୧୯ ମାସ ପରେ ଫେରିଲେ ‘ମୃତ’ ଯୁବକ

Advertisment

ପରିବାରର ବିଶ୍ୱାସ ସତ ହେଲା

ପରିବାରର ବିଶ୍ୱାସ ସତ ହେଲା

୧୯ ମାସ ପରେ ଫେରିଲେ ‘ମୃତ’ ଯୁବକ

ପାଇକମାଲ/ବରଗଡ଼: ଡକାୟତି ପରେ ହତ୍ୟା ଅଭିଯୋଗ। ଅଭିଯୋଗକୁ ଭିତ୍ତି କରି ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା ପୁଲିସ। କଲେଜ ପଢ଼ୁଆ ପୁଅକୁ ହରାଇ ଦିନରାତି ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ ପୂରା ପରିବାର। କିନ୍ତୁ ୧୯ ମାସ ପରେ ସୁସ୍ଥ ହୋଇ ଘରକୁ ବାହୁଡ଼ିଛି ପୁଅ। ଏହା ଯେ କୌଣସି ଏକ ସିନେମାର ରୋଚକ କାହାଣୀ ନୁହେଁ, ବାସ୍ତବ ଜୀବନରେ ଦେଖିବାକୁ ମିଳିଛି। ବରଗଡ଼ ଜିଲ୍ଲାର ପାଇକମାଲ ଅଞ୍ଚଳର ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ପ୍ରସଂଗ ପାଲିଟିଛି। ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ମାଝିପାଲି ଗ୍ରାମର ମନୋରଂଜନ ଡନସନାଙ୍କ ପୁଅ ଜିତୁ ପଦ୍ମପୁରସ୍ଥିତ ତ୍ରିପାଠୀ ଚାମ୍ବରରେ ରହି ଯୁକ୍ତ୨ ପାଠ ପଢୁଥିଲେ। ଶରୀର ଅସୁସ୍ଥ ହେବାରୁ ସେ ୨୦୧୬ ଡିସେମ୍ବର ୭ ତାରିଖ ଦିନ ଚିକିତ୍ସା ପାଇଁ ବରଗଡ଼ ଯାଇଥିଲେ। ବରଗଡ଼ରେ ଡାକ୍ତର ନଥିବାରୁ ସେ ପୁଣି ପଦ୍ମପୁର ଫେରି ଆସୁଥିଲେ। ବାଟରେ ୨ଜଣ ଯୁବକ ଜିରା ନଦୀ ନିକଟରେ ତାଙ୍କୁ ମାଡ୍‌ପିଟ୍‌ କରି ୨ଟି ମୋବାଇଲ ଓ ୨୦୦୦ଟଙ୍କା ଲୁଟି ନେଇଥିଲେ। ମାଡ଼ ଯୋଗୁଁ ସେ ମରି ଯାଇଥିବା ଭାବି ସେମାନେ ଜିତୁଙ୍କୁ ଜିରା ନଦୀ ବାଲିପଠାରେ ପକାଇ ଦେଇଥିଲେ। ସେହିଦିନ ଠାରୁ ଜିତୁ ନିଖୋଜ ଥିଲେ। ମନୋରଂଜନ ସେହି ମାସ ୨୫ ତାରିଖ ପାଇକମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପାଇକମାଲ ଥାନାରେ ନଂ.୧୮୭/୧୬ ଦଫା ୩୬୩ରେ ମାମଲା ରୁଜୁ ହୋଇଥିଲା। ତନାଘନା ପରେ ଜିତୁଙ୍କ କୌଣସି ଖୋଜ ଖବର ମିଳିନଥିଲା। ବହୁ ଦିନ ପୁଅ ନମିଳିବାରୁ ଜିତୁଙ୍କ ବାପା ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ବରଗଡ଼ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ତନାଘନା କରି ୨୦୧୭ ମସିହା ଅକ୍ଟୋବର ୨୨ ତାରିଖରେ ହଲୁ ଗୁଲା (୨୨) ଓ ରାଘବ ନାୟକ (୨୨)ଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ଜିତୁଙ୍କ ଲୁଟ୍‌ ମୋବାଇଲ୍‌ ମିଳିଥିଲା। ଅଭିଯୁକ୍ତମାନେ ଜିତୁଙ୍କୁ ହତ୍ୟା କରିଥିବା ମଧ୍ୟ ସ୍ୱୀକାର କରିଥିଲେ। କିନ୍ତୁ ଏହି ଘଟଣା ଜିତୁଙ୍କ ଘରେ ବିଷାଦର ବାଦଲ ଢାଙ୍କି ଦେଇଥିଲା। ଶବ ମିଳିନଥିବାରୁ ଜିତୁ ଜୀବିତ ଅଛନ୍ତି ବୋଲି ପରିବାରବର୍ଗଙ୍କ ବିଶ୍ୱାସ ଥିଲା। ସେମାନେ କୌଣସି ଅନ୍ତ୍ୟେଷ୍ଟି କ୍ରିୟା ନକରି ଜିତୁଙ୍କ ଫେରିବା ବାଟକୁ ଅନାଇ ବସିଥିଲେ। ଏହି ବିଶ୍ୱାସ ଶେଷରେ ଫଳବତୀ ହୋଇଛି। ଦୀର୍ଘ ୧୯ ମାସ ପରେ ଜିତୁ ଘରକୁ ଫେରି ଆସିଛନ୍ତି।

ଜିତୁଙ୍କ କହିବା ହେଲା, ଘଟଣା ଦିନ ଚେତା ଫେରିବା ପରେ ସେ ବରଗଡ଼ ରେଲୱେ ଷ୍ଟେସନ ଯାଇ ସେଠାରୁ ଦିଲ୍ଲୀ ପଳାଇ ଥିଲେ। ସେଠାରେ ଗୋଟିଏ କ୍ୟାଟରିଂ ସଂସ୍ଥାରେ ବର୍ଷେ କାମ କରିବା ପରେ ପୁଣି କୋଲକତା ଆସିଥିଲେ। ସେଠାରେ ଏକ ବ୍ୟାଣ୍ଡ ପାର୍ଟିରେ ରହି କାମ କରୁଥିଲେ। ଚଳିତ ମାସ ୫ ତାରିଖ ଜିତୁ କୋଲକତାର ଜଣେ ଆଇସ୍କ୍ରିମ ବିକାଳିକୁ ନିଜର କାହାଣୀ କହିବା ସହ ଘରର ମୋବାଇଲ ନମ୍ବର ଦେଇଥିଲେ। ଆଇସ୍କ୍ରିମ ବିକାଳି ଜିତୁଙ୍କ ଘରକୁ ଫୋନ ଯୋଗେ ସବୁକଥା କହିଥିଲେ। ଘର ଲୋକେ ହଠାତ ଏହାକୁ ବିଶ୍ୱାସ କରି ପାରିନଥିଲେ। ପୁଅର ଫଟୋ ମୋବାଇଲରେ ପଠାଇବା ପାଇଁ ଆଇସ୍କ୍ରିମ ବିକାଳିଙ୍କୁ କହିଥିଲେ। ଫଟୋ ଦେଖିବା ପରେ ଘର ଲୋକେ ତୁରନ୍ତ ପୁଲିସ୍‌କୁ ଜଣାଇଥିଲେ। ପାଇକମାଳ ପୁଲିସ ଏବଂ ଜିତୁଙ୍କ ପରିବାର ଲୋକେ ୭ ତାରିଖ କୋଲକତା ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ଆଇସ୍କ୍ରିମ ବାଲାଙ୍କୁ ଭେଟି ଜିତୁଙ୍କୁ ଠାବ କରାଯାଇଥିଲା। ଆଜି ଜିତୁ ସପରିବାର ଘରେ ପହଂଚିଛନ୍ତି। ଖୁସିରେ ଆତ୍ମହରା ପରିବାର କୋଲକତାର ଆଇସ୍କ୍ରିମ ବିକାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଜିତୁଙ୍କ ପାଖରେ ଘର ଲୋକଙ୍କ ମୋବାଇଲ ନମ୍ବର ଥିଲେ ହେଁ କାହିଁକି କାହାରିକୁ ଯୋଗାଯୋଗ କରିନଥିଲେ ଏବେ , ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe