାଠପଢ଼ା ଓ ପ୍ରଶାସନିକ କାର୍ଯ୍ୟ ପାଇଁ ଆଜିର ବୈଠକରେ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟଶିବ ସୁନ୍ଦର ମିଶ୍ରଙ୍କ ସହ ଆଲୋଚନା କରାଯାଇଥିଲା। ଆସନ୍ତା ଦୁଇରୁ ଚାରି ଦିନ ମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ସହ ଓ ଚଳିତ ବର୍ଷଠାରୁ ଶିକ୍ଷାଦାନ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଓଡ଼ିଆ ବିଶ୍ୱବିଦ୍ୟାଳୟର ନିଜସ୍ବ କୋଠା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe