ଡବଲ ଇଞ୍ଜିନ୍ ସରକାରରେ ଫାଇଦା ମିଳେ: ବିଶ୍ୱେଶ୍ୱର

Advertisment

ଓଡ଼ିଶା ନିର୍ମାଣ କନକ୍ଲେଭ - ୨୦୨୨

ଓଡ଼ିଶା ନିର୍ମାଣ କନକ୍ଲେଭ - ୨୦୨୨

ଡବଲ ଇଞ୍ଜିନ୍ ସରକାରରେ ଫାଇଦା ମିଳେ: ବିଶ୍ୱେଶ୍ୱର

ଭୁବନେଶ୍ବର: ଦ୍ବିତୀୟ ଅଧିବେଶନର ଶୀର୍ଷକ ‘ଦିଲ୍ଲୀରେ ଓଡ଼ିଶାର ସ୍ବର’ ଆଲୋଚନାରେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥାପକ ମାନସ ରଂଜନ ଦାଶଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ କହିଲେ, ରାଜ୍ୟସଭା ସାଂସଦ ନିଜ ଦଳର ଏଜେଣ୍ଡା ହିସାବରେ ସଂସଦରେ ସ୍ବର ଉଠାନ୍ତି। କିନ୍ତୁ ଲୋକସଭା ସାଂସଦ ଯେ କୌଣସି ଦଳର ହୋଇଥା’ନ୍ତୁ ନା କାହିଁକି, ନିଜ ନିର୍ବାଚନମଣ୍ଡଳୀ କଥା ଉତ୍‌ଥାପନ କରିଥା’ନ୍ତି। ହେଲେ ସଂସଦରେ ସବୁ ଦଳର ସାଂସଦଙ୍କ କଥାକୁ ଗୁରୁତ୍ୱ ଦିଆଯାଏ।

ସେ ଆହୁରି କହିଥିଲେ, କେନ୍ଦ୍ର ସବୁ ରାଜ୍ୟକୁ ସମାନ ଭାବେ ଦେଖିଥାଏ। ହେଲେ, ଡବଲ ଇଞ୍ଜିନ୍ ସରକାରରେ ଫାଇଦା ମିଳେ। ଯେଉଁଠି ଡବଲ ଇଞ୍ଜିନ୍ ସରକାର ନଥାଏ, ସେଠି ଉନ୍ନୟନମୂଳକ କାମ ବହୁତ ପଛରେ ପଡ଼ିଥାଏ। ସେଠାରେ କେନ୍ଦ୍ର ସରକାରର ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଚାହାନ୍ତି ନାହିଁ। ଓଡ଼ିଶାକୁ ଉଦାହରଣ ଦେଇ କହିଲେ, ଆୟୁଷ୍ମାନ ଭାରତ ଯୋଜନା ସାରା ଭାରତ ବର୍ଷରେ ଲାଗୁ ହେଉଥିବା ବେଳେ ଓଡ଼ିଶା ସରକାର ଲାଗୁ କରୁନାହାନ୍ତି। ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’କୁ ଓଡ଼ିଶାରେ ‘ବିଜୁ ପକ୍କାଘର’ କହି ପ୍ରଚାର କରୁଛନ୍ତି। ପଶ୍ଚିମବଙ୍ଗ ସରକାର ବି ଏହାକୁ ‘ବାଙ୍ଗଲା ଆବାସ’ ବୋଲି ଲେଖୁଛନ୍ତି। ଆବାସରେ ଯଦି କେନ୍ଦ୍ର ଓ ରାଜ୍ୟର ଟଙ୍କା ମିଶି ରହିଛି, ତେବେ ଉଭୟଙ୍କ ଫଟୋ କାହିଁକି ରଖାଯାଉନାହିଁ?

ଯେଉଁ ଅଫିସର କାମ କରୁନାହିଁ, ଦୁର୍ନୀତି କରୁଛି, ତାକୁ କ’ଣ ଫୁଲମାଳ ପିନ୍ଧାଇବା କି?
ବର୍ତ୍ତମାନ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟାର ଆବଶ୍ୟକତା ନାହିଁ
କେନ୍ଦ୍ର ଯୋଗାଉଥିବା ଅର୍ଥରେ ଓଡ଼ିଶା ସୁନା ହୋଇପାରିବ

ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ପ୍ରସଙ୍ଗରେ ସେ କହିଥିଲେ ଯେ ବର୍ତ୍ତମାନ ଆମ ରାଜ୍ୟକୁ ଏ ପାହ୍ୟାର ଆବଶ୍ୟକତା ନାହିଁ। କେନ୍ଦ୍ର ଯାହା ଓ ଯେତକି ଦେଉଛି, ତାକୁ କାମରେ ଲଗାଇଲେ ଓଡ଼ିଶା ସୁନା ପାଲଟିଯିବ। କିନ୍ତୁ ତାହା କରାଯାଉନାହିଁ। ନିଜ ଦୋଷ ଦୁର୍ବଳତାକୁ ଘୋଡ଼ାଇବା ପାଇଁ ସବୁବେଳେ କେନ୍ଦ୍ର ଅବହେଳାର ନାରା ଦିଆଯାଉଛି। ଏବେ ରାଜ୍ୟରେ ଦୁର୍ନୀତି ବଢ଼ି ଯାଇଛି। ତଳସ୍ତରର କର୍ମଚାରୀଙ୍କ ଘରୁ କୋଟି କୋଟି ଟଙ୍କା ବାହାରୁଛି। ପିଲାବେଳେ ସ୍କୁଲ୍‌ରେ ପିଲା ଦୁଷ୍ଟ ହେଲେ ମାଡ଼ ଦିଆଯାଉଥିଲା। ଏବେ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ପରେ ତାହା ନାହିଁ। କିନ୍ତୁ, ଏବେ ଯେଉଁ ଅଫିସର କାମ କରୁନାହିଁ, ଦୁର୍ନୀତି କରୁଛି, ତାକୁ କ’ଣ ଫୁଲମାଳ ପିନ୍ଧାଇବା କି ବୋଲି ସେ ପ୍ରଶ୍ନ କରିଥିଲେ। ଫସଲବୀମାକୁ ନେଇ କେନ୍ଦ୍ରର ଟିକିଏ ବି ଭୁଲ ନାହିଁ। କେନ୍ଦ୍ରର ଯାହା ନିର୍ଦ୍ଦେଶ ଅଛି, ତାହାକୁ ଯଦି ରାଜ୍ୟ ସରକାର ମାନିଥା’ନ୍ତେ, ତେବେ ଚାଷୀ ହଇରାଣ ହୋଇନଥା’ନ୍ତେ ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe