ରାଜ୍ୟପାଳଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର ପରେ ନରମିଲେ ଜିଲ୍ଲାପାଳ, ୬ ମାସ ପରେ ଗୋଟିଏ ମଞ୍ଚରେ ‌ଏକାଠି ହେଲେ

Advertisment
ରାଜ୍ୟପାଳଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର ପରେ ନରମିଲେ ଜିଲ୍ଲାପାଳ, ୬ ମାସ ପରେ ଗୋଟିଏ ମଞ୍ଚରେ ‌ଏକାଠି ହେଲେ

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଜାଣିଶୁଣି ସରକାରୀ ବୈଠକକୁ ଆସୁନଥିବା ଅଭିଯୋଗ କରି ରାଜ୍ୟପାଳଙ୍କୁ ପତ୍ର ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ଜିଲ୍ଲାପାଳ ଶେଷ ମୁହୂର୍ତ୍ତରେ ଅନ୍ୟତ୍ର କାର୍ଯ୍ୟ ଅଛି କହି ବୈଠକକୁ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ। ଏହି ମାମଲା ରାଜ୍ୟପାଳଙ୍କ ପାଖକୁ ଯିବାପରେ ନରମିଛନ୍ତି ଜିଲ୍ଲାପାଳ। ଆଜି ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଗରିବ କଲ୍ୟାଣ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ବସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ସିମଲାରୁ ଭର୍ଚୁଆଲ ମୋଡ୍‌ରେ ସମ୍ମିଳନୀ ଉଦ୍‌ଘାଟନ କରିଥିଲେ। କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ତୃଣମୂଳସ୍ତରେ କିଭଳି ପହଞ୍ଚିବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ, ପ୍ରଧାନମନ୍ତ୍ରୀ ମୁଦ୍ରା, କିଷାନ ସମ୍ମାନ ନିଧି, ଉଜ୍ଜ୍ବଳା, ଆତ୍ମନିର୍ଭର ନିଧି, ସ୍ବଚ୍ଛ ଭାରତ, ଅଟଳ ପେନସନ୍‌ ଯୋଜନାରୁ ଜିଲ୍ଲାରେ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବଞ୍ଚିତ ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ। ଏହି ଅବସରରେ ଆବାସ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଏବଂ ଚେକ୍ ମାଧ୍ୟମରେ ଅର୍ଥରାଶି ପ୍ରଦାନ କରାଯାଇଥିଲା। ବୈଠକରେ ଜିଲ୍ଲାପାଳ ଶ୍ରୀ ଭରଦ୍ବାଜଙ୍କ ସହ ଉଦଳା ବିଧାୟକ ଭାସ୍କର ମଢ଼େଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଲେଶ୍ବର ସାଂସଦଙ୍କ ପ୍ରତିନିଧି ପ୍ରଦୀପ କୁମାର ପରିଡ଼ା, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପି. ଅନ୍ବେଷା ରେଡ୍ଡୀ, ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ପ୍ରାଶାସନିକ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ବ୍ଲକ୍‌ରୁ ଆସିଥବା ହିତାଧିକାରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ; ୬ ମାସ ହେଲା କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହୁଥିବା କୌଣସି ବୈଠକକୁ ଆସୁନଥିଲେ ଜିଲ୍ଲାପାଳ। ସେ ଜାଣିଶୁଣି ଏପରି କରିବା ସହ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତାଙ୍କ ବୈଠକକୁ ନଯିବାକୁ ତାଗିଦ୍‌ କରୁଥିବା ନେଇ ଗତ ୧୭ ତାରିଖରେ ରାଜ୍ୟପାଳଙ୍କ ନିକଟରେ ଫେରାଦ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ। ଏଥିସହିତ ପ୍ରୋଟକଲ୍‌ ମାନୁନଥିବା ଜିଲ୍ଲାପାଳଙ୍କ ବିରୋଧରେ ରାଜ୍ୟପାଳ ନିଜ ସାମ୍ବିଧାନିକ କ୍ଷମତା ପ୍ରୟୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏ କଥା ରାଜ୍ୟପାଳଙ୍କ ପାଖରେ ପହଞ୍ଚିବାର ୧୫ ଦିନ ନପୂରୁଣୁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଓ ଜିଲ୍ଲାପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe