ସାମାଜିକ ଦୂରତ୍ବ ରକ୍ଷା କରି କୃଷି କାର୍ଯ୍ୟ ଜାରି ରଖାଯାଉ

Advertisment
ଲକଡାଉନ ସମୟରେ ଚାଷୀମାନେ ବିଲରେ କାମ କରିପାରିବେ: କେନ୍ଦ୍ର ସରକାର

ଜିଲ୍ଲା କୃଷି ଅଧିକାରୀଙ୍କ ସହିତ କୃଷି ମନ୍ତ୍ରୀଙ୍କ ଆଲୋଚନା
ଜିଲ୍ଲାପାଳଙ୍କ ପରାମର୍ଶକ୍ରମେ ଏସ୍‌ଓପି ଅବଲମ୍ବନ ଉପରେ ଗୁରୁତ୍ବ

ଭୁବନେଶ୍ୱର : କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଛି। ଏଥି ପାଇଁ ରାଜ୍ୟରେ ସ୍ୱାଭାବିକ କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ, ତାହା ଉପରେ ସରକାର ଗୁରୁତ୍ବାରୋପ କରିଛନ୍ତି। କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲା କୃଷି ଅଧିକାରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏ ସମ୍ପର୍କରେ ଆଲୋଚନା କରିଥିଲେ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସାମାଜିକ ଦୂରତ୍ୱକୁ ରକ୍ଷା କରି କୃଷି କାର୍ଯ୍ୟ ଜାରି ରଖିବା ଓ ଖାଦ୍ୟଶସ୍ୟ ଅମଳ, ବିକ୍ରିବଟାକୁ ସୁନିଶ୍ଚିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ‌େଦଇଥିଲେ। ଏଥି ନିମନ୍ତେ ଜିଲ୍ଲାପାଳମାନଙ୍କ ପରାମର୍ଶ କ୍ରମେ ମାନକ ସଞ୍ଚାଳନ କାର୍ଯ୍ୟବିଧି(ଏସ୍‌ଓପି)ର ଅବଲମ୍ବନ କରି କୃଷି କାର୍ଯ୍ୟ କରିବା ପାଇଁ କୁହାଯାଇଥିଲା।

କୃଷି କାର୍ଯ୍ୟ ଯେପରି ଠିକ୍‌ ସମୟରେ ହୋଇପାରିବ, ସେଥି ନିମନ୍ତେ ଉଭୟ ସ୍ୱଳ୍ପ ମିଆଦି ଓ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଖରିଫ ଚାଷ ପାଇଁ ଧାନ ବିହନର ପ୍ରକ୍ରିୟାକରଣ ଓ ପରୀକ୍ଷଣର ସଦ୍ୟତମ ସ୍ଥିତି ସଂପର୍କରେ ଆଲୋଚନା ହୋଇଥିଲା। ଖରିଫ ନିମନ୍ତେ ଚାଷୀମାନେ ଯେପରି ସୁବିଧାରେ ବିହନ, ସାର ଓ କୀଟନାଶକ ପାଇପାରିବେ, ସେଥି ନିମନ୍ତେ ଆଗୁଆ ପ୍ରସ୍ତୁତି କରାଯିବ। ସମସ୍ତ କୃଷି ଯନ୍ତ୍ରପାତି ଯେପରି ସହଜରେ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ଆଗୁଆ ପଦକ୍ଷେପ ନିଆଯିବାକୁ ସ୍ଥିର ହୋଇଥିଲା। ପର୍ଯ୍ୟାପ୍ତ ପରିମାଣର ଧାନ ବିହନ ଚାଷୀମାନଙ୍କ ପାଇଁ ବିହନ ବିକ୍ରୟ କେନ୍ଦ୍ରରେ ଉପଲବ୍ଧ କରାଇବା ସହିତ ଆବଶ୍ୟକ ସାର ଓ କୀଟନାଶକ ଆଦି ମହଜୁଦ ରଖିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।

ରାଜ୍ୟର ବିଭିନ୍ନ ସ୍ଥାନରେ ଡାଲି, ତୈଳବୀଜ, କପା ଆଦି ରବି ଫସଲର ଅମଳ ସହିତ ଏହାର ସଂଗ୍ରହ ନିମନ୍ତେ ମଣ୍ଡି ଖୋଲିବା ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କୃଷିଜାତ ଦ୍ରବ୍ୟ ବିଶେଷ କରି ପନିପରିବା ଯେପରି ଚାଷୀମାନେ ସହଜରେ ବିକ୍ରି କରିପାରିବେ ସେଥି ନିମନ୍ତେ ବଜାର ସୁବିଧା ଯୋଗାଇ ଦିଆଯିବ। ନିର୍ଦ୍ଧାରିତ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ ଓ ଏହାର ପରିବହନକୁ ନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସମେତ ଅନ୍ୟାନ୍ୟ ଯୋଜନାରେ ଉଦ୍ୟାନ କୃଷି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା।

ବୈଠକରେ ମନ୍ତ୍ରୀଙ୍କ ସହ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌. ମୁଥୁକୁମାର, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ନିୟନ୍ତ୍ରିତ ବଜାର କମିଟିର ସଂପାଦକମାନେ ଆଲୋଚନାରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe