ଚିନ୍ତା ବଢ଼ାଇଲା କରୋନା, ସୁସ୍ଥ ହେବାର ଦୁଇ ମାସ ପରେ ପୁଣି ସଂକ୍ରମିତ

ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସଂକ୍ରମଣର ୨ମାସ ପରେ ବି ତିଆରି ହେଉନି ଆଣ୍ଟିବଡି

ଚିନ୍ତା ବଢ଼ାଇଲା କରୋନା, ସୁସ୍ଥ ହେବାର ଦୁଇ ମାସ ପରେ ପୁଣି ସଂକ୍ରମିତ

image source--long island press

କଟକ: ପୁଣି ନୂଆ ଢଙ୍ଗରେ ଡରାଇଲାଣି କରୋନା। କରୋନାରୁ ସୁସ୍ଥ ହେବା ପରେ ବି ପୁଣି ଦ୍ବିତୀୟ ଥର ସଂକ୍ରମଣର ଆଶଙ୍କା ରହୁଛି। କଟକରେ ଏଭଳି ଏବେ ୪ଟି ଘଟଣା ସାମନାକୁ ଆସିବା ପରେ ଉଭୟ ବି‌ଶେଷଜ୍ଞ ଓ ସଂକ୍ରମିତଙ୍କ ଚିନ୍ତା ବଢିଛି। କେତେକ ବିଶେଷଜ୍ଞଙ୍କ ମତରେ ଏଭଳି ଘଟଣା ଉଭୟ କଟକ ଓ ଭୁବନେଶ୍ବରରେ ସାମନାକୁ ଆସିଲାଣି। ଅବଶ୍ୟ ସ୍ବାସ୍ଥ୍ୟ ବିଭାଗ ନିକଟରେ ରାଜ୍ୟରେ ଏଭଳି ଦ୍ବିତୀୟ ବାର ସଂକ୍ରମିତଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ଓ ସୂଚନା ନଥିବା କୁହାଯାଉଛି। ଥରେ କରୋନାରୁ ସୁସ୍ଥ ହେଲେ ଯେ, ଉକ୍ତ ବ୍ୟକ୍ତି ପୁଣି ଥରେ କରୋନା ସଂକ୍ରମିତ ନହେବ ତାହାର କିଛି ଗ୍ୟାରେଣ୍ଟି ନାହିଁ ବୋଲି ଅନେକ ବିଶେଷଜ୍ଞ ଏବେ ମତ ଦେଉଥିବାବେଳେ ଡବ୍ଲୁଏଚ୍‌ଓ କିନ୍ତୁ ପୁନଃସଂକ୍ରମଣର ସଂଖ୍ୟା କମ୍‌ ରହିଥିବା ରିପୋର୍ଟ ଦେଇଛି।

କଟକରେ ଏବେ ୪ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବାର ପୁଣି ଦେଢ ମାସ, ୨ ମାସ ପରେ ୨ୟ ଥର ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ଡାକ୍ତର ଅଛନ୍ତି। ଦ୍ବିତୀୟ ଥର ସଂକ୍ରମଣ ଜଣା ପଡିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ବରରେ ମଧ୍ୟ ଏଭଳି ୩ ଜଣ କରୋନାରୁ ସୁସ୍ଥ ହେବା ପରେ ପୁଣିଥରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ସଂପର୍କରେ କଟକ କୋଭିଡ୍‌ ନୋଡାଲ ଅଫିସର ତଥା ଏଡିଏମ୍‌ଓ ଡାକ୍ତର ଉମେଶ ରାୟ କହିଛନ୍ତି ଯେ ଯେଉଁମାନଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇନଥାଏ, ସେମାନଙ୍କ କ୍ଷେତ୍ରରେ ଏଭଳି ପୁନଃ ସଂକ୍ରମଣ ଆଶଙ୍କା ରହୁଛି। ସେମାନେ ପୁଣି ଥରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ଏବଂ ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ସେମାନେ ପୁନଃ ସଂକ୍ରମିତ ହେଉଛନ୍ତି। ଶରୀରରେ ତିଆରି ହେଉଥିବା ଆଣ୍ଟିବଡି ୨/୩ ମାସରେ ସରିଯାଏ । ଯାହାକି ପୁଣି ଥରେ ପୁନଃ ସଂକ୍ରମଣ ଆଶଙ୍କାକୁ ବଢାଇ ଦେଉଛି ବୋଲି ଶ୍ରୀ ରାୟ କହିଛନ୍ତି। ଅନ୍ୟପଟେ ନିକଟରେ ହୋଇଥିବା ସେରୋ ସର୍ଭେରୁ ‌କରୋନାରୁ ସୁସ୍ଥ ହୋଇଥିବା କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ୨ ମାସ ପରେ ବି ଆଣ୍ଟିବଡି ଶରୀରରେ ତିଆରି ହୋଇ ନଥିବା ଜଣା ପଡିଛି। ଭେଣ୍ଟିଲେଟରରେ ରହି ଚିକିତ୍ସା ପରେ ସୁସ୍ଥ ହୋଇଥିବା କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ରିପୋର୍ଟ ଆସିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe