ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେଲା କୃଷି ବିଭାଗ : ଭଲ କାମ ପାଇଁ ପୁରସ୍କାର, ନଚେତ୍ କାର୍ଯ୍ୟାନୁଷ୍ଠାନ - ମୁଖ୍ୟମନ୍ତ୍ରୀ

Advertisment
ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେଲା କୃଷି ବିଭାଗ : ଭଲ କାମ ପାଇଁ ପୁରସ୍କାର, ନଚେତ୍ କାର୍ଯ୍ୟାନୁଷ୍ଠାନ - ମୁଖ୍ୟମନ୍ତ୍ରୀ

କାଳିଆ ପାଇଁ ଅଭିଯୋଗ ପୋର୍ଟାଲ ଲୋକାର୍ପିତ
ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି କରିବା ଲକ୍ଷ୍ୟ
ଚାଷୀମାନଙ୍କ ସହ ସିଧାସଳଖ କଥାହେବେ ସରକାର
ସେମାନଙ୍କ ମତାମତ ସଂଗ୍ରହ କରାଯିବ

ଭୁବନେଶ୍ବର : ଚାଷୀମାନଙ୍କ ପାଇଁ ଭଲ କାମ କର ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜି ଲୋକସେବା ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ 'ମୋ ସରକାର' କାର୍ଯ୍ୟକ୍ରମରେ ସାମିଲ କରିବା ଅବସରରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏପରି ରୋକଠୋକ୍ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି ଖୋଦ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ସହ ଫୋନ ଯୋଗେ କଥା ହେବେ। ଆଉ ସରକାରୀ ସେବା ସମ୍ପର୍କରେ ପଚାରି ବୁଝିବେ। ଚାଷୀମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା 'କାଳିଆ'ଯୋଜନାର ଅଭିଯୋଗ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ 'ମୋ ସରକାର' କାର୍ଯ୍ୟକ୍ରମରେ ସାମିଲ କରି ମୁଖ୍ୟମନ୍ତ୍ରୀ କହିଥିଲେ, କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ। ସେମାନଙ୍କ ଉନ୍ନତି ପାଇଁ କୃଷି ବିଭାଗ କର୍ମଚାରୀ ଓ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଦରକାର। କୃଷି ବିଭାଗର କାର୍ଯ୍ୟରେ ଚାଷୀମାନେ କେତେଦୂର ସନ୍ତୁଷ୍ଟ ହେଉଛନ୍ତି ଏବଂ ସରକାର କେତେ ସଫଳ ଭାବରେ ସେମାନଙ୍କୁ ସେବା ଯୋଗାଇପାରିଛନ୍ତି, ସେସବୁ ପରଖିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ କହିଥିଲେ, ସେ ନିଜେ ବ୍ୟକ୍ତିଗତ ଭାବରେ ଚାଷୀମାନଙ୍କୁ ଫୋନ କରିବେ ଏବଂ ସେମାନେ ପାଉଥିବା ସେବା ସମ୍ପର୍କରେ ପଚାରି ବୁଝିବେ। ଯଦି ସରକାରୀ ସେବା ସମ୍ପର୍କରେ ଚାଷୀଙ୍କ ପ୍ରତିକ୍ରିୟା ଭଲ ରହେ, ତେବେ କର୍ମଚାରୀମାନଙ୍କୁ ପ୍ରଶଂସା ପତ୍ର ସହିତ ପ୍ରୋତ୍ସାହନ ପ୍ରଦାନ କରାଯିବ ଏବଂ ନକରାତ୍ମକ ପ୍ରତିକ୍ରିୟା ରହିଲେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅତୀତ କଥା ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ, ୧୯୯୯ ମହାବାତ୍ୟା ସମୟରେ ରିଲିଫ ଯୋଗାଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଆଉ ସେ ସ୍ଥିତି ନାହିଁ। ବର୍ତ୍ତମାନ ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ଶସ୍ୟ ଯୋଗାଣ କରିବାରେ ଓଡ଼ିଶା ସାରା ଦେଶରେ ତୃତୀୟ ସ୍ଥାନ ହାସଲ କରିଛି। ଏହାର ଶ୍ରେୟ ପାଇବା ହକଦାର ହେଉଛନ୍ତି ରାଜ୍ୟର ଚାଷୀ। ସେହିପରି ଆମରି ଚାଷୀଭାଇମାନଙ୍କ କଷଣ ଯୋଗୁଁ ଓଡ଼ିଶାକୁ ୫ ଥର କୃଷି କର୍ମଣ ପୁରସ୍କାର ମିଳିପାରିଛି। ଚାଷୀମାନଙ୍କ କାର୍ଯ୍ୟ ପାଇଁ ତାଙ୍କ ସରକାର ସବୁବେଳେ ଗର୍ବିତ। ତେଣୁ ଚାଷ ଓ ଚାଷୀଙ୍କୁ ସରକାର ବିଶେଷ ଗୁରୁତ୍ବ ଦେଇଆସୁଛନ୍ତି। ଏହି ଅବସରରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ୍ 'ମୋ ସରକାର' କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ୫'ଟି' ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ 'ମୋ ସରକାର' କାର୍ଯ୍ୟକ୍ରମ ବିଷୟରେ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ, ବିଭାଗୀୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପଦାଧିକାରୀ ଏବଂ ଭିଡିଓ କନଫରେସିଂ ଜରିଆରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe