ଆସୁଛି ଆଉ ଏକ ଲଘୁଚାପ, ୧୦ରୁ ପ୍ରବଳ ବର୍ଷିବ

Advertisment
ଆଜି ବିଦାୟ ନେବ ମୌସୁମୀ, ଏଥର ୪% ଅଧିକ ବର୍ଷିଲା

republicworld.com

ଭୁବନେଶ୍ବର: ଅକ୍ଟୋବର ପହିଲାରୁ ଲଘୁଚାପ ଯୋଗୁଁ ଲାଗି ରହିଥିବା ବର୍ଷାରେ ଏବେ ବିରାମ ଲାଗିଛି। ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। କାଁ ଭାଁ କେତେକ ସ୍ଥାନରେ ବର୍ଷା ହୋଇପାରେ। କିନ୍ତୁ ୧୦ ତାରିଖରୁ ପୁଣି ଥରେ ରାଜ୍ୟବ୍ୟାପୀ ବର୍ଷା ଆରମ୍ଭ ହୋଇଯିବ। ଥାଇଲାଣ୍ଡ ଉପକୂଳ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ଥରେ ବର୍ଷା ଆରମ୍ଭ ହେବ। ଅ‌ନ୍ୟପଟେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ଆଜି ରାଜସ୍ଥାନର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଅପସରି ଯାଇଥିବା ବେଳେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ଆଉ କିଛି ଅଞ୍ଚଳ ସମେତ ଗୁଜରାଟର ଅନେକାଂଶ ଓ ଉତ୍ତର ଆରବ ସାଗରର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ଓଡ଼ିଶା ଉପକୂଳରେ ରହିଥିବା ଲଘୁଚାପବଳୟ ଧୀରେଧୀରେ ଅସ୍ପଷ୍ଟ ହେବାରେ ଲାଗିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ଏବେ ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ରହିଛି। ଫଳରେ ଲଘୁଚାପର ପ୍ରଭାବ ଆଉ ରାଜ୍ୟରେ ଅନୁଭୂତ ହେବ ନାହିଁ। ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ କମିବ। ୭ ତାରିଖ ଦିନ କିଛି କିଛି ସ୍ଥାନରେ ବର୍ଷା ହେବ। ତେବେ ଏହି ସମୟରେ ଦ୍ବୈତନଗରୀର ଆକାଶ ମେଘାଚ୍ଛନ୍ନ ରହିବ। କେ‌ତେକ ସ୍ଥାନରେ ସ୍ବଳ୍ପ ବର୍ଷା ବି ହୋଇପାରେ। କିନ୍ତୁ ୮ ଓ ୯ ତାରିଖ ରାଜ୍ୟରେ ବିଶେ‌ଷ ବର୍ଷା ନାହିଁ।

୧୦ ତାରିଖ ଆଡ଼କୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବି‌ଶେଷକରି ଉପକୂଳ ଓଡ଼ିଶାରେ ବେଶି ବର୍ଷା ହେବାର ସମ୍ଭ‌ାବନା ରହିଛି। ଏହାପରେ ଧୀରେ ଧୀରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ୯ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ଏହାର ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପ୍ରଭାବରେ ରାଜ୍ୟରେ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। ବର୍ତ୍ତମାନ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ବି ଯାଇଛନ୍ତି, ଆସନ୍ତା ୧୦ ତାରିଖ ସୁଦ୍ଧା ଫେରିଆସିବାକୁ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି ବୋଲି ଶ୍ରୀ ବିଶ୍ବାସ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ‌ରେ ବର୍ଷା ହୋଇଯାଇଛି। ସର୍ବାଧିକ ୪୧.୦ ମିମି ବର୍ଷା ମୟୂରଭଂଜ ଜିଲ୍ଲା ଜୟପୁରରେ ହୋଇଯାଇଛି। ଏହା ପଛକୁ ମାଲକାନଗିରି ଜିଲ୍ଲା ମଥିଲିରେ ୩୮.୦ ମିମି ଓ କଟକ ସାଲେପୁରରେ ୩୪.୬ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe