ପୁରୀ: ନିଲମ୍ବିତ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଛି ବିବାଦ। ଏଯାଏ ମହାପ୍ରଭୁ ଗାଧୋଇ ନାହାଁନ୍ତି କି ଖାଇ ନାହାଁନ୍ତି। ମଇଲମ ନୀତିଠାରୁ ଅଟକି ରହିଛି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି। ସକାଳ ୫ଟା ୫୫ମିନିଟରେ ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ମଙ୍ଗଳାଳତୀ, ରୋଷହୋମ ବଢିଥିଲା। ତାପରେ ଅବକାଶ ନୀତି ପୂର୍ବରୁ ମହାପ୍ରଭୁ ମଇଲମ ହୋଇ ରତ୍ନବେଦୀରେ ବସିଛନ୍ତି। ମାତ୍ର ମଇଲମଠାରୁ ସମସ୍ତ ନୀତି ଅଟକି ରହିଛି। ନୀତି ପ୍ରଶାସକ ସେବାୟତମାନଙ୍କ ସହ ଆଲୋଚନା କରୁଛନ୍ତି। ସେପଟେ ଏଭଳି ନୀତି ବିଭ୍ରାଟ ହେବାର କାରଣ ମଧ୍ୟ ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଜଣେ ସିଂହାରୀ ସେବାୟତ ଅଜାତିରେ ବିବାହ କରିଥିଲେ। ଫଳରେ ସେବାୟତ ସଂପ୍ରଦାୟର ବିଧି ବ୍ୟବସ୍ଥା ଅନୁସାରେ ତାଙ୍କୁ ମହାପ୍ରଭୁଙ୍କ ନୀତି କରିବାକୁ ବାରଣ କରାଯାଇଥିଲା। ମାତ୍ର ଆଜି ସଂପୃକ୍ତ ସିଂହାରୀ ସେବକଙ୍କ ଭାଇମାନଙ୍କର ପାଳି ଥିଲା। ଭାଇଙ୍କ ପାଳିରେ ସଂପୃକ୍ତ ସେବକ ସକାଳୁ ମଙ୍ଗଳାଳତୀ ଠାରୁ ମଇଲମ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କରିଥିଲେ। ଯେହେତୁ ଭିନ୍ନଜାତିରେ ବିବାହ କରିବା ହେତୁ ନୀତି ପାଇଁ ବାରଣ କରାଯାଇଛି ସେ କିଭଳି ମହାପ୍ରଭୁଙ୍କ ନୀତି କଲେ ବୋଲି ପୂଜାପଣ୍ଡା ସେବାୟତମାନେ ପ୍ରତିବାଦ କରିଥିଲେ।
ସେ ନୀତି କଲେ ପୂଜାପଣ୍ଡାମାନେ ନୀତି କରିବେ ନାହିଁ ବୋଲି ରୋକଠୋକ ପ୍ରଶାସନକୁ ଅବଗତ କରିଛନ୍ତି। ସେପଟେ ପୂଜାପଣ୍ଡା ସେବାରେ ଏପର୍ଯ୍ୟନ୍ତ ଯୋଗ ଦେଇନାହାନ୍ତି। ଫଳରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଅଟକି ରହିଛି। ମହାପ୍ରଭୁ କେତେବେଳେ ଗାଧୋଇବେ, କେତେବେଳେ ସପ୍ତପୁରୀ ପ୍ରସାଦ ଗ୍ରହଣ କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସମସ୍ୟାର ସମାଧାନ ପାଇଁ ନୀତି ପ୍ରଶାସକ ଆଲୋଚନା ଜାରି ରଖିଥିବା ଜଣାପଡିଛି। ସେପଟେ ଆଜି ସପ୍ତପୁରୀ ଅମାବାସ୍ୟା, ଅମାବାସ୍ୟା ନାରାୟଣଙ୍କ ସାଗରବିଜେ ସହ ବସ୍ତ୍ରହରଣ ନୀତି ରହିଛି। ନୀତି ବିଳମ୍ବ ହେବେ ଏସବୁ ନିତି ବିଭ୍ରାଟ ହେବାର ଆଶଙ୍କା ରହିଛି।
Follow Us