ଅଫତାବଙ୍କ ଜଗନ୍ନାଥ ଭକ୍ତି ପଛରେ ବଂଶୀଧର: ଭକ୍ତି ଥିଲା, ଜ୍ଞାନ ଦେଇଥିଲେ ଟ୍ୟୁସନ ସାର୍‌

ଅଫତାବଙ୍କ ଜଗନ୍ନାଥ ଭକ୍ତି ପଛରେ ବଂଶୀଧର: ଭକ୍ତି ଥିଲା, ଜ୍ଞାନ ଦେଇଥିଲେ ଟ୍ୟୁସନ ସାର୍‌

ଭୁବନେଶ୍ବର: ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇବା ପରେ ଯେବେ ଏନେଇ ୨୨ଟି ପିଟିସନ ହୋଇଥିଲା ସେଥିମଧ୍ୟରୁ ପ୍ରଥମ ପିଟିସନ୍‌ ଥିଲା ଅଫ୍‌ତାବ ହୁସେନଙ୍କର। ନୟାଗଡ଼ ଇଟାମାଟିର ଏହି ମୁସ୍‌ଲିମ ଯୁବକଙ୍କ ଜଗନ୍ନାଥଙ୍କ ପ୍ରତି ଭକ୍ତି ତାଙ୍କୁ ରାତାରାତି ଚର୍ଚ୍ଚିତ କରେଇ ଦେଇଥିଲା। କିଛି ବ୍ୟକ୍ତି ତାଙ୍କୁ ସାଲବେଗଙ୍କ ସହ ତୁଳନା ମଧ୍ୟ କଲେ। ଅଫତାବ ସିନା ଚର୍ଚ୍ଚିତ ହେଲେ, କିନ୍ତୁ ତାଙ୍କୁ ମାର୍ଗ ଦେଖାଇଥିବା ତାଙ୍କ ଗୁରୁ ଚିହ୍ନା ପଡ଼ିଲେ ନାହିଁ। ତେବେ ଅଫତାବ ନିଜେ ସ୍ବୀକାର କରିଛନ୍ତି ଯେ ଜନ୍ମ ଜାତକ ମୁତାବକ ତାଙ୍କ ପାଖେ ସିନା ଭକ୍ତି ଥିଲା, କିନ୍ତୁ ଜ୍ଞାନ ନଥିଲା। ଅଫତାବଙ୍କ ଏହି ଭକ୍ତିରେ କିଛି ଜଗନ୍ନାଥ ଭାବ ଜ୍ଞାନର ମଞ୍ଜି ବୁଣିଥିବା ବ୍ୟକ୍ତି ଜଣକ ହେଉଛନ୍ତି ତାଙ୍କ ସ୍କୁଲ୍‌ ବେଳର ଟ୍ୟୁସନ୍‌ ଶିକ୍ଷକ ବଂଶୀଧର ସାହୁ।

ଅଫତାବ ୮ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ବଂଶୀଧର ସାହୁଙ୍କ ପାଖରେ ଗଣିତ ଟ୍ୟୁସନ ହେଉଥିବା ବେଳେ ଶ୍ରୀ ସାହୁଙ୍କଠାରୁ ଜଗନ୍ନାଥ ତତ୍ତ୍ବ ଶୁଣି ବିଭୋର ହେଲେ। ଏପରି କି ଘରେ ମଧ୍ୟ ସେ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରୁଥିଲେ। ଏଥିରେ କିନ୍ତୁ କେବେ ବି ଅଫତାବଙ୍କ ପରିବାର ତାଙ୍କୁ ବାଧା ଦେଇନଥିଲେ। ଅଫତାବ କହିଛନ୍ତି, ସାର୍‌ ହିଁ ମତେ ପଥ ପ୍ରଦର୍ଶନ କରିବାରୁ ମତେ ଆଜି ଏତେ ଭଲ ପାଇବା ମିଳିପାରିଛି। ସାଲବେଗଙ୍କ ସହ ତୁଳନାକୁ ସେ ଅଗ୍ରାହ୍ୟ କରି କହିଛନ୍ତି, ମୁଁ କେବେ ବି ତାଙ୍କ ସହ ତୁଳନୀୟ ନୁହେଁ।

ଅଫତାବଙ୍କ ଟ୍ୟୁସନ ଗୁରୁ ବଂଶୀଧର ସାହୁ ସଂପ୍ରତି ନୟାଗଡ଼ ଇଟାମାଟି କଲେଜ୍‌ରେ ବଟାନିରେ ଡେମୋନେଷ୍ଟ୍ରେଟର ଅଛନ୍ତି। ଶ୍ରୀ ସାହୁଙ୍କ କହିବା ମୁତାବକ, ଅଫତାବ ଯେବେ ଟ୍ୟୁସନ ଆସେ, ପଢ଼ିବା ଆରମ୍ଭ ପୂର୍ବରୁ ଚନ୍ଦନ ଓ ଧୂପ ଦେଇ ପୂଜାର୍ଚ୍ଚନା କରିବା ପରେ ପଢ଼ା ଆରମ୍ଭ କରେ। ପରେ ଜଗନ୍ନାଥଙ୍କ ପ୍ରତି ଅଫତାବର ରୁଚି ଢେର୍‌ ବଢ଼ି ଯାଇଥିଲା। ତେଣୁ ମୁଁ ଯେତିକି ପାରିଲି ଜଗନ୍ନାଥଙ୍କ ସମ୍ବନ୍ଧରେ ତାଙ୍କୁ ବୁଝାଉଥିଲି। ମାତ୍ର ତାଙ୍କର ଏତେ ଆଗ୍ରହ ଯେ ସେ ବିଭିନ୍ନ ଉତ୍ସରୁ ଜଗନ୍ନାଥଙ୍କ ତତ୍ତ୍ବ ସମ୍ବନ୍ଧରେ ଜ୍ଞାନ ଆହରଣରେ ଲାଗି ପଡ଼ିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe