ଆବାସ ଘର ଅଧିକାର ଦାବି: ଗରିବ ସେନା ପକ୍ଷରୁ ଜିଲ୍ଲାପାଳ ଅଫିସ୍‌ ଘେରାଉ

Advertisment
ଆବାସ ଘର ଅଧିକାର ଦାବି: ଗରିବ ସେନା ପକ୍ଷରୁ ଜିଲ୍ଲାପାଳ ଅଫିସ୍‌ ଘେରାଉ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଗରିବ ସେନା ପକ୍ଷରୁ ବୁଧବାର ଆବାସ ଘର ଅଧିକାର ଦିଅ ଆନ୍ଦୋଳନ କରାଯାଇଛି। ଜିଲ୍ଲାରେ ୭୨ ହଜାର ଗରିବ ହିତାଧିକାରୀଙ୍କୁ ଆବାସ ଘର ପ୍ରଦାନ ଦାବିରେ ଗରିବ ସେନା ପକ୍ଷରୁ ଜିଲ୍ଲାପାଳ ଅଫିସ୍ ଘେରାଉ କରାଯାଇଛି। ଆନ୍ଦୋଳନକାରୀ ଅଫିସ୍ ଭିତରକୁ ପଶୁଥିବା ସମୟରେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୁଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଉପଜିଲ୍ଲାପାଳ ବାହାରକୁ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସୂଚନାମତେ, ଆବାସ ଯୋଜନାରୁ ବଞ୍ଚିତ ଜିଲ୍ଲାର ଶତାଧିକ ହିତାଧିକାରୀ ନୂଆପଡ଼ା ମିନିଷ୍ଟାଡିୟମରେ ପହଞ୍ଚିଥିଲେ। ନୂଆପଡ଼ା ଗରିବ ସେନା ସଭାପତି ରବି ମଙ୍ଗରାଜଙ୍କ ନେତୃତ୍ବରେ ହଜାର ହଜାର ହିତାଧିକାରୀ ସେଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ନୂଆପଡ଼ା ସହର ପରିକ୍ରମା ପରେ ଜିଲ୍ଲାପାଳ ଅଫିସ୍‌ ଆଗରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଅଫିସ୍‌କୁ ଧସେଇ ପସିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ୍‌ ଆନ୍ଦୋଳନକାରୀଙ୍କୁ କାବୁ କରିଥିଲା। ଫଳରେ ଆନ୍ଦୋଳନକାରୀ ଓ ପୁଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ନୂଆପଡ଼ା ଉପ-ଜିଲ୍ଲାପାଳ ରାମଚନ୍ଦ୍ର ଖାଡ଼ିଆ ଅଫିସ୍ ବାହାରକୁ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ।

ଜିଲ୍ଲାର ସମସ୍ତ ଯୋଗ୍ୟ ପରିବାରକୁ ଆବାସ ଘର ପ୍ରଦାନ କରାଯାଉ, ଆବାସ ଘର ସହାୟତା ୨ଲକ୍ଷ ୫୦ ହଜାରକୁ ବୃଦ୍ଧି କରାଯାଉ, ଜିଲ୍ଲାରେ ନିର୍ମାଣ ସରିଥିବା ଆବାସ ଘରର ମନରେଗା ପାଉଣା  ହିତାଧିକାରୀଙ୍କୁ ତୁରନ୍ତ ପ୍ରଦାନ କରାଯାଉ, ସରକାର ଘୋଷଣା କରିଥିବା ୩ ହଜାରରୁ ୫ ହଜାର ଘର ମରାମତି ଟଙ୍କା ତୁରନ୍ତ ପ୍ରଦାନ କରାଯିବାକୁ ହିତାଧିକାରୀମାନେ ଦାବି କରିଥିଲେ। ଏହି ବିକ୍ଷୋଭ ସମାବେଶରେ ଦେବେନ୍ଦ୍ର ବାଗ, ବାଲେଶ୍ବର ସାହୁ, ହରିଶ ମାଝୀ, ରାଧେଶ୍ୟାମ ବାଗ, ଅକାମ୍ ଦୀପ, ମଣ୍ଟୁ ଅଡ଼ବଙ୍ଗ, ଯାକିରାମ ସୁନାନୀ, ଦିଲୀପ ତାଣ୍ଡି, ଦୟା ସୁନାନୀ, ଦିଗବିଜୟ ଦାସ, କୁଶଳ ବିଭାର, ଭୂପେନ୍ଦ୍ର ପାଣ୍ଡେ, ବଳରାମ ମାଝୀ, ନାରୁ ପାଣ୍ଡେ, ଗୋବିନ୍ଦ ସୁନା, କୁନୁ ସୁନାନୀ, ଦେବାଶିଷ ନିଆଲ, ଭମର ତାଣ୍ଡି, ହୁଦେ ଦୀପ, ରାଜୁ ଦାସ, ବିଶ୍ବନାଥ ମାଝୀ, ନାଥୁରାମ ମାଝୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe