କୋଭିଡ୍‌ ପରେ ସବୁ ସ୍ବାଭାବିକ: ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ କେବେ?

Advertisment

ଶିଶୁଙ୍କ ମସ୍ତିଷ୍କ ବିକାଶ ବାଧାପ୍ରାପ୍ତ, ଅପପୁଷ୍ଟି, ରକ୍ତହୀନତାର ମୁକାବିଲା ହେବ କେମିତି?

ଶିଶୁଙ୍କ ମସ୍ତିଷ୍କ ବିକାଶ ବାଧାପ୍ରାପ୍ତ, ଅପପୁଷ୍ଟି, ରକ୍ତହୀନତାର ମୁକାବିଲା ହେବ କେମିତି?

୧୯% ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ

Sambad English

ଭୁବନେଶ୍ବର: କରୋନାର ତୃତୀୟ ଲହର ଥମିବା ପରେ ଧୀରେ ଧୀରେ କଟକଣା ହଟାଯାଉଛି। ଶିକ୍ଷାନୁଷ୍ଠାନ ଠାରୁ ଧର୍ମାନୁଷ୍ଠାନ ପର୍ଯ୍ୟନ୍ତ ସବୁ ସ୍ବାଭାବିକ ହେବାରେ ଲାଗିଛି। ମାତ୍ର ୨ ବର୍ଷ ହେଲା ବନ୍ଦ ରହିଛି ଅଙ୍ଗନବାଡ଼ି କେନ୍ଦ୍ର। କେବେ ଖୋଲିବ ସେ ନେଇ ନିଷ୍ପତ୍ତି ହୋଇପାରୁନି। ଏହାଫଳରେ ଶିଶୁଙ୍କ ମସ୍ତିଷ୍କ ବିକାଶ ବାଧାପ୍ରାପ୍ତ ହେବା ସହିତ ଅପପୁଷ୍ଟି ଏବଂ ରକ୍ତହୀନତା ଜଟିଳ ହେବାରେ ଲାଗିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି।

ସୂଚନା ଅନୁଯାୟୀ ରାଜ୍ୟରେ ୭୪ ହଜାରରୁ ଊର୍ଧ୍ବ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଆଇସିଡିଏସ କାର୍ଯ୍ୟକ୍ରମ ଅନ୍ତର୍ଗତରେ ଏଠାରେ ମୁଖ୍ୟତଃ ୬ ପ୍ରକାର ସେବା ଦିଆଯାଏ। ଏଥିମଧ୍ୟରେ ୩ରୁ୬ ବର୍ଷ ଶିଶୁଙ୍କ ପାଠପଢ଼ା, ଟିକାକରଣ, ପ୍ରେରଣା ସେବା ଅର୍ଥାତ ଅପପୁଷ୍ଟି କିମ୍ବା କୁପୋଷଣ ଶିକାର ଶିଶୁଙ୍କୁ ସଦର ଡାକ୍ତରଖାନାସ୍ଥିତ ଏନଆରସି କେନ୍ଦ୍ରକୁ ପଠାଯିବା, ପ୍ରତି ମାସରେ ଛୁଆଙ୍କ ଓଜନ, ଉଚ୍ଚତା ନିରୀକ୍ଷଣ, ପ୍ରତ୍ୟେକ ମାସରେ ୨ ଥର ଗର୍ଭବତୀଙ୍କ ଘରକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା, ଏସଏଚଜି ଗଠନ ଆଦି ରହିଛି। ବର୍ତ୍ତମାନ ସମୟରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହେବା ଯୋଗୁଁ ଏହାର ମୁଖ୍ୟ କାର୍ଯ୍ୟ ଅର୍ଥାତ ଶିଶୁ ଅଭିବୃଦ୍ଧି ବା ପିଲାଙ୍କ ପାଠପଢ଼ା ଠପ୍‌ ରହିଛି। ପ୍ରତ୍ୟେକ କେନ୍ଦ୍ରରେ ସର୍ବନିମ୍ନ ୧୦ରୁ ୪୦ ପର୍ଯ୍ୟନ୍ତ ଶିଶୁ ପଢ଼ିଥା’ନ୍ତି। ସାଧାରଣତଃ ୩ରୁ୬ ବର୍ଷ ସମୟରେ ଜଣେ ଶିଶୁର ୩୦ ପ୍ରତିଶତ ମସ୍ତିଷ୍କର ବିକାଶ ହୋଇଥାଏ। ଏହି ସମୟରେ ସେମାନେ ଘରେ ନରହି କେନ୍ଦ୍ରକୁ ଆସିଲେ ଏହି ବିକାଶ ହେବାରେ ସହାୟକ ହୁଏ। ଅଙ୍ଗନବାଡ଼ି ଶିକ୍ଷୟିତ୍ରୀମାନେ ଖେଳ ଏବଂ ପାଠପଢ଼ା ମାଧ୍ୟମରେ ଶିଶୁମାନଙ୍କୁ ଶିକ୍ଷା ଦେଇଥାଆନ୍ତି। ମାତ୍ର ଏହି କେନ୍ଦ୍ର ବନ୍ଦ ହେବା ଯୋଗୁଁ ପିଲାଙ୍କ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହେଉଛି। ଏପରିକି କିଛି ଅଙ୍ଗନବାଡ଼ି ଶିକ୍ଷୟିତ୍ରୀଙ୍କ ଅନୁସାରେ, ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ଏବଂ ଗର୍ଭବତୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦିଆଯାଏ। ବର୍ତ୍ତମାନ କେନ୍ଦ୍ର ବନ୍ଦ ରହିଥିଲେ ମଧ୍ୟ ପ୍ରତ୍ୟେକ ଘରକୁ ଶୁଖିଲା ଖାଦ୍ୟ ଦିଆଯାଉଛି। କିନ୍ତୁ ଲକ୍‌ଡାଉନ ଏବଂ କରୋନା ସ୍ଥିତିରେ ଏହି ଖାଦ୍ୟ କେବଳ ପିଲା କିମ୍ବା ଗର୍ଭବତୀଙ୍କ ମଧ୍ୟରେ ସୀମିତ ନରହି ପରିବାର ସଦସ୍ୟଙ୍କ ମଧ୍ୟରେ ବିଭାଜିତ ହେଲା। ଫଳରେ ୬ରୁ ୫୯ ମାସର ରକ୍ତହୀନତାର ଶିକାର ଶିଶୁଙ୍କ ସଂଖ୍ୟା ୨୦୧୫ ମସିହାରେ ୪୪.୫ ପ୍ରତିଶତ ଥିବା ବେଳେ ୨୦୨୦-୨୧ ମସିହାରେ ୬୪.୨ ପ୍ରତିଶତରେ ପହଞ୍ଚିଛି।

ଅପପୁଷ୍ଟିର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଏତେ ପଦକ୍ଷେପ ସତ୍ତ୍ବେ ବୟସ ତୁଳନାରେ କମ ଉଚ୍ଚତା ଥିବା ଶିଶୁଙ୍କ ସଂଖ୍ୟା ୩୧ ପ୍ରତିଶତ, ଉଚ୍ଚତା ତୁଳନାରେ କମ ଓଜନ ଥିବା ଶିଶୁ ୧୮.୧ ପ୍ରତିଶତ, ବୟସ ତୁଳନାରେ କମ ଓଜନ ଥିବା ଶିଶୁଙ୍କ ସଂଖ୍ୟା ୨୯.୭ ପ୍ରତିଶତ ରହିଛି। ବର୍ତ୍ତମାନ ମଧ୍ୟ କରୋନା ପ୍ରଭାବରେ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଛି। ଶିଶୁମାନେ କେନ୍ଦ୍ରକୁ ଆସିଲେ ସିଧାସଳଖ ସେମାନେ ରନ୍ଧା ହୋଇଥିବା ପୋଷଣଯୁକ୍ତ ଖାଦ୍ୟ ଖାଇପାରିବେ। ଯାହା ସେମାନଙ୍କ ଅଭିବୃଦ୍ଧିରେ ସହାୟକ ହେବ। ପ୍ରତ୍ୟେକ ମାସରେ ପ୍ରସୂତି, ଗର୍ଭବତୀ ଏବଂ ଶିଶୁଙ୍କ ଉଚ୍ଚତା, ଓଜନ ମାପ ନିଆଯାଏ। ଅଙ୍ଗନବାଡ଼ି ଶିକ୍ଷୟିତ୍ରୀ ସେମାନଙ୍କ ଘରକୁ ଯାଇ ଏହା ମାପୁଛନ୍ତି। ମାତ୍ର ଅନେକ କ୍ଷେତ୍ରରେ ଏହା ଠିକ ଭାବରେ ହୋଇ ପାରୁ ନଥିବା ଅଭିଯୋଗ ହେଉଛି। କେନ୍ଦ୍ର ବନ୍ଦ ଥିଲେ ମଧ୍ୟ ଅଙ୍ଗନବାଡ଼ି ଶିକ୍ଷୟିତ୍ରୀମାନେ ସେମାନଙ୍କ କାର୍ଯ୍ୟ ସ୍ବାଭାବିକ କରୁଛନ୍ତି। କିନ୍ତୁ ଏହାର ଲାଭ ପିଲାଙ୍କୁ ମିଳୁନାହିଁ। ବର୍ତ୍ତମାନ କୋଭିଡ୍‌ ସ୍ଥିତି ସ୍ବାଭାବିକ ହେବାକୁ ବସିଲାଣି। ପିଲାମାନେ ବି ବୁଲିବା ଖେଳିବା ସବୁ କରୁଛନ୍ତି। କେନ୍ଦ୍ରକୁ ଆସିଲେ ସେମାନନେ ସାମାଜିକ ଦୂରତା ରକ୍ଷା କରି ପାଠପଢ଼ିବା ସହିତ ଖେଳି ପାରିବେ। କୋଭିଡ୍‌ ନିରାକରଣରୁ ରକ୍ଷା ପାଇଁ ହାତଧୁଆ, ସାମାଜିକ ଦୂରତ୍ବର ଆବଶ୍ୟକତା ସମ୍ପର୍କରେ ଶିକ୍ଷା ଦିଆଯାଇ ପାରିବ ବୋଲି ଅନେକ ଶିକ୍ଷୟିତ୍ରୀ କହନ୍ତି।

ସୂଚନା ଅନୁଯାୟୀ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ନିର୍ଦେଶରେ ୨ ବର୍ଷ ହେଲା ବନ୍ଦ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳମାନେ ରିପୋର୍ଟ ଦାଖଲ କରିଛନ୍ତି। ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଅନୁସାରେ, ରାଜ୍ୟରେ ଥିବା ସମସ୍ତ କେନ୍ଦ୍ର ଠିକ ଏବଂ ସ୍ବାଭାବିକ ରହିଛି। ଏହା ସତ୍ତ୍ବେ କେନ୍ଦ୍ର ଖୋଲିବା ସମ୍ପର୍କରେ ସରକାରଙ୍କ ନିଷ୍ପତ୍ତିରେ ଏତେ ବିଳମ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe