पंजाब - Punjab Kesari
ଖୋର୍ଦ୍ଧା: ଖୋର୍ଦ୍ଧା ଜେଲ୍ରୁ ବ୍ରାଉନ୍ସୁଗାର୍ କାରବାର ମାମଲା ଆହୁରି ସାଂଘାତିକ ରୂପ ନେଇଛି। ଜେଲ୍ରୁ ପୁଳାପୁଳା ମୋବାଇଲ୍ ଜବତ ହେବା ଓ ଗୋଟିଏ ଘଟଣାରେ ମୋଟ୍ ୨୧ଜଣଙ୍କ ସମ୍ପୃକ୍ତି ନେଇ ଖୋର୍ଦ୍ଧା ଜେଲ୍ରେ ବି ଝଡ଼ ସୃଷ୍ଟି ହୋଇଛି। ଏ ଘଟଣାକୁ ନେଇ ଜଣେ ଅନ୍ତେବାସୀଙ୍କୁ ଜେଲ୍ ଭିତରେ ସଂଘବଦ୍ଧ ଆକ୍ରମଣ କରାଯାଇଛି। ସଂଘବଦ୍ଧ ଆକ୍ରମଣର କାରଣ ମୋବାଇଲ୍ ଜବତ ବୋଲି କୁହାଯାଉଛି। ସୂଚନା ମୁତାବକ, ଜେଲ୍ରୁ ମୋବାଇଲ୍ କାରବାର କାହିଁ କେବେଠୁ ଚାଲିଥିଲା। ଗଲା ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ଯେଉଁ ଧରପଗଡ଼ କରିଥିଲା ସେମିତି ପୂର୍ବରୁ କେବେ ହୋଇନଥିଲା। ଏମିତିକି, ଜେଲ୍ର କେଉଁ ସ୍ଥାନରେ ମୋବାଇଲ୍ ରହିଛି, ସବୁ କିଛିର ସୂଚନା ପୁଲିସକୁ ଠିକ୍ ଭାବେ ମିଳିଥିଲା। ଯାହାକୁ ନେଇ ଜେଲ୍ ଅନ୍ତେବାସୀଙ୍କ ମଧ୍ୟରେ ପରସ୍ପରକୁ ସନ୍ଦେହ କରିବା ଆରମ୍ଭ ହୋଇଥିଲା। ଜେଲ୍କୁ ମୋବାଇଲ୍ କେମିତି ଗଲା ବୋଲି ବାହାରେ ଯେମିତି ଚାରିଆଡ଼େ ପ୍ରଶ୍ନ ଉଠୁଥିଲା, ଜେଲ୍ ଭିତରେ ବି ସେହି ସନ୍ଦେହ ତିଆରି ହୋଇଥିଲା। ଜେଲ୍ରେ ମୋବାଇଲ୍ ଅଛି ବୋଲି ପୁଲିସ କେମିତି ଜାଣିଲା? ଜେଲ୍ରୁ କିଏ ସୂଚନା ଦେଲା ସେନେଇ ଜେଲ୍ର ଅନ୍ତେବାସୀଙ୍କ ମଧ୍ୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।
ଏ ଘଟଣାରେ କଏଦୀ ତଥା ଖୋର୍ଦ୍ଧା ସହରର ପ୍ରକାଶ ନାୟକଙ୍କ ଉପରେ ଜେଲ୍ ଅନ୍ତେବାସୀଙ୍କର ସନ୍ଦେହ ହୋଇଥିଲା। ତେଣୁ, ଗତକାଲି ଅପରାହ୍ଣରେ ଜେଲ୍ ଭିତରେ ତାଙ୍କୁ ଆକ୍ରମଣ କରିବା ପାଇଁ ସଂଘବଦ୍ଧ ଯୋଜନା ହୋଇଥିଲା। ଏକୁଟିଆର ସୁଯୋଗ ନେଇ ୱାର୍ଡ ନମ୍ବର ୫କୁ ପ୍ରକାଶଙ୍କୁ ଜେଲ୍ର ମୁଷ୍ଟିମେୟ ଅନ୍ତେବାସୀ ଡାକି ନେଇଥିଲେ। ସେଠାରେ ତାଙ୍କୁ ନିର୍ଘାତ ମାଡ଼ ମାରିଥିବା ଜଣାପଡ଼ିଛି। ଜେଲ୍ରୁ ଗୁପ୍ତ ତଥ୍ୟ ନେଇ ପୁଲିସ୍କୁ ଦିଆଯାଇଛି। ଜେଲ୍ରେ ପୁଲିସ୍ର ଏଜେଣ୍ଟ୍ ସାଜିଥିବା ସନ୍ଦେହ କରି ପ୍ରକାଶଙ୍କ ଉପରକୁ ଏ ପ୍ରକାର ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଏ ସଂଘବନ୍ଧ ଆକ୍ରମଣରେ ଜେଲ୍ର ୫ରୁ ୧୦ଜଣ ଅଭିଯୁକ୍ତ କଏଦୀଙ୍କର ସମ୍ପୃକ୍ତି ଥିବା ଜେଲ୍ ସୂତ୍ରରୁ ଜଣାପଡ଼ିଛି।
Follow Us