ବଡ଼ଦିନ ପରେ କେରଳମୁହାଁ ହେଲେ କନ୍ଧମାଳ ଶ୍ରମିକ

ଶ୍ରମଜୀବୀ ଯୁବଗୋଷ୍ଠୀଙ୍କ ପାଖରେ ନାହିଁ କାମ, ସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ

ବଡ଼ଦିନ ପରେ କେରଳମୁହାଁ ହେଲେ କନ୍ଧମାଳ ଶ୍ରମିକ

ରାଇକିଆ(ସନ୍ତୋଷ କୁମାର ଦାସ/ବସନ୍ତ ବେହେରା): କନ୍ଧମାଳରୁ କେରଳକୁ ପ୍ରତି ସପ୍ତାହରେ ବସ୍‌ରେ ଦାଦନ ଶ୍ରମିକ ବୁହା ଚାଲିଛି। ଏ ଘଟଣା ଚିନ୍ତାଜନକ ପ୍ରସଙ୍ଗ ହୋଇଛି । ଜିଲ୍ଲାର ଶ୍ରମଜୀବୀ ଯୁବଗୋଷ୍ଠୀଙ୍କ ପାଖରେ କାମ ନାହିଁ କି ସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ନାହିଁ। ବିଭିନ୍ନ ଅଞ୍ଚଳରୁ କାମଧନ୍ଦା ଆଶାରେ ଯୁବକଯୁବତୀ ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ହେଲେ ସେଠାରେ କିଏ ମଜୁରି ପାଉନି ତ, କିଏ ନିର୍ଯାତନାର ଶିକାର ହେଉଛି। ଆଉ କିଏ ଚିକିତ୍ସା କିମ୍ବା ଟଙ୍କା ଅଭାବରୁ ଅସ୍ବାସ୍ଥ୍ୟକର ପରିବେଶରେ କାମକରି ଶବ ପାଲଟି ଫେରୁଥିବା ଖବର ବିଭିନ୍ନ ସମୟରେ ପ୍ରକାଶ ପାଉଛି।

ବିଗତ ବର୍ଷ ବାଲିଗୁଡ଼ାର ଅଙ୍ଗଦ ମଲ୍ଲିକ ଚାରି ବର୍ଷର ଶିଶୁ ଓ ବୃଦ୍ଧା ମା’କୁ ଛାଡ଼ି ଅର୍ଥ ରୋଜଗାର କରିବା ପାଇଁ ଯାଇଥିବା ବେଳେ ଦୁଇ ପାପୁଲି ହରାଇ ଘରକୁ ଫେରିଥିଲେ। କେନ୍ଦ୍ର ଅନୁସୂଚିତ ଜନଜାତି ଆୟୋଗ ଏହି ଘଟଣାରେ ହସ୍ତ କ୍ଷେପ କରି ରାଜ୍ୟ ଶ୍ରମ ବିଭାଗକୁ ଚିଠି କରିଥିଲା। ଏହାସହ ବିଭିନ୍ନ ସମୟରେ ରାଇକିଆ, ବାଲିଗୁଡ଼ା, ଟିକାବାଲି, ଫୁଲବାଣୀ, ଖଜୁରୀପଡ଼ା, ଫୁଲବାଣୀ, ଫିରିଙ୍ଗିଆ, ଚକାପାଦ, ଘୁ.ଉଦୟଗିରି, କ.ନୂଆଗାଁ, ଦାରିଙ୍ଗବାଡ଼ି, ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକ୍‌ରୁ ଦାଦନଙ୍କ ଶବ ଘରକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଜିଲ୍ଲାରେ ବଡ଼ଦିନ ସରିଥିବା ବେଳେ ବର୍ତ୍ତମାନ ଶହ ଶହ ଶ୍ରମିକ ବାହାର ରାଜ୍ୟକୁ କମଧନ୍ଦା ପାଇଁ ବାହାରିଲେଣି। ଦଲାଲ୍‌ଙ୍କ ପ୍ରଲୋଭନରେ କେରଳମୁହାଁ ହେଉଛନ୍ତି। ଦଲାଲ୍‌ ମାନେ କମ୍ପାନି ଠାରୁ ଆଣିଥିବା ବସ୍‌ରେ ଶ୍ରମିକଙ୍କୁ ଘର ନିକଟରୁ ଉଠାଇ ଯିବାକୁ ନେଉଛନ୍ତି। ମୁଣ୍ଡପିଛା ତିନିହଜାର ଟଙ୍କା ବସ୍‌ଟିକଟ ଥିବା ବେଳେ ଗାଁରେ ଦଲାଲ୍ ବୁଲି ପ୍ରତି ସପ୍ତାହରେ ୫୦ଜଣ ଶ୍ରମିକଙ୍କୁ ଯୋଗାଡ଼ କରିଥାନ୍ତି। କେରଳରେ କଂପାନି ମାଲିକ ଦଲାଲ୍‌ଙ୍କ ସହାୟତାରେ ଗାଡ଼ିଭଡ଼ା ସହ କିଛି ଅଗ୍ରୀମ ଟଙ୍କା ଧରାଇ ଏହି ଶ୍ରମିକଙ୍କୁ ସେଠାକୁ ନେଇ କାର୍ଯ୍ୟରେ ନିୟୋଜିତ କରିଥାନ୍ତି। ସେଠାକୁ ଯାଇ ଶୋଷଣର ଶିକାର ହେଉଛନ୍ତି, କମ୍ ମଜୁରିରେ ଖଟି କମ୍ପାନି ମାଲିକଙ୍କ ପ୍ରତାରଣାର ଶିକାର ହୋଇଥାନ୍ତି। ଗାଁକୁ ଫେରିବାକୁ ଚାହିଁଲେ ମଧ୍ୟ ଫେରିପାରନ୍ତି ନାହିଁ। ଅଗ୍ରୀମ ଟଙ୍କା ବାହାନା କରି କମ୍ପାନି ଦଲାଲ୍‌ ନିର୍ଯାତନା ଦେବା ସହ ସେମାନଙ୍କୁ କାମରେ ଲଗାଉଥିବା ଅଭିଯୋଗ ମଧ୍ୟ ବହୁ ସମୟରେ ନଜରକୁ ଆସିଛି।

ଜିଲ୍ଲାରୁ ଏଭଳି ବସ୍‌ ଯୋଗେ ଦାଦନ ବୁହା ଚାଳଇଥିବା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ତେଜ କୁମାର ବାଗେଙ୍କୁ ପୂର୍ବରୁ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଚଳିତ ସପ୍ତାହ‌େରେ ପୁଣି ଆଜି ଏକ ବସ୍‌ ୫୦ରୁ ଅଧିକ ଶ୍ରମିକଙ୍କୁ ନେଇ କେରଳ ଯିବାକୁ ବାହାରିଥିବା ବେଳେ ତାଙ୍କ ନିକଟରେ ଖବର ନଥିବା କହିଛନ୍ତି। ଏ ସମ୍ପର୍କରେ ଅଭିଯୋଗ ହେଲେ ହିଁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ କଥା ଉଠିଛି ଦାଦନ ଶ୍ରମି ବୁହା ହେୁଥିବା ନେଇ ନେଇ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ଶ୍ରମ ଅଧିକାରୀଙ୍କୁ ଆଉ କଣ ଅଭିଯୋଗର ଆବଶ୍ୟକ ରହିଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ପୁଲିସ ଓ ଶ୍ରମ ବିଭାଗ ମୋଟା ଆଙ୍କର ହାତଗୁଞ୍ଜା ନେଇ ଏହାକୁ ପ୍ରଶୟ ଦେଉଥିବା ସାଧାରଣରେ ଅଭିଯୋଗ ହେଉଛି । ରଣବା ଅଞ୍ଚଳର ପିକୁନ ଦିଗାଳ ନାମକ ଜଣେ ଶ୍ରମିକଙ୍କ କହିବା ପ୍ରକାରେ, କେରଳକୁ ବସ୍‌ରେ ଶ୍ରମିକ ନେବା ଆଣିବା କରିବାକୁ ପୁଲିସ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ହାତଗୁଞ୍ଜା ଦେବାକୁ ପଡ଼ୁଛି। ସପ୍ତାହରେ କେବଳ ପୁଲିସକୁ ୫ ହଜାର ଟଙ୍କା ଦିଆଯାଉଛି। ଯାହାଫଳରେ ବସ ଯିବାଆସିବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସେ ‌କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe