Image Courtesy of Zee News
ଭୁବନେଶ୍ବର : ବାତ୍ୟା ‘ୟାସ୍’ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିବା ବେଳେ ଗତକାଲି ବିହାର ଓ ସଂଲଗ୍ନ ପୂର୍ବ ଉତ୍ତରପ୍ରଦେଶ ଉପରେ ଏହା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଭାବେ ରହିଥିଲା। ଏବେ ଏହା ପୂର୍ବ ଉତ୍ତରପ୍ରଦେଶ ଓ ସଂଲଗ୍ନ ବିହାରର ପୂର୍ବ ଭାଗରେ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିମି ଉଚ୍ଚତାରେ ରହିଛି। ଏହା ଧୀରେଧୀରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଓ ଆସନ୍ତା ୧୨ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ଅନ୍ୟପଟେ କେରଳରେ ମୌସୁମୀ ସକ୍ରିୟ ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହେବାରେ ଲାଗିଛି। ଆଉ ୩ ଦିନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ରାଜ୍ୟରେ ଏବେ ପାଗ ଶୁଖିଲା ରହିଥିବା ବେଳେ ଆସନ୍ତା ୩୦ ତାରିଖରୁ କାଳବୈଶାଖୀ ଆରମ୍ଭ ହୋଇଯିବ।
ସେହିଭଳି ବାତ୍ୟା ‘ୟାସ୍’ ଓଡ଼ିଶାରୁ ଯିବା ପରେ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିଛି। ଶୁକ୍ରବାର ସାରା ରାଜ୍ୟରେ ଖରାଟିଆ ପାଗ ଦେଖାଯାଇଥିଲା। ଆଜି ମଧ୍ୟ ଆକାଶ ନିର୍ମଳ ରହିବା ସହ ପାଗ ଖରାଟିଆ ରହିବ। ୩୦ତାରିଖରୁ ରାଜ୍ୟରେ କ୍ରମାଗତ ଭାବେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଯିବ। ୩୦ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ।
ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ୩୧ ତାରିଖ ଦିନ ଏବଂ ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ଗଜପତି ଆଦି ଜିଲ୍ଲାରେ ଜୁନ୍ ୧ ତାରିଖ ଦିନ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଦୁଇ ଦିନ ମଧ୍ୟ ପବନର ବେଗ ଖୁବ୍ ଅଧିକ ରହିବ। ପ୍ରାୟ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ କେନ୍ଦ୍ର ପକ୍ଷରୁ ଏହି ୩ ଦିନ ପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Follow Us