ପୁଣି ରେଡ୍ କରିଡର୍‌ରେ ଘୁମୁସର ବନଖଣ୍ଡ; ସିର୍ଲା, ସିର୍କି ଏନ୍‌କାଉଣ୍ଟର୍‌ ପରେ ଲାଲ୍‌ବାହିନୀ ଗଞ୍ଜାମ ସୀମାନ୍ତ ମୁହାଁ

Advertisment
ମାଓପ୍ରବଣ ଜିଲ୍ଲା ତାଲିକାରେ ଓଡ଼ିଶାର ୧୫

The Indian Express

ଭଞ୍ଜନଗର : ରେଡ୍‌ କରିଡର‌୍‌ରେ ପୁଣି ଓଡ଼ିଶାର ସବୁଠୁ ବଡ଼ ବନଖଣ୍ତ ଘୁମୁସର ଅଞ୍ଚଳ। ଗତକାଲି ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ମାଓବାଦୀ-ପୁଲିସ ବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ଘୁମୁସର ବନଖଣ୍ଡରେ ଲାଲ୍‌ ବାହିନୀର ଗତିବିଧିକୁ ନେଇ ଚିତ୍ର ଏକ ପ୍ରକାର ସ୍ପଷ୍ଟ ହୋଇଛି। କନ୍ଧମାଳ ଜିଲ୍ଲାକୁ ଲାଲ୍‌ ବାହିନୀ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଥିଲେ। ହେଲେ ଗତ କିଛି ମାସ ହେଲା କନ୍ଧମାଳରେ ପୁଲିସର ଜୋର୍‌ଦାର କମ୍ବିଂ ଏବଂ ସିର୍ଲା ଓ ସିର୍କି ଜଙ୍ଗଲରେ ପୁଲିସ ସହ ଗୁଳି ବିନିମୟରେ ୧୧ ଜଣ ମାଓବାଦୀ ନିହତ ହେବା ସେମାନଙ୍କ ଶିବିର ପାଇଁ ଏକ ବିରାଟ ଝଟ୍‌କା ‌ହୋଇଛି। ଫଳରେ ପୂରା ପଲ୍‌ଟଣ ଛତ୍ରଭଙ୍ଗ ଦେଇଥିଲେ। ଏବେ ଧୀରେ ଧୀରେ ପୁଣି ସଂଗଠିତ ହୋଇ ଘୁମୁସୁର ବନଖଣ୍ଡ ଇଲାକାକୁ ସୁରକ୍ଷିତ ଅଞ୍ଚଳ ଭାବେ ବାଛିଛନ୍ତି। ଆଉ ଏହି ଜଙ୍ଗଲକୁ ବର୍ତ୍ତମାନ ସୁରକ୍ଷିତ ଆଶ୍ରୟସ୍ଥଳୀ କରିବା ସହ ଆସ୍ଥାନ ଜମାଇଥିବା ଅନୁମାନ କରାଯାଉଛି।

ଘୁମୁସର ସୀମାନ୍ତକୁ କନ୍ଧମାଳ, ଗଜପତି, କଳାହାଣ୍ତି, ରାୟଗଡ଼ା, ନୟାଗଡ଼ ସଂଯୋଗ କରୁଛି। ଏଥି ସହ ଛତିଶଗଡ଼ ଜଙ୍ଗଲ ଲାଗିଥିବାରୁ ଏହି ଜଙ୍ଗଲକୁ ମାଓବାଦୀମାନେ ସେମାନଙ୍କ ଯାତାୟାତ ପାଇଁ ସୁରକ୍ଷିତ କରିଡର୍ ଭାବେ ବ୍ୟବହାର କରୁଥିଲେ। ତେବେ ବିଗତ କିଛି ବ‌ର୍ଷ ହେବ ଗଞ୍ଜାମ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଏକ ପ୍ରକାର ସୁପ୍ତ ସ୍ଥିତିକୁ ଆସି ଯାଇଥିଲା। କିନ୍ତୁ ପୁଣି ମାଓବାଦୀଙ୍କ ଉପସ୍ଥିତି ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ୍ ପାଲଟିଛି। ଏହି ଅଞ୍ଚଳରେ ସେମାନେ ନିଜର କାର୍ଯ୍ୟକଳାପ ବଢ଼ାଇବା ସହ ସହ କୌଣସି ବଡ଼ ଧରଣର ଅଘଟଣ ଘଟାଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।

publive-image The Tribune

ରାଜ୍ୟରେ ବର୍ତ୍ତମାନ ୧୦ଟି ଜିଲ୍ଲାକୁ ମାଓପ୍ରବଣ ଇଲାକା ଭାବେ ଘୋଷଣା କରା ଯାଇଛି। ସେଥିରେ ଗଞ୍ଜାମ ଜିଲ୍ଲାର ସ୍ଥାନ ନାହିଁ। କନ୍ଧମାଳ ସୀମାନ୍ତବର୍ତ୍ତୀ ଘୁମୁସର ବନଖଣ୍ଡ ଇଲାକା ଓ ଜଙ୍ଗଲ ଗୁଡ଼ିକରେ ପୂର୍ବରୁ ଛତିଶଗଡ଼ି ଏବଂ ଆନ୍ଧ୍ରପ୍ରଦେଶ ମାଓବାଦୀଙ୍କ ଚଳପ୍ରଚଳ ରହୁଥିବା ଖବର ମିଳୁଥିଲା। କିନ୍ତୁ ବହୁ ବର୍ଷ ହେବ ମାଓବାଦୀଙ୍କ ସେମିତି ଗତିବିଧି ନାହିଁ।

ପୂର୍ବରୁ ମାଓବାଦୀ ଯେଉଁସବୁ ହିଂସାକାଣ୍ଡ ଘଟାଇଥିଲେ, ସେଥିମଧ୍ୟରୁ ୨୦୦୮ ମସିହା ଫେବ୍ରୁଆରି ୧୫ରେ ଓଡ଼ିଶା ଇତିହାସର ସବୁଠାରୁ ମାଓ ବର୍ବରତା 'ଅପରେସନ୍‌ ରୋପ୍‌ୱେ'କୁ ଲାଲ୍‌ବାହିନୀ ରୂପ ଦେଇଥିଲା। ଶତାଧିକ ମାଓବାଦୀ ନୟାଗଡ଼ ଅସ୍ତ୍ରାଗାର ଲୁଟିବା ପରେ ଦଶପଲ୍ଲା ଓ ନୂଆଗାଁ ଥାନା ଉପରେ ସଶସ୍ତ୍ର ଆକ୍ରମଣ କରିଥିଲେ। ଆଉ ଏହା ପରେ ଗଞ୍ଜାମ ଜିଲ୍ଲା ମୁହାଁ ହୋଇଥିଲେ। ଭଞ୍ଜନଗର ବ୍ଲକ୍ ଗାଲେରୀ ଫାଣ୍ଡିକୁ ଉଡ଼ାଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ‌ବେଳେ ଅପହଞ୍ଚ ଗସ୍‌ମାହାରେ ମାଓବାଦୀ-ପୁଲିସ ସମ୍ମୁଖ ଯୁଦ୍ଧ ହୋଇଥିଲା। ଏଥିରେ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ସମେତ ତିନି ପୁଲିସ କର୍ମଚାରୀ ସହିଦ ହୋଇଥିବା ‌ବେଳେ ଅନେକ ମାଓବାଦୀ ନିହତ ହୋଇଥିଲେ। ଏହି ଘଟଣା ପରଠୁ ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଘୁମୁସର ଜଙ୍ଗଲକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଥିଲେ। ୨୦୦୮ରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା, ୨୦୧୦ରେ ସୋରଡ଼ା ଥାନା ଗାଜଲବାଡ଼ି ଏବଂ ଅସୁରବନ୍ଧ ଠାରେ ମୋବାଇଲ ଟାୱାର୍ ପୋଡ଼ି, ଭଞ୍ଜନଗର ବ୍ଲକ୍ ଉପାନ୍ତ ବାଇବିଲି ଓ ବିରିକୋଟ ନିକଟରେ ମାଓବାଦୀ ମାନେ ଜଣେ ଠିକାଦାରଙ୍କ ଜେସିବିକୁ ପୋଡ଼ିବା ମାଓବାଦୀଙ୍କ ଉପସ୍ଥିତିକୁ ଜାହିର୍ କରିଥିଲା। ମାଓନେତା ସବ୍ୟସାଚୀ ପଣ୍ତା ସଂଗଠନ ଗଢ଼ି ରାୟଗଡା ଜିଲ୍ଲାରୁ କଳାହାଣ୍ତି, ନଳଆପଡା, କନ୍ଧମାଳ, ଗଞ୍ଜାମ ସହ ନୟାଗଡ଼ ଜିଲ୍ଲାରେ ସ୍ଥିତିକୁ ଜାହିର କରିଥିଲେ। ଆଉ ୨୦୧୨ ମସିହାରେ ସୋରଡ଼ା ବ୍ଲକ୍ ଗାଜଲବାଡ଼ି ଓ କନ୍ଧମାଳର ଦାରିଙ୍ଗବାଡ଼ି ଅଞ୍ଚଳ ବୁଲିବାକୁ ଆସିଥିବା ଦୁଇ ଇଟାଲୀୟ ନାଗରିକ ବସୁସ୍ କୋ ପାଓଲୋ ଏବଂ କ୍ଳାଉଡିଓ କୋଲାନଜିଲୋଙ୍କୁ ମାଓବାଦୀମାନେ ଅପହରଣ କରିନେବା ଘଟଣା ସାରା ବିଶ୍ବରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ୧୧ ଦିନ ପରେ କ୍ଲାଉଡିଓଙ୍କୁ ଓ ୨୯ ଦିନ ପରେ ପାଓଲୋଙ୍କୁ ମାଓବାଦୀ ମାନେ ଛାଡ଼ିଥିଲେ। ଏହି ଘଟଣା ପରେ ସମସ୍ତଙ୍କ ନଜର ଘୁମୁସର ବନଖଣ୍ଡ ଉପରେ କେନ୍ଦ୍ରୀଭୂତ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe