କୃଷି ଅର୍ଥନୀତିଜ୍ଞ ନିରଞ୍ଜନ ଚନ୍ଦ୍ର କରଙ୍କ ପରଲୋକ

Advertisment
କୃଷି ଅର୍ଥନୀତିଜ୍ଞ ନିରଞ୍ଜନ ଚନ୍ଦ୍ର କରଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ନିରଞ୍ଜନ ଚନ୍ଦ୍ର କର(୯୨)ଙ୍କ ଗତ ରାତିରେ ପରଲୋକ ଘଟିଛି। ଗତକାଲି ସଂଧ୍ୟାରେ ଛାତିରେ ହଠାତ୍‌ ଯନ୍ତ୍ରଣା ହେବାରୁ ପରିବାରଲୋକ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କ ମରଶରୀର ଧର୍ମବିହାରସ୍ଥିତ ବାସଭବନକୁ ଅଣାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁତ୍ର, ପୁତ୍ରବଧୂ, ଝିଅ, ଜ୍ବାଇଁ, ନାତିନାତୁଣୀ ଓ ଅନ୍ୟ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

କଟକ ଜିଲ୍ଲା ସାଲେପୁରର ସୁନାଖଣ୍ଡୀ ଗ୍ରାମ ମୂଳବାସିନ୍ଦା ସ୍ବର୍ଗତ କର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କୃଷି ଓ କୃଷି ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିବା ପରେ ରାଜ୍ୟ କୃଷି ବିଭାଗ, ଭାରତୀୟ ରିଜର୍ଭ ବ୍ୟାଙ୍କ, ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଯୋଜନା ଓ ସମନ୍ୱୟ ବିଭାଗ, ଅପରେସନ୍ ରିସର୍ଚ ଗ୍ରୁପ୍‌ ଓ ନବକୃଷ୍ଣ ଚୌଧୁରୀ ସେଣ୍ଟର ଅଫ୍ ଡେଭେଲପମେଣ୍ଟ ଷ୍ଟଡିଜ୍ ଭଳି ସଂସ୍ଥାରେ ଜଣେ ନିପୁଣ କୃଷି ଅର୍ଥନୀତିଜ୍ଞ ଭାବେ ଦକ୍ଷତା ପ୍ରଦର୍ଶନ କରିଥିଲେ। ୧୯୮୮ ମସିହାରେ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ଅବସର ନେବା ପରେ ମଧ୍ୟ ସେ କୃଷି ଅର୍ଥନୀତି ଓ ପରିସଂଖ୍ୟାନ ଉପରେ ଉଚ୍ଚତ୍ତର ଗବେଷଣା ତଥା ନୂତନ ଦିଗ୍‌ଦର୍ଶନ ଦେବାରେ ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଥିଲେ। ତାଙ୍କ ବଡ଼ପୁଅ ଏନ୍‌ଟିପିସିର ଅବସରପ୍ରାପ୍ତ କର୍ମଚାରୀ ହୋଇଥିବା ବେଳେ ବଡ଼ ଜ୍ବାଇଁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଦାଶରଥୀ ଶତପଥୀ ଓଡ଼ିଶା ବିଧାନସଭାର ସଚିବ ଅଛନ୍ତି। ସାନ ଜ୍ବାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ରିଜିଓନାଲ ମ୍ୟାନେଜର୍‌ ଭାବେ ଖୋର୍ଧାରେ ଅବସ୍ଥାପିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe