ବାଲେଶ୍ବରରୁ ପୁଣି ୮ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ଶିକ୍ଷାନୁଷ୍ଠାନର ଜଣେ ଛାତ୍ର ଆକ୍ରାନ୍ତ

ବାଲେଶ୍ବରରୁ ପୁଣି ୮ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

World Health Organization

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରୁ ବୁଧବାର ପୁଣି ୮ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରେମୁଣାରୁ ୫ ଜଣ, ଖଇରା, ସୋର ଓ ବାଲେଶ୍ବର ସଦର ବ୍ଲକରୁ ଜଣେ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ସ୍ବିଡେନ୍‌ରୁ ଡିସେମ୍ବର ମାସ ୧୭ ତାରିଖରେ ଘରକୁ ଫେରିଥିଲେ। ଆକ୍ରାନ୍ତମାନଙ୍କର ପ୍ରଥମେ ଆଣ୍ଟିଜେନ୍ ଓ ପରେ ଆରପିଟିସିଆର୍‌ ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଓମିକ୍ରନ୍‌ ପରୀକ୍ଷା ପାଇଁ ସମସ୍ତଙ୍କର ନମୁନା ଭୁବନେଶ୍ବର ପଠାଯାଇଥିବାବେଳେ ଆଜି ରିପୋର୍ଟ ଆସିଛି।

ଓମିକ୍ରନ୍ ଆକ୍ରାନ୍ତମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥିତ କୋଭିଡ୍‌ ୱାର୍ଡକୁ ଅଣାଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କୋଭିଡ୍‌ ପରୀକ୍ଷା କରିବା ସହ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ବର ସହରର ଏକ ଶିକ୍ଷାନୁଷ୍ଠାନର ଜଣେ ଛାତ୍ର ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ଡାକ୍ତରଖାନା ପରିସରରେ ଥିବା କୋଭିଡ୍‌ ହସ୍‌ପିଟାଲରେ ୧୦୦ ଶଯ୍ୟା ରହିଛି।

ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଅଧିକ ଶଯ୍ୟାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି। ସୂଚନାଥାଉକି, ୨ ତାରିଖରେ ଜିଲ୍ଲାର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ସିମୁଳିଆ ବ୍ଲକରୁ ଚିହ୍ନଟ ହୋଇଥିଲେ। ଆଜି ସୁଦ୍ଧା ଜିଲ୍ଲାରେ ୯ ଜଣ ଓମିକ୍ରନ୍‌ ଚିହ୍ନଟ ହୋଇ ସାରିଥିବା ବେଳେ ଭୁବନେଶ୍ବରସ୍ଥିତ ପରୀକ୍ଷଣଗାରକୁ ଅଧିକ ନମୁନା ପଠାଯାଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe