୧୨ କିମି ଚାଲିଚାଲି ଗଲେ, ଚାଉଳ ପାଇଲେନି ଗ୍ରାମବାସୀ

Advertisment

ଇଣ୍ଟରନେଟ୍‌ ସମସ୍ୟା ଯୋଗୁ ପେଷି ହେଉଛନ୍ତି ହିତାଧିକାରୀ, ୩ ଦିନରେ ଦି’ଥର ଆସିଲେଣି

ଇଣ୍ଟରନେଟ୍‌ ସମସ୍ୟା ଯୋଗୁ ପେଷି ହେଉଛନ୍ତି ହିତାଧିକାରୀ, ୩ ଦିନରେ ଦି’ଥର ଆସିଲେଣି

୧୨ କିମି ଚାଲିଚାଲି ଗଲେ, ଚାଉଳ ପାଇଲେନି ଗ୍ରାମବାସୀ

ଜଗମୋହନପୁର : ଟଙ୍କିକିଆ ଚାଉଳକୁ ନେଇ ହିତାଧିକାରୀଙ୍କ ସମସ୍ୟାର ଅନ୍ତ ନାହିଁ। ଏବେ ନୂଆ ସମସ୍ୟା ଇଣ୍ଟରନେଟ୍‌। ଯାହାକୁ ନେଇ ଦୁର୍ଗମ ଅଞ୍ଚଳର ହିତାଧିକାରୀ ଘୋର ସମସ୍ୟାରେ ପଡ଼ିଛନ୍ତି। ଭୁକ୍ତଭୋଗୀମାନଙ୍କ ମଧ୍ୟରେ ଆଉ ଏକ ଉଦାହରଣ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଟଣ ପଞ୍ଚାୟତ ଉପରଇରିଡ଼ା ଗ୍ରାମବାସୀ।

ଟଙ୍କିକିଆ ଚାଉଳ ନେବା ପାଇଁ ଉପରଇରିଡ଼ା ଗ୍ରାମବାସୀ ଚାଲିଚାଲି ୧୨ କିମି ଦୂର ବାର୍‌ହାଦେବତା ଛକକୁ ଆସିଥିଲେ। ହେଲେ ଚାଉଳ ନ ମିଳିବାରୁ ସେମାନଙ୍କୁ ପୁଣି ଚାଲିଚାଲି ଘରକୁ ଫେରିବାକୁ ପଡ଼ିଛି। ବେଣିଡିହି ଗ୍ରାମ ନିକଟରେ ୪୦ରୁ ଅଧିକ ପୁରୁଷମହିଳା ଚାଲିଚାଲି ଯାଉଥିବା ଦେଖି ଆମ ପ୍ରତିନିଧି ସେମାନଙ୍କୁ ପଚରାଉଚରା କରିଥିଲେ। ଚାଉଳ ନେବା ପାଇଁ ଆସିଥିଲେ। କିନ୍ତୁ ନ ମିଳିବାରୁ ସେମାନେ ଖାଲି ହାତରେ ଗାଁକୁ ଫେରୁଥିବା କହିଥିଲେ।

ପ୍ରଫୁଲ୍ଲ ଦେହୁରୀ ନାମକ ଜଣେ ହିତାଧିକାରୀ କହିଥିଲେ, ଇଣ୍ଟରନେଟ୍‌ ସମସ୍ୟା ଯୋଗୁ ଟିପଚିହ୍ନ ଓ ଆଖି ସ୍କାନିଂ କରିବାରେ ସମସ୍ୟା ହେଉଛି। ତେଣୁ ଟଣ ପଞ୍ଚାୟତ କାର୍ଯ୍ୟାଳୟ ପରିବେର୍ତ୍ତ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବାର୍‌ହାଦେବତା ଛକରେ ଚାଉଳ ବଣ୍ଟନ କରାଯାଉଛି। ପାହାଡ଼ ଉପରେ ଥିବା ଉପରଇରିଡ଼ା ଗ୍ରାମକୁ ସବୁଦିନିଆ ରାସ୍ତା ନଥିବାରୁ ଗାଡ଼ିମୋଟର ଯିବା ସମ୍ଭବ ହୋଇନଥାଏ। ତେଣୁ ଗ୍ରାମବାସୀ ବ୍ରାହ୍ମଣୀଦର ନାଳ ପାର ହୋଇ ତଳଇରିଡ଼ା, ବେଣିଡ଼ିହି ଗ୍ରାମ ଦେଇ ପାଦଚଲା ରାସ୍ତାରେ ବାର୍‌ହାଦେବତା ଛକକୁ ଚାଉଳ ନେବାକୁ ଆସିଥାନ୍ତି। ଗତକାଲି ଚାଉଳ ମିଳିବ ବୋଲି ସୂଚନା ମିଳିଥିଲା। ୧୨ କିମି ରାସ୍ତା ଚାଲି ଚାଉଳ ବଣ୍ଟନ କେନ୍ଦ୍ରରେ ପହଞ୍ଚିବା‌ବେଳକୁ ସେଠାରେ କେହି ନଥିଲେ। ତେଣୁ ଖାଲି ହାତରେ ଫେରୁଛୁ ବୋଲି ପ୍ରଫୁଲ୍ଲ କହିଛନ୍ତି। ତିନିଦିନ ମଧ୍ୟରେ ସେମାନେ ଦୁଇ ଥର ଆସିଥିଲେ ମଧ୍ୟ ଚାଉଳ ମିଳୁନଥିବା ପ୍ରଫୁଲ୍ଲ କହିଛନ୍ତି।

ବାର୍‌ହାଦେବତାକୁ ଆସିବାକୁ ହେଲେ ବାଟରେ ବ୍ରାହ୍ମଣୀଦର ନାଳ ପଡ଼ୁଛି। ବର୍ଷା ହେଲେ ନାଳରେ ପାଣି ଆସିବ। ଘରେ ପହଞ୍ଚିବାରେ ସମସ୍ୟା ହେବ ବୋଲି ଢେଣା ଦେହୁରୀ କହିଛନ୍ତି। ପାଖ ଗାଁରେ ଚାଉଳ ଦିଆଗଲେ ଭଲ ହୁଅନ୍ତା ବୋଲି ବାଡ଼ି ଦେହୁରୀ, ସୂତାର ପୁହାଣ, ଧଳେନ୍ଦ୍ର ଦେହୁରୀ, ଯାଦବ ଦେହୁରୀ, ରୁଞ୍ଜ ଦେହୁରୀ, ତେଲୁ ଦେହୁରୀ, କବି ଦେହୁରୀ, ଘନ ଦେହୁରୀ, ସାଧୁବାଣୀ ଦେହୁରୀ, ଯାତ୍ରୀ ଦେହୁରୀ ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ରାସନ ବଣ୍ଟନ କରୁଥିବା ରିଟେଲର ଶୁକ୍ରୁ ଗିରିଙ୍କୁ ପଚାରିବାରୁ କହିଲେ, ସେମାନେ ଚାଉଳ ନେବାକୁ ଆସିବା ପୂର୍ବରୁ ଫୋନ୍‌ କରିଥିଲେ ଏଭଳି ଅସୁବିଧା ହୋଇନଥାନ୍ତା। କର୍ମଚାରୀ ନଥିବାରୁ ଚାଉଳ ଦିଆଯାଇ ପାରିନଥିବା ସେ କହିଛନ୍ତି। ବୀଣାପାଣି ‌ଏସ୍‌ଏଚ୍‌ଜିକୁ ଚାଉଳ ବଣ୍ଟନ ଦାୟିତ୍ବ ଦିଆଯାଇଛି। ସେ ଏହାର ପରିଚାଳନା କରୁଥିବା ଶୁକ୍ରୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe