ସୁପ୍ରିମକୋର୍ଟଙ୍କ ଛାଟ ପରେ ଅକଳରେ ଓଇଆର୍‌ସି: ଏବେ ସୁଧୁରିବେ ନା କୋର୍ଟ ଅବମାନନା ସାମ୍ନା କରିବେ

Advertisment

ଓଡ଼ିଶାରେ ବିଦ୍ୟୁତ୍ ଆଇନର ଖୋଲା ଉଲ୍ଲଂଘନ, ଦର ନିର୍ଧାରଣରେ ଆୟୋଗଙ୍କ ମନମାନି ଅବ୍ୟାହତ

ଓଡ଼ିଶାରେ ବିଦ୍ୟୁତ୍ ଆଇନର ଖୋଲା ଉଲ୍ଲଂଘନ, ଦର ନିର୍ଧାରଣରେ ଆୟୋଗଙ୍କ ମନମାନି ଅବ୍ୟାହତ

ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତ ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହେବ କମିଟି

ଭୁବନେଶ୍ବର: ବହୁ ବର୍ଷୀୟ ବିଦ୍ୟୁତ ଦର ନିର୍ଧାରଣ ବ୍ୟବସ୍ଥାକୁ ଆପଣାଇବାକୁ ପଛଘୁଞ୍ଚା ଦେଉଛି ଓଡ଼ିଶା। ମୂଲ୍ୟଯୁକ୍ତ ଦର ନିର୍ଧାରଣ ନିୟମକୁ ଏଡ଼ାଇ ବେନିୟମ ଭାବେ ରାଜସ୍ୱ-ଯୁକ୍ତ ଟାରିଫ ନିର୍ଣ୍ଣୟ ପ୍ରକ୍ରିୟାକୁ ଅବଲମ୍ବନ କରୁଛନ୍ତି। କେବଳ ସେତିକି ନୁହେଁ, ବିଦ୍ୟୁତ ଦର ନିର୍ଧାରଣ ପ୍ରକ୍ରିୟାରେ ଜାତୀୟ ବିଦ୍ୟୁତ୍ ନୀତିକୁ ଦଳିଚକଟି ଦେଇ ଗ୍ରିଡ୍‌କୋ ଭଳି ପାଵାର ଟ୍ରେଡରର ସମସ୍ତ ଖର୍ଚ୍ଚକୁ ଅନୁମୋଦନ କରି ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି। ବିଦ୍ୟୁତ୍ ଦର ନିର୍ଧାରଣ କ୍ଷେତ୍ରରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କର ଏସବୁ ଉପରେ ଥିବା ବିବାଦୀୟ ଆଭିମୁଖ୍ୟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଗତବର୍ଷମାନଙ୍କରେ ବିଦ୍ୟୁତ ଦର ଶୁଣାଣି ପ୍ରକ୍ରିୟା ସମୟରେ ଏ ସଂପର୍କରେ ବାରମ୍ବାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ, ଏହାକୁ ଆୟୋଗ ବାଏଁ ବାଏଁ ଉଡ଼ାଇ ଦେଇଥିଲେ।

ଠିକ୍ ଏମିତି ସମୟରେ ବୁଧବାର ସୁପ୍ରିମକୋର୍ଟ ବିଦ୍ୟୁତ ନିୟାମକ ଆୟୋଗମାନଙ୍କୁ ଦେଇଥିବା ନିର୍ଦେଶ ବିଶେଷକରି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)କୁ ଅକଳରେ ପକାଇ ଦେଇଛି। ସଂପ୍ରତି ଓଡ଼ିଶାରେ ବିଦ୍ୟୁତ ଦର ନିର୍ଧାରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଏବେ ଓଇଆର୍‌ସି ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କିଭଳି ଗୁରୁତ୍ବ ଦେଉଛନ୍ତି, ତାହା ଉପରେ ଏବେ କୋଟିଏ ଉପଭୋକ୍ତାଙ୍କ ନଜର ରହିଛି। ଟାଟା ପାଵାର କଂପାନି ଲିମିଟେଡ୍ ବନାମ ମହାରାଷ୍ଟ୍ର ବିଦ୍ୟୁତ ନିୟାମକ ଆୟୋଗ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କର ୯୩ ପୃଷ୍ଠା ବିଶିିଷ୍ଟ ରାୟରେ ବିଦ୍ୟୁତ୍ ଦର ନିର୍ଧାରଣ ପ୍ରକ୍ରିୟାରେ ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ଦେଶର ସମସ୍ତ ବିଦ୍ୟୁତ ନିୟାମକ ଆୟୋଗଙ୍କ ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ବିଦ୍ୟୁତ ଦର ନିର୍ଧାରଣ ସଂକ୍ରାନ୍ତ ମାର୍ଗଦର୍ଶିକା ପ୍ରସ୍ତୁତ ବେଳେ ନିୟାମକ ଆୟୋଗ ଜାତୀୟ ବିଦ୍ୟୁତ୍ ଆଇନ୍, ୨୦୦୩ର ଧାରା ୬୧ରେ ଥିବା ୯େଗାଟି ସିଦ୍ଧାନ୍ତକୁ ମାନିବାକୁ ବାଧ୍ୟ। ୩ମାସ ମଧ୍ୟରେ ଦର ନିର୍ଧାରଣ ନିୟମ ପ୍ରସ୍ତୁତ କରିବାକୁ ଓଡ଼ିଶା ସମେତ ଦେଶର ସମସ୍ତ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ କହିଛନ୍ତି। ଏହାର ଉଲ୍ଲଂଘନ ଅର୍ଥ ଆୟୋଗ ଅଦାଲତ ଅବମାନନା ସାମ୍ନା କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ତେେବ ଓଡ଼ିଶା କଥା ଯଦି ବିଚାରକୁ ନିଆଯାଏ, ଏଠାରେ ବିଦ୍ୟୁତ୍ ଦର ନିର୍ଧାରଣ ପ୍ରକ୍ରିୟାରେ କେନ୍ଦ୍ରୀୟ ବିଦ୍ୟୁତ୍ ଆଇନକୁ ଖୋଲା ଉଲ୍ଲଂଘନ କରାଯାଉଛି। ଗତବର୍ଷମାନଙ୍କରେ ଏ ସଂକ୍ରାନ୍ତର ମାଳ ମାଳ ଅଭିଯୋଗ ଓଇଆର୍‌ସିଙ୍କ ସାମ୍ନାରେ ରଖିଛନ୍ତି ବିଶେଷଜ୍ଞ। ଏପରିକି କେନ୍ଦ୍ରୀୟ ବିଦ୍ୟୁତ ଆୟୋଗ ସରବରାହ ଦର ନିର୍ଧାରଣ ଲାଗି ଯେଉଁ ସୂତ୍ର ପ୍ରୟୋଗ କରନ୍ତି, ତାହାକୁ ମଧ୍ୟ ଆୟୋଗ ଅଣଦେଖା କରୁଥିବା ଉପଭୋକ୍ତାମାନେ ଆପତ୍ତି କରିଆସୁଛନ୍ତି। ହେଲେ ଏହାର କୌଣସି ପ୍ରଭାବ ଆୟୋଗଙ୍କ ଉପରେ ପଡ଼ିନାହିଁ।

ସୁପ୍ରିମକୋର୍ଟ ଆହୁରି ନିର୍ଦ୍ଦେଶ ଦେଇଛନ୍ତି ଯେ, ଟାରିଫ ନିର୍ଣ୍ଣୟ ସର୍ତ୍ତାବଳୀ ଅଧିନିୟମ ଏପରି ହେବ ଯେପରି ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ ମିଳୁଥିବ ଓ ତାର ଲାଭ ଉପୋଭୋକ୍ତା ମାନଙ୍କ ନିକଟରେ ପହଞ୍ଚିବ। ବିଦ୍ୟୁତ ଦର ନିର୍ଧାରଣ ବେଳେ ଆୟୋଗମାନେ ଏହାକୁ ନିଶ୍ଚିତ କରିବେ। ଏ କ୍ଷେତ୍ରରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସତର୍କ ଥିବା ଭଳି ମନେ ହେଉନାହିଁ। କାରଣ ଓଡ଼ିଶାରେ ବିଗତ ଦଶନ୍ଧିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟ ଆବଣ୍ଟନ ଭିତ୍ତିଭୂମିକୁ ସୁଦୃଢ ଲାଗି ପ୍ରାୟ ୨୦ ହଜାର କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହାଦ୍ବାରା ଯେଉଁ ସ୍ଥାବର ସମ୍ପତ୍ତି ସୃଷ୍ଟି ହେଲା, ସେ ସଂପତ୍ତିର ହିସାବ ଆବଣ୍ଟନ କଂପାନିମାନଙ୍କ ଖାତାରେ ନାହିଁ। ଅନ୍ୟପକ୍ଷରେ ଘରୋଇ କଂପାନିମାନେ ନିଜ ନିଜର ବାର୍ଷିକ ରାଜସ୍ବ ଆବଶ୍ୟକତା ଆବେଦନରେ ଏସବୁ ସଂପତ୍ତିର ରକ୍ଷଣାବେକ୍ଷଣ ଓ ମରାମତି ବାବଦରେ ଯେଉଁ ଦାବି କରୁଛନ୍ତି, ତାହାର ପୁଙ୍ଖାନୁପୁଙ୍ଖ ତର୍ଜମା ନ କରି ଆୟୋଗ କିପରି ସେମାନଙ୍କର ସେ ବାବଦର ପ୍ରସ୍ତାବିତ ଖର୍ଚ୍ଚକୁ ଅନୁମୋଦନ କରୁଛନ୍ତି, ତାହା ଏକ ବିରାଟ ପ୍ରଶ୍ନବାଚୀ। ମୋଟାମୋଟି ଭାବେ ରାଜ୍ୟ ପାଣ୍ଠି ଓ କେନ୍ଦ୍ରୀୟ ସହାୟତାରେ ସୃଷ୍ଟି ହୋଇଥିବା ସଂପତ୍ତିରୁ ଉପଭୋକ୍ତାମାନେ କଣ ଲାଭ ପାଉଛନ୍ତି, ତାହା କିଭଳି ଆକଳନ ହେବ? ଆହୁରି ସରଳ ଭାବେ କହିଲେ, ଏହି ପୁଞ୍ଜି ବିନିଯୋଗ ପାଇଁ ଉପୋଭୋକ୍ତାମାନେ ଆନୁପାତିକ ଲାଭ ପାଇ ନାହାନ୍ତି ବୋଲି ଯେଉଁ ଅଭିେଯାଗ ହେଉଛି, ତାହାକୁ ଟାଳି ଦେଇପାରିନାହାନ୍ତି ଆୟୋଗ।

ସେହିଭଳି ବିଦ୍ୟୁତ ଦର ନିର୍ଧାରଣ ପ୍ରକ୍ରିୟାରେ ଆହୁରି ଏକ ଅସଙ୍ଗତି ଉପଭୋକ୍ତାଙ୍କୁ ବିପୁଳ କ୍ଷତିରେ ପକାଉଛି। ପ୍ରଚଳିତ ଟାରିଫ୍‌ ଅଧିନିୟମ ଅନୁସାରେ, ଆବଣ୍ଟନ କମ୍ପାନିମାନେ ଅକ୍ଟୋବର ପ୍ରଥମ ସପ୍ତାହରେ ପୂର୍ବ ବର୍ଷର ଟ୍ରୁଇଙ୍ଗ୍ ଅପ ପାଇଁ ଆୟୋଗଙ୍କ ନିକଟରେ ଆବେଦନ କରିବେ। ଏହାକୁ ବିଚାର କରି ନଭେମ୍ବର ପ୍ରଥମ ସପ୍ତାହରେ ଆୟୋଗ ଆଦେଶ ଜାରି କରିବେ। ଆୟୋଗଙ୍କ ଆଦେଶକୁ ପାଥେୟ କରି ଆବଣ୍ଟନ କମ୍ପାନିମାନେ ଆସନ୍ତା ବର୍ଷ ପାଇଁ ନିଜ ନିଜର ସମୁଦାୟ ବାର୍ଷିକ ଆବଶ୍ୟକତା ଓ ଟାରିଫ୍‌ ସଂଶୋଧନ ପାଇଁ ଆୟୋଗଙ୍କ ନିକଟରେ ନଭେମ୍ବର ୩୦ ତାରିଖ ଭିତରେ ଆବେଦନ ପ୍ରସ୍ତାବ ଦାଖଲ କରିବା କଥା।

କିନ୍ତୁ ଓଇଆରସି ଉକ୍ତ ଅଧିନିୟମକୁ ପାଳନ ନକରି, କେବଳ ଆକଳନ ହିସାବରେ ଟାରିଫ୍‌ ନିର୍ଣ୍ଣୟ କରି ଚାଲିଛନ୍ତି। ଗତବର୍ଷ ଜନଶୁଣାଣି ବେଳେ ଟ୍ରୁଇଙ୍ଗ୍‌ ଅପ୍ ପ୍ରସଙ୍ଗରେ ତମ୍ବିତୋଫାନ ହୋଇଥିଲା। ଏଥର ମଧ୍ୟ ଯଥା ପୂର୍ବଂ ତଥା ପରଂ। ଏତେ ପରେ ବି କର୍ତ୍ତୃପକ୍ଷ ନିଜ ଦୋଷ ତ୍ରୁଟି ସୁଧାରିବା ଲାଗି ଚାହିନାହାନ୍ତି। ଏହା ପଛରେ କି ରହସ୍ୟ ରହିଛି, ତାହା ବୁଝାପଡୁନାହିଁ। ଯେହେତୁ ଓଇଆର୍‌ସି ରାଜ୍ୟ ବଜେଟକୁ ଭରସା ନ କରି ନିଜ ଖର୍ଚ୍ଚ ମେଣ୍ଟାଇବା ପାଇଁ ଘରୋଇ ବିଦ୍ୟୁତ କଂପାନିମାନଙ୍କ ଠାରୁ ବାର୍ଷିକ ଫି ଆଦାୟ କରୁଛନ୍ତି, ଟ୍ରୁଇଙ୍ଗ୍ ଅପ୍ ନ କରି ସେମାନଙ୍କୁ ପରୋକ୍ଷରେ ଅନୁଗୃହୀତ କରୁନାହାନ୍ତି ତ?

ଏସବୁ ଦ୍ବାରା ଟାରିଫ୍ ନିର୍ଧାରଣ ପ୍ରକ୍ରିୟାରେ ସ୍ବଚ୍ଛତା ଆସିଲା ବୋଲି କିଭଳି କୁହାଯିବ?

ଏସବୁ ସତ୍ତ୍ବେ ବିଳମ୍ବରେ ହେଲେ ମଧ୍ୟ ସବୁ ରାଜ୍ୟର ଟାରିଫ୍ ନିର୍ଧାରଣ ପ୍ରକ୍ରିୟାକୁ ଦକ୍ଷ ଓ ସ୍ବଚ୍ଛ କରିବା ଲାଗି ସୁପ୍ରିମକୋର୍ଟ ଯେଉଁ ନିର୍ଦେଶ ଦେଇଛନ୍ତି, ତାହା ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ଦିଗବାରିଣୀ ସଦୃଶ ହେବ ବୋଲି ସାଧାରଣ ଉପଭୋକ୍ତା ଆଶା କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe