ଜଗନ୍ନାଥଙ୍କ ପାଖରେ ଅଂହକାରର ସ୍ଥାନ ନାହିଁ: ବିଜେଡି

ଶରଧାବାଲିରେ ଦଳାଚକଟାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଓ ବହୁ ଭକ୍ତଙ୍କ ଆହତ ହେବା ଘଟଣାକୁ ବିଜେଡି ଅବ୍ୟବସ୍ଥା ଓ ସମନ୍ବୟ ଅଭାବ ବୋଲି କହିଛି। ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ଆଜି ଗୁଣ୍ଡିଚା ମନ୍ଦିର ନିକଟରେ ଅଘଟଣ ଘଟିଥିବା ସ୍ଥାନ ପରିଦର୍ଶନ କରିଥିଲା।

dgdaggdagd

ଭୁବନେଶ୍ୱର: ଶରଧାବାଲିରେ ଦଳାଚକଟାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଓ ବହୁ ଭକ୍ତଙ୍କ ଆହତ ହେବା ଘଟଣାକୁ ବିଜେଡି ଅବ୍ୟବସ୍ଥା ଓ ସମନ୍ବୟ ଅଭାବ ବୋଲି କହିଛି। ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ଆଜି ଗୁଣ୍ଡିଚା ମନ୍ଦିର ନିକଟରେ ଅଘଟଣ ଘଟିଥିବା ସ୍ଥାନ ପରିଦର୍ଶନ କରିଥିଲା। ସେଠାରେ ଉପସ୍ଥିତ ବରିଷ୍ଠ ସେବାୟତମାନଙ୍କ ସହିତ କାରଣ ନେଇ ଆଲୋଚନା କରିଥିଲା। ସେବାୟତମାନେ ପ୍ରଭୁଙ୍କ ନୀତିକାନ୍ତି ସଂପର୍କରେ ଅବଗତ କରାଇବା ସହିତ ଚାରମାଳ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କର ପରିଚାଳନା ଅଭାବରୁ ଏଭଳି ଭୟଙ୍କର ଘଟଣା ଘଟିଥିଲା ବୋଲି ପ୍ରକାଶ କରିଥିଲେ। 
ଘଟଣା ସମୟରେ କୌଣସି ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପୁଲିସ ଅଧିକାରୀ ନଥିଲେ। ପ୍ରତିନିଧିମଣ୍ଡଳୀ ଏସ୍‌ପିଙ୍କ ସହିତ ଆଲୋଚନା କରି ପ୍ରଭୁଙ୍କ ପରବର୍ତ୍ତୀ ନୀତିକାନ୍ତି, ଆଡ଼ପ ବିଜେ, ଆଡ଼ପ ଦର୍ଶନ, ବାହୁଡ଼ା ଯାତ୍ରା, ଅଧରପଣା ନୀତି ଓ ନୀଳାଦ୍ରି ବିଜେ ତଥା ମହାପ୍ରଭୁଙ୍କର ସୁନାବେଶ କାର୍ଯ୍ୟ ଯେଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେ ନେଇ ଆଲୋଚନା କରିଥିଲେ। କୋଟି କୋଟି ଜଗନ୍ନାଥପ୍ରେମୀ ଯେଭଳି ଆଶ୍ୱସ୍ତ ହେବେ, କୌଣସି ତ୍ରୁଟି ନହୁଏ ସେଥିପାଇଁ ସେବା କରିବାକୁ କମିଟି କାମନା କରିଥିଲା। 

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ଉପସଭାପତି ସଂଜୟ କୁମାର ଦାସବର୍ମା କହିଛନ୍ତି, ପ୍ରଶାସନିକ ଅବ୍ୟବସ୍ଥା ଓ ସମନ୍ୱୟର ଅଭାବ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି। ଯେଉଁଭଳି ଭାବେ ପ୍ରଭୁ ଜଗନ୍ନାଥଙ୍କ ରଥ ସନ୍ଧ୍ୟା ୭ଟା ୩୦ ପରେ ଟଣା ଗଲା ଏବଂ ତା ପରଦିନ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କଠୁ ଆରମ୍ଭ କରି ସମସ୍ତେ ଉଦ୍‌ବେଗ ପ୍ରକାଶ କଲେ। ପ୍ରଶାସନ ଯେଉଁ ଦାୟିତ୍ୱ ସମ୍ପନ୍ନ କରିବା କଥା ତାହା ତୁଲାଇ ନାହାନ୍ତି। ଯାହା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିବା ୧୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଗଣମାଧ୍ୟମରେ ମନ୍ତ୍ରୀମାନେ ଯେଉଁଭଳି ମନ୍ତବ୍ୟ ଦେଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାରୀ ଦଳର ନେତାମାନ ଯେଉଁଭଳି ଅଯୌକ୍ତିକ ଯୁକ୍ତି ଉପସ୍ଥାପନ କରୁଛନ୍ତି ସେଥିରୁ କ୍ଷାନ୍ତ ରୁହନ୍ତୁ। ଏହି ଘୋଷଯାତ୍ରାରେ ସଂପୃକ୍ତ ଥିବା ସମସ୍ତ ପ୍ରଶାସନିକ ଅଧିକାରୀ ନିଜ ନିଜର ଗର୍ବ ଅଂହକାର ପରିତ୍ୟାଗ କରି ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୁଅନ୍ତୁ। 

ବିଜେଡିର ପ୍ରତିନିଧିମଣ୍ଡଳୀ ପୁରୀ ମୁଖ୍ୟ ଚିକିତ୍ସାଳୟ ଯାଇ ଆହତମାନଙ୍କ ଅବସ୍ଥା ସଂପର୍କରେ ବୁଝିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ମୃତ୍ୟୁବରଣ କରିଥିବା ତିନି ଭକ୍ତଙ୍କ ପରିବାର ସହିତ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଫୋନ୍‌ ଯୋଗେ ଆଶ୍ୱାସନା ଦେଇଛନ୍ତି। 
ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ‘ମାର ମାର ଭଣ୍ଡାରିଆକୁ ମାର’ ନ୍ୟାୟରେ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ବଦଳି କରି ବାସ୍ତବ ସମସ୍ୟା ସମାଧାନ କରିନାହାନ୍ତି। ସାମ୍ବାଦିକଙ୍କୁ ମାଡ଼ ମାରିବା, ଅନ୍ୟ ରାଜ୍ୟର ଗାଡ଼ି ରଥଆଗରେ ବୁଲିବା ଆଦି ଘଟଣାମାନ ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି। ମୁଖ୍ୟମନ୍ତ୍ରୀ ୫ଜଣ ମନ୍ତ୍ରୀଙ୍କୁ ନେଇ ଯେଉଁ କମିଟି କରିଥିଲେ, ସେ କମିଟି କୁଆଡେ ଗଲା? ଘୋଷଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟି ହୋଇଛି। ସରକାର ଓ ପ୍ରଶାସନିକ ଅଧିକାରୀ ଅହଙ୍କାର ଛାଡ଼ି ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା କରନ୍ତୁ ବୋଲି ସେ କହିଛନ୍ତି। ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ଉପାଧ୍ୟକ୍ଷ ସ୍ୱାଧୀନ ନାୟକ ଓ ବରିଷ୍ଠ ନେତା ବିଦ୍ୟାଧର ସ୍ୱାଇଁ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe