ନିଆଳି ଆତଙ୍କ ଦିଗପହଣ୍ଡିରେ : ୨୪ ମେଣ୍ଢାଙ୍କୁ ମାରିଲା ଅଜଣା ଜନ୍ତୁ

ନିଆଳି ଆତଙ୍କ ଦିଗପହଣ୍ଡିରେ : ୨୪ ମେଣ୍ଢାଙ୍କୁ ମାରିଲା ଅଜଣା ଜନ୍ତୁ

ଦିଗପହଣ୍ଡି : କଟକ ଜିଲ୍ଲା ନିଆଳି ମେଣ୍ଢା ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନଥିବା ବେଳେ ଗତ ରାତିରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ କରପଡା ଗାଁରେ ରହସ୍ୟଜନକ ଭାବେ ୨୪ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ନିଆଳି ଢାଞ୍ଚାରେ ଅଜଣା ଜନ୍ତୁ( ସିପ୍‌ ହଣ୍ଟର) ମେଣ୍ଢା ଶିକାର କରିଛି। କାହାର କଲିଜା ଖାଇଛି, ତ’ ଆଉ କାହାର ତଣ୍ଟି କଣା କରି ରକ୍ତ ପିଇଛି। ଗୁହାଳେ ଥିବା ଛେଳିଙ୍କୁ ଛାଡ଼ି ଅଜଣା ଜନ୍ତୁ ବାଛି ବାଛି କେବଳ ମେଣ୍ଢାଙ୍କୁ ମାରିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ମାଲିକ ଗୁହାଳରେ ଶୋଇଥିଲେ ହେଁ ମେଣ୍ଢା ମାରୁଥିବା ଅଜଣା ଜନ୍ତୁ ସଂପର୍କରେ ସାମାନ୍ୟ ସୁରାକ ପାଇ ପାରି ନଥିଲେ। ମେଣ୍ଢା ମାରିଥିବା ଅଜଣା ଜନ୍ତୁର କୌଣସି ପାଦ ଚିହ୍ନ ନଥିବାରୁ ମେଣ୍ଢା କିଏ ମାରିଛି ସେ ନେଇ ଜଂଗଲ ବିଭାଗର ଅଧିକାରୀ, ପ୍ରାଣୀ ଚିକିତ୍ସକ କିଛି ବି ସ୍ପଷ୍ଟ କହିପାରୁ ନାହାନ୍ତି।

ପ୍ରକାଶ ଯେ, ଗତ କିଛି ଦିନ ହେବ ଗ୍ରାମରେ ଲଗାତର ମେଣ୍ଢା ମୃତ୍ୟୁକୁ ନେଇ ଭୟଭୀତ ଥିବା ଗ୍ରାମବାସୀ ଗତକାଲି ଘଟଣାକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ଗୋଟିଏ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ କରପଡ଼ା ଗ୍ରାମର ହରିଶ୍ଚନ୍ଦ୍ର ଗୌଡ଼ଙ୍କ ୧୬ଟି ମେଣ୍ଢା ମରିଥିବା ବେଳେ ଲାଲୁଙ୍କ ୮ଟି ମେଣ୍ଢା ମାରିଛି। ଗତକାଲି ରାତି ୮ଟା ବେଳେ କରପଡ଼ା ବାରି ସାହିରେ ଲାଲୁଙ୍କ ଗୁହାଳରେ ୮ଟି ମେଣ୍ଢା ମରିଥିବା ଜଣା ପଡିଥିଲା। ଏହାକୁ ନେଇ ଗାଁରେ ଚହଳ ପଡ଼ି ଯାଇଥିଲା। ଏ ଖବର ପାଇ ମେଣ୍ଢା ରଖିଥିବା ଗ୍ରାମର ହରିଶ୍ଚନ୍ଦ୍ର ତାଙ୍କ ଗୁହାଳକୁ ଯାଇଥିଲେ।  ରାତି ସାରା ଗୁହାଳେ ଜଗି ରହିଲେ। ତେବେ ରାତି ପ୍ରାୟ ୩ଟା ଯାଏଁ ଚେଇଁ ରହିବା ପରେ କେତେବେଳେ ତାଙ୍କ ଆଖି ପଡ଼ି ଯାଇଥିଲା। ଚତୁର ଜନ୍ତୁ ଏହାର ସୁଯୋଗରେ ପୂରା ଗୁହାଳକୁ ଖିନ୍‌ଭିନ୍‌ କରି ଦେଇଥିଲା। ଗୁହାଳରେ ଥିବା ଛେଳିଗୁଡ଼ିକ ଅକ୍ଷତ ଥିବା ବେଳେ ୧୬ଟି ମେଣ୍ଢା ମାରିଥିଲା। କିଛି ମେଣ୍ଢା କ୍ଷତାକ୍ତ ଅବସ୍ଥାରେ ଛଟପଟ ହେଉଥିଲେ।

ହରିଶ୍ଚନ୍ଦ୍ରଙ୍କ କହିବା କଥା ସେ ଗୁହାଳରେ ଶୋଇଥିଲେ। ରାତି ତିନିଟା ପରେ ତାଙ୍କ ନିଦ ଆସିଯିବା ପରେ ଏ ଘଟଣା ଘଟିଥିଲା। ମେଣ୍ଢାଙ୍କୁ ଆକ୍ରମଣ ବେଳେ କୌଣସି ଶଦ୍ଦ ସେ ଶୁଣିପାରି ନାହାନ୍ତି। ମାରିଲା ବେଳେ ମେଣ୍ଢା, ଛେଳି ରଡ଼ି ଛାଡିଥାନ୍ତେ, ମାତ୍ର ସବୁ ଘଟଣା ନିରବରେ କେମିତି ଘଟିଗଲା, ସେ ପାଖରେ ଶୋଇ ବି ସୁରାକ୍‌ ପାଇଲେନି ତାହା ବିସ୍ମିତ କରିଛି। ଏହା ଅଜଣା ଜନ୍ତୁ ହେଉ କି ଆଉ କିଏ ଏହାର ରହସ୍ୟ ଉନ୍ମୋଚନ ହେବା ଉଚିତ୍‌ ବୋଲି ସେ କହିଛନ୍ତି। ପୂର୍ବରୁ ଗତ ୧୫ ଦିନ ଭିତରେ ତାଙ୍କର ୧୨ଟି ମେଣ୍ଢା ମରିଛନ୍ତି। ତେବେ ସେ ଏହାକୁ କୁକୁର ମାରୁଥିବା ସନ୍ଦେହ କରୁଥିଲେ। ଗତକାଲି ଘଟଣା ପରେ ଏହାକୁ ନେଇ ସନ୍ଦେହ ଉପୁଜିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe