ଜେଏସ୍‌ଡବ୍ଲୁ ପ୍ରକଳ୍ପ ପାଇଁ ପୁଣି ଢିଙ୍କିଆରେ ଉତ୍ତେଜନା: ପୁଲିସ-ଗ୍ରାମବାସୀ ଖଣ୍ଡଯୁଦ୍ଧ; ୧୧ ପୁଲିସ, ୭ ମହିଳା ଆହତ

Advertisment
ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ଛକାପଞ୍ଝା ଜାରି; ପୁଲିସ୍‌-ଗ୍ରାମବାସୀ ମୁହାଁମୁହଁ, ଗମ୍ଭୀର ହେଉଛି ଢିଙ୍କିଆ ପରିସ୍ଥିତି

ପ୍ରକଳ୍ପ ସପକ୍ଷବାଦୀ ପ୍ରଭାତ ରାଉତଙ୍କ ଘରେ ବୋମାମାଡ଼
ବାଉଁଶବାନ୍ଧି ଗ୍ରାମବାସୀଙ୍କ ଦ୍ୱାରା ୩ ପ୍ରବେଶପଥ ସିଲ୍‌

ଜଗତସିଂହପୁର : ଜେଏସ୍‌ଡବ୍ଲୁ ପ୍ରକଳ୍ପ ପାଇଁ ଢିଙ୍କିଆରେ ମୁହାଁମୁହିଁ ହୋଇଛନ୍ତି ପୁଲିସ ପ୍ରଶାସନ ଓ ଗ୍ରାମବାସୀ। ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଏହି ଗଣ୍ଡଗୋଳରେ ଅଭୟଚାନ୍ଦପୁର ଥାନା ଇନସପେକ୍ଟର ପ୍ରଦ୍ୟୁମ୍ନ ବେହେରାଙ୍କ ସମେତ ୧୧ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେପଟେ ପୁଲିସ ମାଡ଼ରେ ଗାଁର ୭ ଜଣ ମହିଳା ଆହତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁରେ ପୁଲିସର ପ୍ରବେଶ ଉପରେ କଟକଣା ଲଗାଯାଇଛି। ରାତି ତମାମ ବର୍ଷାରେ ଭିଜି ଗ୍ରାମବାସୀ ଗାଁର ୩ ପ୍ରବେଶପଥକୁ ବାଉଁଶ ବାନ୍ଧି ସିଲ୍‌ କରିଦେଇଛନ୍ତି। ଗାଁରେ ତୀବ୍ର ଉତ୍ତେଜନାଲାଗି ରହିଛି। ଜଗତସିଂହପୁର ଏସ୍‌ପି ଅଖିଳେଶ୍ବର ସିଂ କହିଛନ୍ତି ଯେ ପୁଲିସକୁ ଆକ୍ରମଣ କରିଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଶାସନକୁ ସମର୍ଥନ କରୁଥିବା ପ୍ରଭାତ ରାଉତ (କାଳିଆ)ଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ଏ ସଂକ୍ରାନ୍ତରେ ଖବର ମିଳିବା ପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ସେଠୀଙ୍କ ନେତୃତ୍ବରେ ତୁରନ୍ତ ପୁଲିସ ‌ଫୋର୍ସ ଗାଁକୁ ଯାଇଥିଲା। ମାତ୍ର ପୁଲିସ ଆସିବା ଖବର ପାଇ ଢିଙ୍କିଆ ଗାଁ ଲୋକ ଏକାଠି ହୋଇ ପୁଲିସକୁ ଆକ୍ରମଣ କରିଥିଲେ। ‌‌ସେମାନେ ସବଇନସପେକ୍ଟର ଆଶୁତୋଷ ହୋତାଙ୍କୁ କାବୁ କରି ନେଇ ତାଙ୍କ ପିସ୍ତଲ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏହାପରେ ଗାଁର କେତେକ ଯୁବକ ପୁଲିସ୍‌ ଉପରକୁ ଟେକା ମାଡ଼ କରିଥିଲେ। ଏଥିରେ ଥାନା ଇନସପେକ୍ଟର ଶ୍ରୀ ବେହେରାଙ୍କ ସମେତ ଥାନାର ତିନି ଜଣ ସବ୍‌ଇନସପେକ୍ଟର ଓ ୮ ଜଣ ରିଜର୍ଭ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାରେ ଥାନାରେ ୩ଟି ମାମଲା ରୁଜୁ ହୋଇଛି। ବୋମା ମାଡ଼ ହୋଇଥିବା କାଳିଆ ଓ ପୁଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଛି। ପ୍ରାୟ ୩ ଶହ ଲୋକଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି।

ଅନ୍ୟପଟେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରକଳ୍ପ ବିରୋଧୀଙ୍କ ନେତୃତ୍ବ ନେଉଥିବା ଦେବେନ୍ଦ୍ର ସ୍ବ‌ାଇଁଙ୍କୁ ଗିରଫ କରିବା ପାଇଁ ପୁଲିସ ଆସିଥିଲା। ବାତ୍ୟା ସମୟରେ ହଠାତ୍ ପୁଲିସ ଦେବେନ୍ଦ୍ରଙ୍କ ଘରେ ପହଞ୍ଚି କବାଟ ଭାଙ୍ଗିବା ବେଳେ ‌ଶଦ୍ଦ ଶୁଣି ଲୋକେ ଏକାଠି ହୋଇ ଯାଇଥି‌ଲେ। ପ୍ରଥମେ ପୁଲିସ ସେମାନଙ୍କୁ ଆକ୍ରମଣ କରିଥିଲା। ପୁଲିସ ମାଡ଼ରେ ଶାନ୍ତି ଦାସ ଓ ମଥୁରି ଦାସଙ୍କ ସମେତ ୭ ମହିଳା ଆହତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାହା ହାତ ଭାଙ୍ଗିଛି ତ କାହା ମୁଣ୍ଡରେ ଆଘାତ ଲାଗିଛି। ପୁଲିସ ଗିରଫଦାରୀ ଭୟରେ ସେମାନେ ଚିକିତ୍ସା ପାଇଁ ବାହାରକୁ ମଧ୍ୟ ଯାଇପାରୁ ନାହାନ୍ତି। ଶନିବାର ସକାଳୁ ଶତାଧିକ ଗ୍ରାମବାସୀ ଫୁଲଖାଇ ମନ୍ଦିର ନିକଟରେ ଏକାଠି ହୋଇ ପୁଲିସର ଏହି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରିଥିଲେ। ସେମାନେ ଗାଁରେ ପୁଲିସକୁ ପୂରାଇ ନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗାଁର ୩ ପାର୍ଶ୍ବ ପ୍ରବେଶପଥ ପାଟଣା, ତ୍ରିଲୋଚନପୁର ଓ ମାହାଳ ନିକଟରେ ବାଉଁଶ ବାନ୍ଧି ରାସ୍ତାକୁ ସିଲ୍ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe