ବୟସ ୭୦ ହେଲାଣି; ଭତ୍ତା ପାଇଁ ୧୦ ବର୍ଷ ହେଲା ଦୌଡ଼ୁଛନ୍ତି

ପୁଅବୋହୂ ଏକୁଟିଆ ଛାଡ଼ି ଚାଲି ଯାଇଛନ୍ତି, ଭଙ୍ଗା କୁଡ଼ିଆରେ କଟୁଛି ଦିନ

ବୟସ ୭୦ ହେଲାଣି; ଭତ୍ତା ପାଇଁ ୧୦ ବର୍ଷ ହେଲା ଦୌଡ଼ୁଛନ୍ତି

ପ୍ରତାପୁର: ବର୍ଷେ କି ଦୁଇବର୍ଷ ନ‌ୁହେଁ। ଦୀର୍ଘ ୧୦ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୌଡ଼ୁଛନ୍ତି ବୃଦ୍ଧା ବିନୁ ମହାନ୍ତି। ବୟସ ୭୦ ହୋଇ ସାରିଥିଲେ ବି ସେ ଏହି ସରକାରୀ ଯୋଜନାରୁ ଆଜିଯାଏ ବଞ୍ଚିତ ରହିଛନ୍ତି। ଭତ୍ତା ଟଙ୍କା କରାଇଦେବାକୁ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବା ସହ ସରକାରୀ ବାବୁ ଓ ଜନପ୍ରତିନିଧିଙ୍କୁ ଗୁହାରି କରି ଥକି ଗଲେଣି। ତଥାପି କୌଣସି ସୁଫଳ ମିଳୁନି। ଜଗନ୍ନାଥପ୍ରସାଦ ବ୍ଳକ୍ ପ୍ରତାପୁର ପଞ୍ଚାୟତ ବୁରପଲ୍ଲୀ ଗ୍ରାମର ବିନୁ ମହାନ୍ତି। ବୟସର ସାୟାହ୍ନରେ ପୁଅ ଓ ବୋହୂମାନେ ତାଙ୍କୁ ଛାଡ଼ି ଅନ୍ୟତ୍ର ରହୁଥିବା ବେଳ‌େ ବିନୁ ଏକୁଟିଆ ଗ୍ରାମରେ ଏକ ଭଙ୍ଗାଦଦର କୁଡ଼ିଆରେ ଦୁଃଖରେ ଦିନ କାଟୁଛନ୍ତି। ଚାରି ବର୍ଷ ହେଲା ସ୍ବାମୀ ଆରପାରିକୁ ଚାଲିଯିବା ପରେ ସେ ଅସହାୟ ପାଲଟି ଯାଇଛନ୍ତି। ପୁଅବୋହୂ ଯାହା ଖର୍ଚ୍ଚକୁ ଦେଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ। ଏଭଳି ପରିସ୍ଥିତିରେ ଭତ୍ତା ଟଙ୍କା ମିଳିଗଲେ କଷ୍ଟେମଷ୍ଟେ ଚଳିଯାଆନ୍ତେ ବୋଲି କୋହଭରା କଣ୍ଠରେ ସେ କହିଛନ୍ତି।

ହେଲେ ଏହି ଭତ୍ତା ଟଙ୍କା ପାଇଁ ଗତ ୧୦ ବର୍ଷ ହେବ ସେ କେତେବେଳେ ଜଗନ୍ନାଥପ୍ରସାଦ ବ୍ଳକ୍ ତ ଆଉ କେତେବେଳେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇସାରିଲେଣି। ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ, ଗତ ଫେବ୍ରୁଆରି ମାସରେ କିଛି ଗ୍ରାମବାସୀଙ୍କ ସହାୟତାରେ ଏକ ହ୍ବାଟ୍‌ସଆପ୍ ନମ୍ବରରେ ସମସ୍ତ କାଗଜପତ୍ର ପଠାଇଥିଲେ। ହେଲେ ଏହାକୁ ୬ ମାସ ବିତି ସାରିଥିଲେ ହେଁ, କୌଣସି ସୁଫଳ ମିଳୁନି। ଏବେ ଆଉ ସେ କାହାକୁ ଗୁହାରି କରିବେ ବୋଲି ପ୍ରଶ୍ନ କରିବା ସହ, ନିଜ କର୍କୁମ ଆଦରି ଭଙ୍ଗା କୁଡ଼ିଆରେ ପଡ଼ି ରହିଛନ୍ତି। ତାଙ୍କଠାରୁ ସାନ ଓ ଥିଲାବାଲାଙ୍କୁ ମାସକୁ ମାସ ଭତ୍ତା ମିଳୁଥିବା ବେଳେ ତାଙ୍କ ପ୍ରତି ଏହି ପାତରଅନ୍ତର ମନୋଭାବ କଣ ପାଇଁ ବୋଲି ସେ ସେ ପ୍ରଶ୍ନ କରିଛନ୍ତି। ଗ୍ରାମବାସୀମାନେ ତାଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe