ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ସ୍କୁଲ ସାର୍ଟିଫିକେଟରୁ ନିର୍ଣ୍ଣୟ ହେବ ପୀଡ଼ିତାଙ୍କ ବୟସ

Advertisment
ହାଇକୋର୍ଟରେ ମାଇକ୍ରୋ ଲେଭଲ ଇ-ଲୋକ ଅଦାଲତ : ୧୦୭ ମାମଲା ଫଇସଲା, ୬ କୋଟି ୯୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

Odisha Sun Times

କଟକ : ପୀଡ଼ିତାଙ୍କ ବୟସ ନିର୍ଦ୍ଧାରଣ କ୍ଷେତ୍ରରେ ସ୍କୁଲ ଅଥବା ମାଟ୍ରିକ ସାର୍ଟିଫିକେଟକୁ ସବୁଠୁ ଅଧିକ ଗୁରୁତ୍ବ ଦିଆଯିବ। ଏଭଳି କୌଣସି ସାର୍ଟିଫିକେଟ ନଥିଲେ ଶେଷ ବିକଳ୍ପ ଭାବେ ଡାକ୍ତରୀ ମତକୁ ଅଦାଲତ ବିଚାରକୁ ନେବେ। ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦାୟର ଜାମିନ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଏପରି ରା‌ୟ ଦେଇଛନ୍ତି। ହାଡ଼ ସଂରଚନା ଅନୁଧ୍ୟାନ ବା ଓସିଫିକେସନ୍ ଟେଷ୍ଟ ବା ରେଡିଓଲୋଜିକାଲ୍ ପରୀକ୍ଷା ଭଳି ‌ଡାକ୍ତରୀ ପରୀକ୍ଷା ବୟସ ସଂପର୍କରେ ସୂଚନା ଦିଏ। ଏଥିରେ ବୟସରେ ୨ ବର୍ଷର କମ୍‌ ବେଶୀ ପାର୍ଥକ୍ୟ ଆସିଥାଏ। କିନ୍ତୁ ଏହି ପ୍ରସଂଗରେ ସୁପ୍ରିମକୋର୍ଟ ପକ୍ଷରୁ ସ୍କୁଲ ସାର୍ଟିଫିକେଟ୍ ବା ମାଟ୍ରିକ୍ ସାର୍ଟିଫିକେଟ୍ ଉପରେ ଅଧିକ ଆସ୍ଥା ସ୍ଥାପନ କରାଯାଇଛି। ଫଳରେ, ଜନ୍ମ ତାରିଖକୁ ନେଇ ଏକାଧିକ ଦ୍ବନ୍ଦ୍ବାତ୍ମକ ପ୍ରମାଣପତ୍ର ଥିବ ତେବେ ସ୍କୁଲ ସାର୍ଟିଫିକେଟ୍ ବା ମାଟ୍ରିକ୍ ସାର୍ଟିଫିକେଟକୁ ଅଗ୍ରାଧିକାର ପ୍ରଦାନ କରାଯିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଜଣେ ଅନୁସୂଚିତ ଜାତି/ଜନଜାତି ବର୍ଗର ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭନଷ୍ଟ ନେଇ କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା‌ରେ ତାର ବାପା ୨୦୧୯, ଅକ୍ଟୋବର ୫ରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ୨୦୧୯, ନଭେମ୍ବର ୨୭ରେ ଅଭିଯୁକ୍ତକୁ ଗିରଫ କରିଥିଲା। କେନ୍ଦୁଝର ସ୍ବତନ୍ତ୍ର ଅଦାଲତ୨୦୧୯, ଡିସେମ୍ବର ୧୦ରେ ଅଭିଯୁକ୍ତଙ୍କ ଜାମିନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ପୁଲିସ ଜବତ କରିଥିବା ସ୍କୁଲ ଆଡମିସନ୍ ରେଜିଷ୍ଟର ଓ ମାଟ୍ରିକ୍ ସ‌ାର୍ଟିଫିକେଟରେ ପୀଡିତାଙ୍କ ଜନ୍ମ ତାରିଖ ୨୦୦୨, ମାର୍ଚ୍ଚ ୧୭ ବୋଲି ଉଲ୍ଲେଖ କରାଯାଇଥିଲା। ଫଳରେ ଘଟଣା ସମୟରେ ପୀଡିତାଙ୍କୁ ୧୭ ବର୍ଷ ‌‌ହୋଇଥିଲା ଓ ସେ ନାବାଳିକା ଥିଲେ ବୋଲି ଜଣାପଡ଼ିଥିଲା। କିନ୍ତୁ ଅଭିଯୁକ୍ତଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ଆଧାର କାର୍ଡରେ ପୀଡ଼ିତାଙ୍କ ଜନ୍ମ ତାରିଖ ୨୦୦୧, ଜୁଲାଇ ୧୮ ରହିଥିବାବେଳେ ଅଙ୍ଗନବାଡି କେନ୍ଦ୍ର ରିପୋର୍ଟରେ ୨୦୦୦, ଜାନୁଆରି ୧୦ ରହିଥିଲା। ଏଥିରୁ ପୀଡ଼ିତା ଘଟଣା ଘଟିବା ବେଳେ ୧୮ ବର୍ଷରୁ ଅଧିକ ବୟସ‌ର ହୋଇଥିଲେ ବୋଲି ଅଭିଯୁକ୍ତଙ୍କ ପକ୍ଷରୁ ଦର୍ଶାଯାଇଥିଲା। ବିଭିନ୍ନ ପ୍ରମାଣପତ୍ରରୁ ପୀଡ଼ିତାଙ୍କ ବୟସ ନେଇ ଭିନ୍ନ ତଥ୍ୟ ମିଳିଥିବାବେଳେ ଖଣ୍ଡପୀଠ ସୁପ୍ରିମ‌େକାର୍ଟଙ୍କ ରାୟ ଓ ଜୁଭେନାଇଲ ଜଷ୍ଟିସ୍ ଆକ୍ଟର ଧାରା ୯୪ରେ ଥିବା ବ୍ୟବସ୍ଥାକୁ ଆଧାର କରି ସ୍କୁଲ ଆଡମିସନ୍ ରେଜିଷ୍ଟର/ ମାଟ୍ରିକ୍ ସାର୍ଟିଫିକେଟରେ ଥିବା ତଥ୍ୟକୁ ଗ୍ରହଣୀୟ ବୋଲି ମତ ଦେଇଛନ୍ତି। ଏଥିରୁ ଘଟଣା ସମୟରେ ପୀଡ଼ିତାଙ୍କ ନାବାଳିକା ଥିବା ସ୍ପଷ୍ଟ ହୋଇଥିବାବେଳେ ଖଣ୍ଡପୀଠ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe