Image Courtesy of The Times of India
ବାରିପଦା : ଗୋଶାଳାରେ ରହୁଥିବା ଗୋରୁଗାଈଙ୍କ ନିମନ୍ତେ ଘାସଚାଷ କରିବାକୁ କିଛି ସରକାରୀ ଗୋଚର ଜମି ଯୋଗାଇ ଦେବାକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ କହିଥିଲେ। ତେବେ ୬ ମାସ ପରେ ବି ପ୍ରଶାସନ ଜମି ଦେଉନଥିବାରୁ ଏହାକୁ ନେଇ ଦୁଃଖପ୍ରକାଶ କରିଥିଲେ ରାଜ୍ୟପାଳ। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ଗତ ୩ ତାରିଖରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତନାଘନା ହୋଇଥିଲା।
ଜିଲ୍ଲାପାଳ ବିନୀତ ଭରଦ୍ବାଜ ଶାମାଖୁଣ୍ଟା ତହସିଲଦାର ଓ ରାଜସ୍ବ ଅଧିକାରୀଙ୍କୁ ତାଗିଦ୍ କରି ତୁରନ୍ତ ଜମି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ଦିନ ପ୍ରଶାସନ ପକ୍ଷରୁ ଗୋଶାଳା ନିକଟସ୍ଥ ୧ ଏକର ପତିତ ଗୋଚର ଜମି ଘାସଚାଷ ପାଇଁ ଯୋଗାଇ ଦିଆଯାଇଛି। ଏଥିସହ ଗୋବରରୁ ରଙ୍ଗ ଉତ୍ପାଦନ ନିମନ୍ତେ ୨୦ ଡିସିମିଲ ଜମି ଲିଜ୍ ସୂତ୍ରରେ ଯୋଗାଇ ଦିଆଯାଇଥିବା ରଙ୍ଗାମାଟିଆ ରାଜସ୍ବ ନିରୀକ୍ଷକ ମୁକ୍ତେଶ୍ବର ବଳା କହିଛନ୍ତି। ପ୍ରଶାସନ ପକ୍ଷରୁ ଜମି ଯୋଗାଣ ନେଇ ଫୋନ୍ ଯୋଗେ ଅବଗତ କରାଯାଇଥିବା ରାଧାକୃଷ୍ଣ ଗୋସେବା ସମିତି ଦ୍ବାରା ପରିଚାଳିତ ଗୋକୁଳଧାମ ଗୁଣ୍ଡିହୁଡ଼ି ଗୋଶାଳାର ସମ୍ପାଦକ ହେମନ୍ତ ଶାହା ‘ସମ୍ବାଦ’କୁ କହିଛନ୍ତି।
ସୂଚନାଯୋଗ୍ୟ; ଗତବର୍ଷ ଅକ୍ଟୋବର ୧୪ ତାରିଖରେ ରାଜ୍ୟପାଳ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଶାମାଖୁଣ୍ଟା ବ୍ଲକ୍ର ଉକ୍ତ ଗୋଶାଳା ପରିଦର୍ଶନ କରିଥିଲେ। ଏଠାରେ ଗୋମାତାଙ୍କ ଖାଦ୍ୟ ପାଇଁ ଆବଶ୍ୟକ ମୁତାବକ ଘାସ ମିଳୁନଥିବାରୁ ସରକାରୀ ଗୋଚର ଜମିରେ ଘାସଚାଷ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ ସମିତିର କର୍ମକର୍ତ୍ତା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜିଲ୍ଲାପାଳଙ୍କୁ ଉକ୍ତ ଗୋଚର ଜମିରୁ କିଛି ଜମି ଗୋଶାଳାକୁ ଦେବା ଲାଗି କହିଥିଲେ ରାଜ୍ୟପାଳ।
Follow Us