ଢିଙ୍କିଆରେ ପୁଲିସର ପୁଣି ଗିରଫଦାରୀ, ପୁଲିସକୁ ଆକ୍ରମଣ ମାମଲାରେ ୪ ଗିରଫ

Advertisment
ଢିଙ୍କିଆରେ ପୁଲିସର ପୁଣି ଗିରଫଦାରୀ, ପୁଲିସକୁ ଆକ୍ରମଣ ମାମଲାରେ ୪ ଗିରଫ

ଆଗରୁ ଗିରଫ କରାଯିବନି ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା
ଏସ୍‌ପି କହିଲେ, ଶାନ୍ତି ଭଙ୍ଗ କଲେ କାହାକୁ ବି ଛଡ଼ାଯିବନି

ଜଗତସିଂହପୁର : କିଛିଦିନର ବ୍ୟବଧାନ ପରେ ଜଗତ୍‌ସିଂହପୁରର ଢିଙ୍କିଆରେ ପୁଲିସ୍‌ ପକ୍ଷରୁ ପୁଣିଥରେ ଗିରଫଦାରୀ ଆରମ୍ଭ ହୋଇଛି। ଗତକାଲି ଅଭୟଚାନ୍ଦପୁର ଥାନା ପୁଲିସ ପୁରୁଣା ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ; ପୂର୍ବତନ ସମିତି ସଭ୍ୟ ତଥା ପ୍ରକଳ୍ପ ବିରୋଧରେ ସ୍ବର ଉଠାଉଥିବା ପ୍ରକାଶ ଜେନା, ରୋଜାଲିନ ଦାସ, ନିର୍ମଳା ଦାସ ଓ କୈଳାସ କାଣ୍ଡି। ମାହାଳ ନିକଟରେ ରାଜସ୍ବ ଗାଁ ସୀମା ନିର୍ଦ୍ଧାରଣ ସମୟରେ ହୋଇଥିବା ପୁଲିସକୁ ଟେକାମାଡ଼ ଅଭିଯୋଗରେ ସମ୍ପୃକ୍ତି ଥିବା ଦର୍ଶାଇ ପ୍ରକାଶଙ୍କୁ ଗିରଫ କରାଯାଇଛି। ପୂର୍ବତନ ଥାନା ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ବେହେରାଙ୍କୁ ଆକ୍ରମଣ ମାମଲାରେ ଅନ୍ୟ ତିନିଜଣଙ୍କୁ ଗିରଫ କରାଯାଇଛି। ହଠାତ୍ ରାତିଅଧିଆ ଏହି ଗିରଫଦାରୀକୁ ନେଇ ଜୋରଦାର ଚର୍ଚ୍ଚା ଜୋର୍‌ ଧରିଛି। ଏହି ଘଟଣା ବି ପ୍ରକଳ୍ପ ଓ ପ୍ରଶାସନ ବିରୋଧରେ ମେଳି ବାନ୍ଧିବାକୁ ପ୍ରୟାସ କରୁଥିବା ଆନ୍ଦୋଳନକାରୀଙ୍କ ମଧ୍ୟରେ ଛନକା ଖେଳାଇଦେଇଛି। ଏହି ଘଟଣା ପରେ ଆନ୍ଦୋଳନକାରୀଙ୍କ ପ୍ରତି ପ୍ରଶାସନର ଆଭିମୁଖ୍ୟ ପୁଣିଥରେ ଅସ୍ପଷ୍ଟ ହୋଇଯାଇଛି।

ଗତ ମକର ସଂକ୍ରାନ୍ତି ଦିନ ଢିଙ୍କିଆରେ ପଶି ପୁଲିସ ଲାଠିଚାର୍ଜ କରିବା ସହ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା। ସେହିଦିନଠାରୁ ଆଉ କୌଣସି ଆନ୍ଦୋଳନ ମୁଣ୍ଡ ଟେକିନଥିବାବେଳେ ଏବେବି କିଛି ଆନ୍ଦୋଳନକାରୀ ଘରକୁ ନ ଫେରି ଜଙ୍ଗଲରେ ଲୁଚି ରହିଛନ୍ତି। ଏସ୍‌ପି ଅଖିଳେଶ୍ବର ସିଂ ବାହାରେ ଲୁଚିଥିବା ଗ୍ରାମବାସୀଙ୍କୁ ଗାଁକୁ ଫେରି ଆସିବା ପାଇଁ ବାରମ୍ବାର ନିବେଦନ କରୁଛନ୍ତି। ଆଦୌ ଗିରଫଦାରୀ କରାଯିବ ନାହିଁ ବୋଲି ଗଣମାଧ୍ୟମ ଜରିଆରେ ପ୍ରତିଶ୍ରୁତି ବି ଦେଉଛନ୍ତି। ଏଥିସହିତ, ଯାହାବି କିଛି ସମସ୍ୟା ରହିଛି ଜିଲ୍ଲା ପ୍ରଶାସନ ସହ ଖୋଲାଖୋଲି ଆଲୋଚନା କରିବା ପାଇଁ ଆହ୍ବାନ ବି ଦେଇଛନ୍ତି। ତେବେ, ଏହାର କିଛିଦିନ ପରେ ପୁଣିଥରେ ଗିରଫଦାରୀ ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। କିଛି ସ୍ଥାନୀୟଲୋକ କହିଛନ୍ତି ଯେ ପୁଲିସ ନିଜ ପ୍ରତିଶ୍ରୁତି ପାଳନ କରୁ ନାହିଁ। ଏମିତିକି ବର୍ତ୍ତମାନ ପଞ୍ଚାୟନ ନିର୍ବାଚନ ଚାଲିଥିବାରୁ ଏହାକୁ ସେମାନେ ପ୍ରସଙ୍ଗ କରିବାକୁ ମଧ୍ୟ ଯୋଜନା କରିଥିବା ଜଣାପଡ଼ିଛି।

ଅନ୍ୟପଟେ ପୁଲିସ ବିରୋଧରେ ଏମିତି ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି ଏସପି ଅଖିଳେଶ୍ବର ସିଂ। ସେ କହିଛନ୍ତି ଯେ, ଗତକାଲି ଗିରଫ କରାଯାଇଥିବା ବ୍ୟକ୍ତିମାନେ ଏବେ ବି ଲୋକମାନଙ୍କୁ ପୁଲିସ ଓ ପ୍ରଶାସନ ବିରୋଧରେ ମତାଇ ଶାନ୍ତ ପରିବେଶକୁ ବିଗାଡ଼ିବା ପାଇଁ ପ୍ରୟାସ କରୁଛନ୍ତି। କିଛିଦିନ ତଳେ ପାରାଦୀପରେ କରିଥିବା ବୈଠକ‌ରେ ଯୋଗ ଦେଇଥିବା ଢିଙ୍କିଆର ୫୦ ଜଣ ମୁରବି ଶ୍ରେଣୀର ଲୋକଙ୍କୁ ଏହି ପରାମର୍ଶ ଦିଆଯାଇଥିଲା। ସବୁ କିଛି ଶାନ୍ତିପୂର୍ଣ୍ଣ ଶୈଳୀରେ କରାଯିବା ଆବଶ୍ୟକ ବୋଲି ଏସ୍‌ପି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe