ଅଶ୍ଳୀଳ ଭିଡିଓ ଚାଟିଂ କରି ଲୁଟ୍ ଘଟଣାରେ ଆଡଭାଇଜରି ଜାରି

ଅଶ୍ଳୀଳ ଭିଡିଓ ଚାଟିଂ କରି ଲୁଟ୍ ଘଟଣାରେ ଆଡଭାଇଜରି ଜାରି

ଭୁବନେଶ୍ବର : ଫେସ୍‌ବୁକରେ ପ୍ରଥମେ ବନ୍ଧୁତା କରି ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ଆଡଭାଇଜରି ଜାରି କରିଛି। ଫେସବୁକ୍ ବ୍ୟବହାରକାରୀ କ’ଣ କରିବେ ଓ କ’ଣ କରିବେ ନାହିଁ ସେ ନେଇ ପରାମର୍ଶ ଦେଇଛି କ୍ରାଇମବ୍ରାଞ୍ଚ। ତେବେ ରାଜ୍ୟରେ ଶହ ଶହ ସଂଖ୍ୟାରେ ଠକେଇ ପରେ କ୍ରାଇମବ୍ରାଞ୍ଚ ନିଦ ଭାଙ୍ଗିଲା ବୋଲି କୁହାଯାଉଛି। ସାଇବର ଅପରାଧ ରୋକିବାରେ ଫେଲ୍ ମାରିଥିବା କ୍ରାଇମବ୍ରାଞ୍ଚ ଏବେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ନ୍ୟାୟରେ କେବଳ ଆଡଭାଇଜରି ଜାରି କରି ଦେଇ ଚୁପ୍ ହୋଇ ବସି ରହୁଛି ବୋଲି ଚର୍ଚ୍ଚା ହେଉଛି। ଜାରି କରା ଯାଇଥିବା ଆଡଭାଇଜରି ଅନୁସାରେ, ଫେସ୍‌ବୁକରେ ଆସୁଥିବା ଅଜଣା ବ୍ୟକ୍ତିଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ ନ କରିବା ପାଇଁ କୁହାଯାଇଛି। ଯଦି ଗ୍ରହଣ କରୁଛନ୍ତି ତା’ହେଲେ ଏହାକୁ ଭଲ ଭାବେ ଯାଞ୍ଚ କରିବା ପାଇଁ କୁହାଯାଇଛି। ସେହିପରି ବନ୍ଧୁତା କରିଥିବା ବିଦେଶୀ କିମ୍ବା ଅଜଣା ବ୍ୟକ୍ତିଙ୍କ ସହ ଫୋନ୍ ନମ୍ବର ସେୟାର ନ କରିବା ସହ ମେସେଞ୍ଜର କିମ୍ବା ହ୍ବାଟ୍‌ସଆପରେ ଅଡିଓ ଓ ଅଶ୍ଳୀଳ ଭିଡିଓ କଲ୍ ନ କରିବାକୁ ପରାମର୍ଶ ଦିଆଯାଇଛି।

ଏମିତି ଠକୁଛନ୍ତି
ବିଦେଶୀ ବନ୍ଧୁ କିମ୍ବା ସୁନ୍ଦର ପ୍ରୋଫାଇଲ ଫଟୋ, ଉଚ୍ଚ ପଦବିରେ ଚାକିରି କରୁଥିବା ଷ୍ଟାଟସ୍ ରଖି ଠକ ଫେସବୁକ୍ ବ୍ୟବହାରକାରୀଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଏ। ବ୍ୟବହାରକାରୀ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ କରିବା ପରେ ଠକ ଜାଲରେ ପଡ଼ିଯାଏ। ପରେ ବନ୍ଧୁତା ଆଗକୁ ବଢ଼େ। ସେମାନଙ୍କ ଭିତରେ ଫୋନ୍ ନମ୍ବର ଦିଆନିଆ ହୁଏ। ଯଦି କେହି ପ୍ରେମରେ ପଡ଼ିଲା, ଆରମ୍ଭ ହୁଏ ଅଶ୍ଳୀଳ ଭିଡିଓ କଲିଂ। ଏହି ସମୟରେ ସାଇବର ଠକ ମୋବାଇଲ ସ୍କ୍ରିନ ରେକର୍ଡିଂ ସାହାଯ୍ୟରେ ଏହାକୁ ରେକର୍ଡ କରିନିଏ। ଠକ ଜାଲରେ ପଡ଼ିଥିବା ବ୍ୟକ୍ତିଙ୍କ ପ୍ରୋଫାଇଲରେ ଥିବା ଅନ୍ୟ ବନ୍ଧୁଙ୍କ ସହ ମଧ୍ୟ ବନ୍ଧୁତା କରିନିଏ। ରେକର୍ଡ କରିଥିବା ଭିଡିଓକୁ ଛାଡ଼ି ଦେବାର ଧମକ ଦେଇ ଜାଲରେ ପଡ଼ିଥିବା ବ୍ୟକ୍ତିଠାରୁ ଫୋନ ପେ, ଗୁଗୁଲ ପେ ଓ ଅନ୍ୟ ଅନଲାଇନ୍ କାରବାର ଜରିଆରେ ଟଙ୍କା ଲୁଟିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe