ହୀରାକୁଦରେ ୪୦ ଗେଟ୍ ଖୋଲିବା ପରେ ସ୍ଥିତି ବେହାଲ

Advertisment
ହୀରାକୁଦରେ ୪୦ ଗେଟ୍ ଖୋଲିବା ପରେ ସ୍ଥିତି ବେହାଲ

ସମ୍ବଲପୁର: ହୀରାକୁଦର ୪୦ ଗେଟ୍‌ ଖୋଲିବା ପରେ ସମ୍ବଲପୁର ସହରର ସ୍ଥିତି ବେହାଲ ହେବା ଆରମ୍ଭ ହୋଇଛି। ସହରରେ ବନ୍ୟାଜଳ ପ୍ରବେଶ କରିବା ସହ ପଛୁଆ ପାଣିରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ୨ ଦିନ ହେବ ଛାଡ଼ି ଯାଇଥିବା ସତ୍ତ୍ବେ ସମ୍ବଲପୁର ସହର ଭିତରକୁ ଏବେ ହୀରାକୁଦର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି। ସହରର ବିଭିନ୍ନ ସ୍ଥାନରେ ପାଣି ପଶିବା ସହ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଅନେକଙ୍କୁ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ପକ୍ଷରୁ ଅନ୍ୟତ୍ର ଥଇଥାନ ମଧ୍ୟ କରାଯାଇଛି।

ସହର ଭିତରକୁ ପାଣି ପଶିବା ଭୟ ଥିବାରୁ ସହରର ଜଳ ନିଷ୍କାସନ ପଥକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ବିଭିନ୍ନ ସ୍ଥାନରେ ପମ୍ପ ଲଗାଯାଇ ପାଣି ନିଷ୍କାସନ କରାଯାଉଛି। ନିଷ୍କାସନ ପଥ ବନ୍ଦ ଥିବାରୁ ସହର ଭିତରର ପାଣି ମହାନଦୀକୁ ଯାଇ ପାରୁ ନାହିଁ। ଯେଉଁ କାରଣରୁ ପଛୁଆ ପାଣିରେ ହୀରାକୁଦ କଲୋନି ଭଳି ଅନେକ ଅଞ୍ଚଳ ବୁଡ଼ି ରହିଛି। ବୁଧବାର ସନ୍ଧ୍ୟାସୁଦ୍ଧା ମୋଟ ଉପରେ ୧୪୪୦ ଜଣଙ୍କୁ ଥଇଥାନ କରାଯାଇଥିବା ଏସ୍‌ଏମ୍‌ସି କମିସନର୍‌ ପ୍ରଦୀପ କୁମାର ସାହୁ କହିଛନ୍ତି। ହୀରାକୁଦ କଲୋନି, କମିସନର୍‌ସ କଲୋନି, ମନ୍ଦଲିଆ, ଚନ୍ଦନନଗର, ତାଲଭଟାପଡ଼ା, ପୁଟିବନ୍ଧ, ଚାରଭାଟି, ଗ୍ବାଲାପଡ଼ା, ଗୋବିନ୍ଦତୋଲା ଆଦି ଅଞ୍ଚଳ ପାଣି ଘେରରେ ଥିବାରୁ ସେଠାରୁ ଲୋକଙ୍କୁ ଥଇଥାନ କରାଯାଇଛି। ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଓ ରହିବାର ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ଅନ୍ୟପଟେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ସ୍ଥିତି ଦେଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହାଯାଇଛି।

ଭାଙ୍ଗିଲା ଘର

ବନ୍ୟା ପ୍ରଭାବରେ ତାଲଭଟାପଡ଼ାରେ କିଛି ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ହୀରାକୁଦ କଲୋନିରେ ମଧ୍ୟ ଏକାଧିକ ଘର ଭାଙ୍ଗିଛି। ତାଲଭଟାପଡ଼ାର ହରି ଯାଦବ, ଦୁର୍ଗା କୁମ୍ଭାର, ଭଗବତୀ ଲୁହା, ସତ୍ୟ ବାଗ, ପଦ୍ମ ଚତରପାଲ, ସୁଭାଷ କୁମ୍ଭାର, ବବଲୁ ବିଭାର, ଅଞ୍ଜଳି ନାଗଙ୍କ ସମେତ ଅନେକଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ସେମାନଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

ଗୁରୁବାରଠୁ ପ୍ରବଳ ବର୍ଷା, ୟଲୋ ଵାର୍ଣ୍ଣିଂ ଜାରି

ଗୁରୁବାର ଠାରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ସମ୍ବଲପୁର ଜିଲ୍ଲା ସମେତ ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲାକୁ ୟଲୋ ଵାର୍ଣ୍ଣିଂ ଜାରି କରାଯାଇଛି। ଗୁରୁବାର ଠାରୁ ଶନିବାର ଯାଏ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ବନ୍ୟା ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ରହିଛି।

ସ୍ବାଭାବିକ ହୋଇନି ସମ୍ବଲପୁର-ସୋନପୁର ରାସ୍ତା

ମାଳତୀ ଜୋର୍‌ ପୋଲ ଉପରେ ବନ୍ୟା ଜଳ ବୁଧବାର ମଧ୍ୟ ପ୍ରବାହିତ ହୋଇଥିଲା। ଯେଉଁ କାରଣରୁ ସମ୍ବଲପୁର-ସୋନପୁର ରାସ୍ତାରେ ମଧ୍ୟ ଯାତାୟାତ ସ୍ବାଭାବିକ ହୋଇ ନଥିଲା।

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରିଲିଫ୍‌ ବଣ୍ଟନ

ମହାନଦୀର ବନ୍ୟା ଜଳ ଏବେ ସହରର ବିଭିନ୍ନ ସ୍ଥାନରେ ପଶିବା ଆରମ୍ଭ କରିସାରିଲାଣି। ଅନେକ ଲୋକଙ୍କୁ ଥଇଥାନ କରାଯାଇଥିବା ବେଳେ ଅନେକ ଏବେ ପାଣି ଘେରରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଖାଦ୍ୟ, ପାନୀୟ ଓ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ମଧ୍ୟ ଏବ ଆଗକୁ ଆସିଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏବେ ରିଲିଫ୍‌ ବାଣ୍ଟିବା ଆରମ୍ଭ କରାଯାଇଛି।

ବଢ଼ୁଛି କ୍ଷତିପୂରଣ ଦାବି

ଜିଲ୍ଲା ପ୍ରଶାସନ ବା ଏସ୍‌ଏମ୍‌ସି ପକ୍ଷରୁ ନିଷ୍କାସନ ପଥ ବନ୍ଦ କରାଯିବା ନେଇ କୌଣସି ସୂଚନା ଦିଆ ନଯିବାରୁ ପଛୁଆ ପାଣିରେ ବୁଡ଼ିଯାଇଥିବା ବସ୍ତର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ରହିବା ଖାଇବା ଯଦିଓ ଏସ୍‌ଏମ୍‌ସି ପକ୍ଷରୁୁ ଦିଆଯାଉଛି ହେଲେ ସେମାନଙ୍କ ଘରେ ରହିଥିବା ହଜାର ହଜାର ଟଙ୍କାର ସାମଗ୍ରୀ, ଖାଦ୍ୟ ପଦାର୍ଥ ଆଦି ନଷ୍ଟ ହୋଇଗଲା। ତେବେ ଘରେ ଛାଡ଼ି ଆସିଥିବା ଜିନିଷଗୁଡ଼ିକ ନଷ୍ଟ ହୋଇଯାଇଛି। ତାର କ୍ଷତିପୂରଣ ଦାବହି ଏବେ ଜୋର୍‌ ଧରିଛି। ଆଗୁଆ କାହିଁକି ସୂଚନା ଦିଆଗଲା ନାହିଁ ବୋଲି ବସ୍ତି ବାସିନ୍ଦା ପ୍ରଶ୍ନ କରିବା ସହ ନଷ୍ଟ ହୋଇଥିବା ସାମଗ୍ରୀର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe