ଭଦ୍ରକ: ଜଣେ ନାବାଳକଙ୍କ ମୃତ୍ୟୁକୁ ନେଇ ଭଦ୍ରକ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ଘରୋଇ କ୍ଲିନିକରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମାଡ଼ ମରାଯାଇଛି। ସୂଚନା ଅନୁଯାୟୀ, ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଆଚାର୍ଯ୍ୟ ନଗରର ଶୁଭେନ୍ଦୁ ରାଉଳ ନାମକ ନାବାଳକ ଜଣକ ଜ୍ୱର ହେବା ଯୋଗୁଁ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ ଏକ ଘରୋଇ କ୍ଲିନିକକୁ ନେଇଥିଲେ। ଡାକ୍ତର ଚିକିତ୍ସା କରୁଥିବା ସମୟରେ ଇଞ୍ଜେକ୍ସନ ଦେବା ପରେ ନାବାଳକଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ଗୁରୁତର ଅବସ୍ଥାରେ ନାବାଳକଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ତାଙ୍କ ସହ ଘରୋଇ କ୍ଲିନିକର ଡାକ୍ତର ମଧ୍ୟ ଭଦ୍ରକ ମେଡିକାଲକୁ ଯାଇଥିଲେ। କିନ୍ତୁ ନାବାଳକ ଜଣକଙ୍କ ମେଡିକାଲରେ ଜୀବନ ଚାଲିଯାଇଥିଲା। ପରିବାର ଲୋକ ଉତ୍ତ୍ୟକ୍ତ ହୋଇ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମାଡ଼ ମାରିଥିଲେ। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଭଦ୍ରକ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ବେଳେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ଭୁଲ ଇଞ୍ଜେକ୍ସନ ଯୋଗୁଁ ନାବାଳକ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।
Follow Us