ପୁରୀ: ଆଖିରେ ପଟି ବନ୍ଧା ହୋଇଥିବା ଲୋକ ପାଇଁ ସେ କାଠ କଣ୍ଢେଇ ହେଇପାରେ, କିନ୍ତୁ ରତ୍ନ ସିଂହାସନରେ ଥାଇ କୋଟି ଓଡ଼ିଆଙ୍କ ଆଖିରୁ ଲୁହ ପୋଛିଦେଉଥିବା ହୃଦୟର ଠାକୁର ସିଏ। ଶରଧାବାଲି ମୁକ୍ତାକାଶ ମଞ୍ଚରେ ଏହି ଭାବର ସଂଳାପରେ ଗୁଞ୍ଜରି ଉଠିଥିଲା କରତାଳି। ଅବସର ଥିଲା ରେଡ଼ିଓ ଚକ୍ଲେଟ୍ ପକ୍ଷରୁ ମଞ୍ଚସ୍ଥ ନାଟକ ‘ଆହେ ନୀଳଶଇଳ’। ଓଡ଼ିଆଙ୍କ ପାଇଁ ମହାପ୍ରଭୁ ସବୁଠୁ ଊର୍ଦ୍ଧ୍ବରେ। ସ୍ବୟଂ ଗଜପତି ଏଠି ମହାପ୍ରଭୁଙ୍କ ସେବକ ବୋଲାନ୍ତି। କାଳେକାଳେ ମହାପ୍ରଭୁଙ୍କ ଉପରେ ହିନ୍ଦୁ ବିଦ୍ବେଷୀଙ୍କ ଆକ୍ରମଣ ହୋଇଛି। ମାତ୍ର ମହାପ୍ରଭୁଙ୍କ ମାନ ରକ୍ଷା ପାଇଁ ଗଜପତିମାନେ ନିଜକୁ ସମର୍ପି ଦେଇଛନ୍ତି। ବହୁ ଚର୍ଚ୍ଚିତ ନାଟକ ‘ଆହେ ନୀଳଶଇଳ’ ଭେଟି ଦେଇଛି ଭକ୍ତି ଓ ସମର୍ପଣର ଏହି ଭାବ ରସାତ୍ମକ ନୈବେଦ୍ୟ। ଆଷାଢ଼ରେ ମହାପ୍ରଭୁ ଶରଧାବାଲିରେ ଲୀଳା ଲଗାଉଥିବା ବେଳେ ଆଜି ସେଇ ଶରଧାବାଲିରେ ମଞ୍ଚସ୍ଥ ଏହି ନାଟକ ହଜାର ହଜାର ଦର୍ଶକଙ୍କୁ ଲୁହରେ ଭିଜେଇଥିଲା ଏବଂ ସଂଳାପରେ ମଜେଇ ରଖିଥିଲା।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ସହଯୋଗରେ ‘ଚକ୍ଲେଟ୍ ପ୍ରଡକ୍ସସନ୍ସ’ ପକ୍ଷରୁ ପ୍ରସ୍ତୁତ ଏହି ନାଟକର କାହାଣୀ କଥାସମ୍ରାଟ୍ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ। ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମ ତକୀ ଖାଁର ବିଷଦୃଷ୍ଟିରୁ ମହାପ୍ରଭୁଙ୍କ ମାନରକ୍ଷା ଲାଗି ଗଜପତି ରାମଚନ୍ଦ୍ର ଦେବ କିଭଳି ନିର୍ଯାତନା ସହିଛନ୍ତି ଓ ଅତ୍ୟାଚାରର ଶିକାର ହୋଇଛନ୍ତି ତାହା ‘ଆହେ ନୀଳଶଇଳ’ରେ ଉପସ୍ଥାପିତ ହୋଇଛି। ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା ନାଟ୍ୟ ରଚନା କରିଥିଲା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ମଞ୍ଚ ଓ ଯାତ୍ରା ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ। ଓଡ଼ିଆ ସିନେମା ଓ ଧାରାବାହିକର ଜଣାଶୁଣା କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅଭିନେତା ଲରେନ୍ସ ଗଜପତି ରାମଚନ୍ଦ୍ର ଦେବ, ସୋଫିଆ ଆଲମ୍ ମହାରାଣୀ, ପ୍ରକାଶ ଜେନା ତକି ଖାଁ, ଶ୍ରଦ୍ଧା ପାଣିଗ୍ରାହୀ ରେଜିଆ ଓ ମନୀଷା ରଥ ସରଦେଇ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଓଲିଉଡର ହାସ୍ୟାଭିନେତା ହାଡୁ ଷଣ୍ଢ ସୁଆର ଭୂମିକାରେ ନଜର ଆସିଥିବା ବେଳେ ଆରଜେ କେପି ମୁରାଦ ଅଲ୍ଲୀ ଚରିତ୍ର ନିଭାଇଛନ୍ତି। ଆଶିଷ, ରାଜେନ୍ଦ୍ର, ପାର୍ଥ, ଚିନ୍ମୟ, ଶମ୍ଭୁ ହୋତା, ଗୋବିନ୍ଦ ମହାପାତ୍ର, ଉମା,ରଘୁନାଥ, ବିନୁ, ପ୍ରଭାତ, ସୁନୀଲ ଓ ରାକେଶଙ୍କ ସମେତ ଅନ୍ୟ କଳାକାରମାନେ ଅଭିନୟ କରିଥିଲେ। ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ଏନେଇ ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।
Follow Us