୭୦ବର୍ଷ ପରେ ସ୍କୁଲ୍‌ ଯିବେ ୬ପିଲା, ଶିକ୍ଷା ମାନଚିତ୍ରରେ ସ୍ଥାନ ପାଇବ ‘ଥୁଆପାଡ଼ି’!

Advertisment
୭୦ବର୍ଷ ପରେ ସ୍କୁଲ୍‌ ଯିବେ ୬ପିଲା, ଶିକ୍ଷା ମାନଚିତ୍ରରେ ସ୍ଥାନ ପାଇବ ‘ଥୁଆପାଡ଼ି’!

କ୍ଷମାନିଧି ମହାଖୁଡ଼
ଲାଞ୍ଜିଗଡ଼: ୭୦ ବର୍ଷ ହେଲା ଗଁା ବସିଲାଣି। ହେଲେ, ଗଁାର ଜଣେ ହେଲେ ବି ଏଯାଏଁ ସ୍କୁଲ୍‌କୁ ଯାଇନଥିଲେ। ଚଳିତବର୍ଷ ପ୍ରଥମକରି ୬ଜଣ ପିଲା ସ୍କୁଲ୍‌ରେ ନଁା ଲେଖାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣ ବାଳକ ହୋଇଥିବାବେଳେ ଜଣେ ହେଉଛି ବାଳିକା। ଏହି ଗଁା ହେଉଛି, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତର ଏକ ଆଦିବାସୀ ଗାଁ ଥୁଆପାଡ଼ି। ଏହି ଗଁା ସମ୍ପର୍କରେ ‘ସମ୍ବାଦ’ ‘ଗ୍ରାଉଣ୍ଡଜିରୋ’ରୁ ତଥ୍ୟ ସଂଗ୍ରହ କଲାବେଳେ ଏହିଭଳି ଏକ ଚିତ୍ର ସାମ୍‌ନାକୁ ଆସିଛି। ସରକାର ଶିକ୍ଷାର ପ୍ରସାର ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି ଏବଂ ବହୁବିଧ ପଦକ୍ଷେପ ବି ଗ୍ରହଣ କରୁଛନ୍ତି। ତା’ ସତ୍ତ୍ବେ ବି ଶିକ୍ଷା ପାଇଁ ଗଁାର ପିଲାମାନେ କିଭଳି ସଚେତନ ହୋଇନାହାନ୍ତି ଏବଂ ଏ ନେଇ ପ୍ରଶାସନ କାହିଁକି ପଦକ୍ଷେପ ଗ୍ରହଣ କରିନାହିଁ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବ୍ଲକ୍‌ ମୁଖ୍ୟାଳୟଠାରୁ ୨୨ କିଲୋମିଟର ଓ ପଞ୍ଚାୟତ କାର୍ଯ୍ୟାଳୟଠାରୁ ୬ କିଲୋମିଟର ଦୂରରେ ରହିଛି ଥୁଆପାଡ଼ି । ୧୫ଟି ଆଦିବାସୀ ପରିବାର ରହୁଛନ୍ତି ଏହି ଗାଁରେ। ଆଲୋଚନା ସମୟରେ ଗ୍ରାମବାସୀ ଚଳିତବର୍ଷ ୬ଜଣ ପିଲା ନଁା ଲେଖାଇବା କଥା କହିଛନ୍ତି। ତେବେ; ‌ଛୋଟପିଲାମାନେ ଦୂର ଗାଁକୁ କିପରି ପଢ଼ିବାକୁ ଯିବେ, ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ କହିବା କଥା, ଗଁାଠାରୁ ତିନି କିଲୋମିଟର ଦୂରରେ ଆମ୍ବଗୁଡ଼ାଠାରେ ସ୍କୁଲ୍‌ ରହିଛି। ପୁଣି ଜଙ୍ଗଲିଆ ରାସ୍ତା। ନଁା ଲେଖାଇଥିଲେ ସୁଦ୍ଧା ଏହି ପିଲାମାନେ ସ୍କୁଲ୍‌କୁ ଯିବେ କି ନାହିଁ, ତାହାକୁ ନେଇ ସେମାନେ ସନ୍ଦିହାନ ହୋଇପଡ଼ିଛନ୍ତି। ତେବେ, ତଥ୍ୟ ସଂଗ୍ରହବେଳେ ଜଣାପଡ଼ିଲା ‌ଯେ ପୂର୍ବରୁ କେବେ ପିଲାମାନଙ୍କୁ ସ୍କୁଲ୍‌କୁ ପଠାଇଥିବା କଥା ଅଭିଭାବକମାନେ ଚିନ୍ତା କରିନାହାନ୍ତି। କରୋନା ସମୟରେ ପିଲାମାନେ ସ୍କୁଲ୍‌ ଯାଉଛନ୍ତି କି ନାହିଁ ସେ ସମ୍ପର୍କିତ ସର୍ଭେ ପରେ ହିଁ ଏ ସମ୍ପର୍କରେ ଜଣାପଡ଼ିଥିଲା। ଏବଂ, ଅଭିଭାବକଙ୍କୁ ବୁଝାଶୁଝା ପରେ ୬ଜଣ ପିଲାଙ୍କ ନଁା ଲେଖାଯାଇଥିବା ଜଣାପଡ଼ିଛି। ସମ୍ପୃକ୍ତ ସ୍କୁଲ୍‌ର ଶିକ୍ଷକ ତରଣୀସେନ ବାଗ ମଧ୍ୟ ୬ଜଣ ପିଲା ନଁା ଲେଖାଇଥିବା ସ୍ପଷ୍ଟ କରିଛନ୍ତି। ଯେତେବେଳେ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲାମାନେ ଯାଉଛନ୍ତି କି ନାହିଁ ପଚରାଗଲା, ଏକ ବିଚିତ୍ର ଚିତ୍ର ସାମ୍ନାକୁ ଆସିଲା। ଗଁା ପାଇଁ ଏକ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ମାତ୍ର, ତାହା ୮ କିମି ଦୂର ବଳଭଦ୍ରପୁର କଦମଗୁଡ଼ାରେ। ଫଳରେ, ଅଙ୍ଗନବାଡ଼ିକୁ ଯାଇ ପ୍ରାରମ୍ଭିକ ପାଠପଢ଼ାର ସୁଯୋଗ ବି ନେଇନାହାନ୍ତି ପିଲାମାନେ। ତେବେ, ପିଲାଙ୍କ ପରିବାର ଲୋକେ ସପ୍ତାହରେ ଥରେ ଯାଇ ଅଙ୍ଗନବାଡି କେନ୍ଦ୍ରରୁ ଛତୁଆ ଓ ଅଣ୍ଡା ନେଇ ଆସୁଥିବା ଜଣାପଡ଼ିଛି।

କେବଳ ଶିକ୍ଷା ନୁହେଁ; ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, କୃଷି, ପଶୁପାଳନ ସବୁ ଦୃଷ୍ଟିରୁ ଅବହେଳିତ ହୋଇ ରହିଛି ଏହି ଗାଁ। ଗାଁର ପ୍ରତିଟି ସମସ୍ୟାକୁ ପ୍ରଶାସନ ଓ ଜନପ୍ରତିନିଧି ଦୃଷ୍ଟି ଦେବାକୁ ନବୀ ମାଝୀ, ମୁଙ୍ଗରି ମାଝୀ, ଗୁନୁ ମାଝୀ, ଲାଖନୁ ମାଝୀ, ବିପ୍ର ମାଝୀ, ଆଦୁ ମାଝୀ, କେଶର ମାଝୀ, ଲାଇବେଇ ମାଝୀ, କୁନି ମାଝୀ, ଆନ୍ଦ୍ରାଣୀ ମାଝୀ, ଲାଣ୍ଡି ମାଝୀ, ନାରିଙ୍ଗଦେଇ ମାଝୀ ପ୍ରମୁଖ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe