ପୁଣି ଧମକାଇଲା ସଂଘ: ଡିସେମ୍ବର ୧ରୁ ଘରୋଇ ବସ୍‌ ବନ୍ଦ, ୨୨ରେ ବିଧାନସଭା ଆଗରେ ଧାରଣା

୨୨ରେ ବିଧାନସଭା ଘେରିବେ ଘରୋଇ ବସ୍‌ ମାଲିକ

pragativadi

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବୁଧବାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଲକ୍ଷ୍ମୀ ବସ୍‌ ଚଳାଚଳ କ୍ଷେତ୍ରରେ ଘରୋଇ ପରିବହନ ପ୍ରତି ବୈମାତୃକଭାବ ପୋଷଣ କରାଯାଇଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରାଯାଇଛି। ଅଭିଯୋଗ କରାଯାଇଛି ଯେ ମୋ ବସ ଚଳାଚଳ କ୍ଷେତ୍ରରେ କୌଣସି ନୀତି ନିୟମ କାର୍ଯ୍ୟକାରୀ ହେଉନାହିଁ। କେବଳ ସହରାଞ୍ଚଳରେ ଚାଲିବାକୁ ଥିବାରୁ ତାହା ଅନ୍ୟାନ୍ୟ ରୁଟ୍‌ରେ ଚଳାଚଳ କରିବାରୁ ଘରୋଇ ସଂସ୍ଥା ଗୁଡିକ ଅନେକ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି। ତେଣୁ ଲକ୍ଷ୍ମୀ ଯୋଜନାରେ ବ୍ଲକ୍‌ରୁ ଜିଲ୍ଲା ସଦର ମହକୁମାକୁ ବସ୍‌ ଚଳାଚଳ ନ କରିବା, ଯେଉଁ ବ୍ଲକ୍‌ ମହକୁମାରୁ ସହରାଞ୍ଚଳରେ ଥିବା ଏନ୍‌ଏସି ପରିସୀମା ମଧ୍ୟରେ ଥିବା ଏବଂ ସେହି ରୁଟ୍‌ରେ ଘରୋଇ ବସ୍‌ ଚାଲୁଥିବ ତାହା କ୍ଷତିର ଭରଣ କରାଯାଉ, ଯାତ୍ରୀ ଭଡ଼ା ସମସ୍ତ ବର୍ଗର ଯାତ୍ରୀମାନଙ୍କ ପାଇଁ ସମାନ କରାଯାଉ, ଏଥିରେ ଲକ୍ଷ୍ମୀ ବସ୍‌ ବା ଘରୋଇ ବସ ମଧ୍ୟରେ ତାରତମ୍ୟ ନ କରାଯାଉ, ଯାତ୍ରୀ ମାନଙ୍କୁ ରିହାତି କୁପନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉ, କ୍ଷତିଗ୍ରସ୍ତ ହେଉଥିବା ବସ୍‌ ମାଲିକମାନଙ୍କୁ ଅତିରିକ୍ତ ଏମ୍‌ଭି ଟ୍ୟାକ୍ସ ଛାଡ଼ କରାଯାଉ ବୋଲି ଦାବି ରଖିଥିଲେ। ଏହି ଦାବି ନେଇ ଆସନ୍ତା ୨୨ ତାରିଖରେ ରାଜଧାନୀରେ ଏକ ବିଶାଳ ସମାବେଶ କରାଯାଇ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। କୌଣସି ରାଜନୈତିକ ଦଳକୁ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଘରୋଇ ବସ ଯୋଗାଇ ଦିଆଯିବ ନାହିଁ।

ରାଜନୈତିକ ଅଭିସନ୍ଧି ଥିବା କୌଣସି ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗାଇ ଦିଆଯିବ ନାହିଁ। ଏହି ଦାବି ଗୁଡ଼ିକର ବିଚାର ନ ହେଲେ ଆସନ୍ତା ଡିସେମ୍ବର ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ବୈଠକରେ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ, କଳାହାଣ୍ଡି ସଙ୍ଘର ସଭାପତି ପ୍ରବୋଧ ରଥ, ସମ୍ପାଦକ ସୁବାସ ଚନ୍ଦ୍ର ପଣ୍ଡା, ମାନସ ଦାସ, ଧବଳେଶ୍ବର ମହାପାତ୍ର, ପ୍ରବୀଣ ଖମାରୀ, ସନ୍ଦୀପ ଦାସ, ସତ୍ୟ ରଥ, ମୋହିତ ଦାସ, ବୀର ପ୍ରହରାଜ, ଟୁନା ପଟ୍ଟନାୟକଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe