ମାଧ୍ୟମିକ ଶିକ୍ଷା ପରିଷଦରେ ବିଜ୍ଞାପନ କେଳେଙ୍କାରୀ: ଅଧିକାରୀଙ୍କ ଘରୋଇ ସଂସ୍ଥା ପ୍ରୀତି; ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅନୁକଂପା

Advertisment

ଆଇ ଆଣ୍ଡ୍‌ ପିଆର୍‌ ଉପରେ ଭରସା ନାହିଁ; ରାଜକୋଷକୁ ଲକ୍ଷାଧିକ ଟଙ୍କା କ୍ଷତି

ଆଇ ଆଣ୍ଡ୍‌ ପିଆର୍‌ ଉପରେ ଭରସା ନାହିଁ; ରାଜକୋଷକୁ ଲକ୍ଷାଧିକ ଟଙ୍କା କ୍ଷତି

ଆଜିଠୁ ମାଟ୍ରିକ୍ ପରୀକ୍ଷା; ସକାଳ ୮ରୁ ୧୦ଟା ପରୀକ୍ଷା, ସକାଳ ୭ରୁ ଖୋଲିବ ପରୀକ୍ଷା କେନ୍ଦ୍ର

କଟକ : ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ଆଉ ବିବାଦରେ ଛନ୍ଦି ହୋଇ ଚାଲିଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)। ରାଜ୍ୟର ଲକ୍ଷାଧିକ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ଏହି ସଂସ୍ଥାର ତ୍ରୁଟିପୂର୍ଣ୍ଣ ପରିଚାଳନା ଶିକ୍ଷାବିତ ମହଲରେ ତୀବ୍ର ଅସନ୍ତୋଷର କାରଣ ହୋଇଥିଲେ ବି ସରକାର ଏଥିପ୍ରତି ସଂପୂର୍ଣ୍ଣ ଆଖିବୁଜି ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି। କେଉଁ ଉଦ୍ଦେଶ୍ୟରେ ବୋର୍ଡର ସଭାପତି ଓ ଉପସଭାପତି ପଦରେ ଥିବା ଦୁଇ ଜଣ ଅଧିକାରୀଙ୍କ ହାତରେ ବୋର୍ଡକୁ ଛାଡି ଦେଇ ସରକାର ନିରବଦ୍ରଷ୍ଟା ସାଜିଛନ୍ତି, ତାହା ଏବେ ପ୍ରଶ୍ନର ବିଷୟ ହୋଇଛି। ସଭାପତି ଭାବେ କାର୍ଯ୍ୟ କରୁଥିବା ରମାଶିଷ ହାଜରା ବୋର୍ଡରେ ବିଭିନ୍ନ ପଦପଦବିରେ ପାଖାପାଖି ୬ ବର୍ଷ ହେଲା ଥିବା ବେଳେ ଉପସଭାପତି ଡକ୍ଟର ନିହାରରଂଜନ ମହାନ୍ତି ୧୮ ବର୍ଷରୁ ଅଧିକ ହେଲାଣି ଲଗାତାର ଭ‌ାବେ ବିଭିନ୍ନ ପଦପଦବିରେ କାର୍ଯ୍ୟ କରି ଆସୁଛନ୍ତି। ଏହି ଦୁଇ ଅଧିକାରୀ ସେହି ବୋର୍ଡରେ ରହି ଏକାଧିକ ପଦୋନ୍ନତି ପାଇଥିଲେ ବି ସେମାନଙ୍କର ବଦଳି କିନ୍ତୁ ହେଉ ନାହିଁ। ନିକଟରେ ଓଟିଇଟି ପରୀକ୍ଷାକୁ ନେଇ ଯେଭଳି ତ୍ରୁଟି ଆଉ ତାର ପ୍ରତିବାଦରେ ବିକ୍ଷୋଭ, ଧାରଣା ହେଲା, ତାହା ଅଦ୍ଭୂତପୂର୍ବ ଥିଲେ ବି ସରକାର ଏହି ଦୁଇ ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି।

ଗୋଟିଏ ପଟେ ଏଭଳି ତ୍ରୁଟି ସାଙ୍ଗକୁ ଅନ୍ୟପଟେ ଦୁର୍ନୀତିର ଲମ୍ବା ତାଲିକା ଏବେ ବୋର୍ଡକୁ ବିବାଦ ଘେରକୁ ଟାଣି ଆଣିଛି। ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର, ମାର୍କସିଟ୍, ସାର୍ଟିଫିକେଟ୍‌ ଛପା କାମ ଦୀର୍ଘ ବର୍ଷ ଧରି ଏକ ନିର୍ଦ୍ଦିଷ୍ଟ ଫାର୍ମ ଦିଆଯାଉଛି। ଏଥିରେ ବ୍ୟାପକ ପ୍ରିୟାପ୍ରୀତି ଅଭିଯୋଗ ରହିଥିବା ବେଳେ ଏବେ ବିଜ୍ଞାପନ ଛପାକୁ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ବିଭିନ୍ନ ସରକାରୀ ବିଭାଗ ଏବେ ସୂଚନା ଓ ଲୋକ ସଂପର୍କ ବିଭାଗ (ଆଇ ଆଣ୍ଡ ପିଆର୍‌) ଜରିଆରେ ନିଜ ନିଜର ବିଜ୍ଞାପନ ବିଭିନ୍ନ ଗଣମାଧ୍ୟମକୁ ଦେଉଛନ୍ତି। ଫଳରେ ସେମାନେ ସରକାରୀ ରାଜକୋଷର ଲାଭ କରୁଛନ୍ତି। ଆଇ ଆଣ୍ଡ୍‌ ପିଆର୍‌ ଜରିଆରେ ଆସୁଥିବା ବିଜ୍ଞାପନ ଦେୟ ପୈଠ ସମୟରେ ଗଣମାଧ୍ୟମ ସଂସ୍ଥାକୁ ମୋଟ୍ ବିଲ୍‌ ପରିମାଣର ୧୫ ପ୍ରତିଶତ କାଟ୍ କରି ଦିଆଯାଏ। ଅର୍ଥାତ ଏହି ୧୫ ପ୍ରତିଶତ ଅର୍ଥ ସରକାରୀ ରାଜକୋଷକୁ ଯାଏ। କିନ୍ତୁ ବୋର୍ଡ ନିଜର ବିଜ୍ଞାପନ ଆଇ ଆଣ୍ଡ୍ ପିଆର ଜରିଆରେ ନ ଦେଇ ନିର୍ଦ୍ଦିଷ୍ଟ ଘରୋଇ ଏଜେନ୍ସି ଜରିଆରେ ଜାରି କରୁଛି। ଏବଂ ସବୁ ଗଣମାଧ୍ୟମରେ ତାହାକୁ ପ୍ରକାଶ କରା ନଯାଇ ଅଧିକାରୀଙ୍କ ପସନ୍ଦ ମୁତାବକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଜାରି କରାଯାଉଛି। ଏଠାରେ ବିଲ୍‌ର ୧୫ ପ୍ରତିଶତ ସରକାରୀ ରାଜକୋଷକୁ ନଯାଇ ନିର୍ଦ୍ଦିଷ୍ଟ ଘରୋଇ ଏଜେନ୍ସିକୁ ଯାଉଛି।

publive-image

ଅନ୍ୟପଟେ ସବୁ ଗଣମାଧ୍ୟମକୁ ରୋଟେସନ୍ ଭିତ୍ତିରେ ବିଜ୍ଞାପନ ନ ଦେଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଏହା ଛପାଯିବା ପଛର ରହସ୍ୟ ବି ସନ୍ଦେହଜନକ ମନେ ହେଉଛି। ପୂର୍ବରୁ ବୋର୍ଡ କର୍ତ୍ତୃପକ୍ଷ ନିଜେ ସିଧାସଳଖ ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ବିଜ୍ଞାପନ ଜାରି କରୁଥିଲେ। ସେଥିରେ ବି ବୋର୍ଡର ଅର୍ଥ ସଂଚୟ ହେଉଥିଲା। କିନ୍ତୁ ବୋର୍ଡ ସେଥିରୁ ଓହରି ଯାଇ ଏବେ ଘରୋଇ ବିଜ୍ଞାପନ ଏଜେନ୍ସି ଜରିଆରେ ବିଜ୍ଞାପନ ଜାରି କରୁଛି। ନିଜେ ବିଜ୍ଞାପନ ଜାରି ନ କରିବା, ଆଇ ଆଣ୍ଡ୍ ପିଆର ବିଭାଗ ଉପରେ ଭରସା କରିବା ବଦଳରେ ଘରୋଇ ଏଜେନ୍ସି ଜରିଆରେ କାରବାର କରିବା ବୋର୍ଡ କର୍ତ୍ତୃପକ୍ଷଙ୍କ କି ଉଦ୍ଦେଶ୍ୟ ସାଧନ କରୁଛି? ସରକାରୀ ରାଜକୋଷକୁ ଲାଭ ନ ପହଞ୍ଚାଇ କେଉଁ ଉଦ୍ଦେଶ୍ୟରେ ଘରୋଇ ସଂସ୍ଥାର ଲାଭକୁ ବୋର୍ଡ ଅଗ୍ରାଧିକାର ଦେଉଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ବେଫିକର ହୋଇ ଏହି କାରବାର ଚଳାଇଥିବାରୁ ଏଭଳି କେଳେଙ୍କାରୀ ପଛରେ କାହାର ହାତ ରହିଛି, ତାହା ଆଲୋଚନାର ପ୍ରସଙ୍ଗ ହୋଇଛି।

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ନବମ ଓ ଦଶମ ଶ୍ରେଣୀର ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପରିଚାଳନା କରୁଛି। ସର୍ବାଧିକ ପ୍ରସାରିତ ଆଉ ପଠିତ ଗଣମାଧ୍ୟମ ତଥା ବିଭିନ୍ନ ଗଣମାଧ୍ୟମ ଜରିଆରେ ସୂଚନା ବିଜ୍ଞାପନ ଜାରି କରାଗଲେ, ତାହା ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବ। କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ଏଥିପାଇଁ କେବଳ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଚୟନ କରିବା ବି ସେମାନଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ହୁଏତ ଏହି କେଳେଙ୍କାରୀରେ ସଂପୃକ୍ତ ବୋର୍ଡ ଅଧିକାରୀଙ୍କ ଭୂମିକାର ପର୍ଦ୍ଦାଫାସ ହୋଇପାରନ୍ତା। ଏ ସଂପର୍କରେ ବୋର୍ଡ ସଭାପତି ଓ ଉପସଭାପତିଙ୍କୁ ଯୋଗାଯୋଗ କରାଯିବା ସମୟରେ ସେମାନେ ଧରାଛୁଆଁ ଦେଉ ନାହାନ୍ତି। ଅନ୍ୟପଟେ ବୋର୍ଡର ଅନ୍ୟ ବରିଷ୍ଠ ଅଧିକାରୀମାନେ ସଭାପତି ଓ ଉପସଭାପତିଙ୍କ ମନମାନି ଆଗରେ ନିଜର ଅସହାୟତା ପ୍ରକାଶ କରି ଚୁପ୍ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe