ନୟାଗଡ଼ରେ ମହିଳା କୋର୍ଟ ବର୍ଜନ କଲେ ଆଇନଜୀବୀ

Advertisment

ବିଚାରପତିଙ୍କ ଦୁର୍ବ୍ୟବହାର ଅଭିଯୋଗ

ବିଚାରପତିଙ୍କ ଦୁର୍ବ୍ୟବହାର ଅଭିଯୋଗ

ନୟାଗଡ଼ରେ ମହିଳା କୋର୍ଟ ବର୍ଜନ କଲେ ଆଇନଜୀବୀ

ନୟାଗଡ଼ : ନୟାଗଡ଼ରେ ନୂଆ କରି ଆରମ୍ଭ ହୋଇଥିବା ମହିଳା ଅଦାଲତର ମହିଳା ବିଚାରପତି ଦୀପା ଦାସଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଆଇନଜୀବୀମାନେ ଅନିର୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଡାକରା ଦେଇଛନ୍ତି। ଏ ନେଇ ଆଜି ନୟାଗଡ଼ ଓକିଲ ସଂଘର ଡାକରାରେ ଆଇନଜୀବୀମାନେ ମହିଳା ଅଦାଲତ ଆଗରେ ଧାରଣାରେ ବସିବା ସହ ବିଚାରପତିଙ୍କ ବଦଳି ନେଇ ଅଡ଼ି ବସିଛନ୍ତି। ଜିଲ୍ଲା ଜଜ୍‌, ଦୌରାଜଜ୍‌ ଓ ଅନ୍ୟ ବିଚାରପତିମାନେ ଧାରଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ ବି ଆଇନଜୀବୀମାନେ ଜିଦ୍‌ରେ ଅଟଳ ରହିଛନ୍ତି। ଏ ସଂପର୍କରେ ନୟାଗଡ଼ ଓକିଲ ସଂଘ ହାଇକୋର୍ଟଙ୍କୁ ଲିଖିତ ଭାବେ ଜଣାଇଥିବା କହିଛି।

ଓକିଲ ସଂଘର ଅଭିଯୋଗ, ବିଚାରପତି ଶ୍ରୀମତୀ ଦାସ କାର୍ଯ୍ୟରେ ଯୋଗଦେବା ଦିନଠାରୁ ଆଇନଜୀବୀମାନଙ୍କୁ ଅସହଯୋଗ କରି ଆସୁଛନ୍ତି। ଆଇନଜୀବୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ମୁଦଲାଙ୍କ ପାଇଁ ଟାଇମ୍‌ ପିଟିସନ୍‌ ଦେଲେ ଏହାକୁ ଖାରଜ କରି ସଙ୍ଗେ ସଙ୍ଗେ ୱାରେଣ୍ଟ୍‌ ଇସ୍ୟୁ କରୁଛନ୍ତି। ଆଇନଜୀବୀଙ୍କ ଆଗରେ ସାକ୍ଷୀଙ୍କ ଜମାନବନ୍ଦୀକୁ ଚିରିଦେବାର ବି ନଜିର୍‌ ରହିଛି। କେବଳ ସେତିକି ନୁହେଁ, ଆଦେଶପତ୍ରକୁ ବି ଚିରି ଦେଉଛନ୍ତି। ଏ ନେଇ ବିଚାରପତି ଶ୍ରୀମତୀ ଦାସ ଓ ଆଇନଜୀବୀଙ୍କ ମଧ୍ୟରେ ୫/୬ ଦିନ ତଳେ ବିବାଦ ଦେଖା ଦେଇଥିଲା। ଆଇନଜୀବୀମାନେ ଆଜିଠାରୁ ଧାରଣାରେ ବସିବା ସହ ମହିଳା ଅଦାଲତଙ୍କ କୋର୍ଟ କାର୍ଯ୍ୟ ବର୍ଜନ କରିଛନ୍ତି। ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରୁ ଆଇନଜୀବୀମାନେ ମହିଳା ଅଦାଲତ ଆଗରେ ସମୁହ ଧାରଣାରେ ବସିଥିଲେ। ମଧ୍ୟାହ୍ନରେ ଜିଲ୍ଲା ଓ ଦୌରାଜଜ୍‌ ଅଶାନ୍ତ କୁମାର ଦାସ ଓ ଅନ୍ୟ ବିଚାରପତିମାନେ ଆଇନଜୀବୀଙ୍କ ସହ ଏ ସଂପର୍କରେ ଆଲୋଚନା କରିବା ସହ ଆନ୍ଦୋଳନରୁ ଓହରିଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଆଇନଜୀବୀମାନେ ବିଚାରପତିଙ୍କ ବଦଳି ଜିଦ୍‌ରେ ଅଟଳ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe