ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ୧୮-୧୯ ଫେବ୍ରୁଆରିରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଏଆଇ ପ୍ରଭାବ ଉପରେ ନୂଆଦିଲ୍ଲୀ ଘୋଷଣା ଗୃହୀତ ହୋଇଛି। ଏଥିସହିତ କୃତ୍ରିମ ବୁଦ୍ଧିମତା ବା ଏଆଇ ଉପରେ ବିଶ୍ୱସ୍ତରୀୟ ସହଯୋଗ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଛି।

Advertisment

ଏହି ଘୋଷଣାକୁ ୮୮ଟି ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନ ଗ୍ରହଣ କରିଛନ୍ତି। ଆର୍ଥିକ ବିକାଶ ଓ ସାମାଜିକ କଲ୍ୟାଣ ନିମନ୍ତେ ଏଆଇର ଉପଯୋଗ ଲାଗି ଏକ ବ୍ୟାପକ ବିଶ୍ୱସ୍ତରୀୟ ସହମତି ସୃଷ୍ଟି ହୋଇଛି । ସମସ୍ତଙ୍କର କଲ୍ୟାଣ ଏବଂ ସମସ୍ତଙ୍କ ପାଇଁ ଖୁସିର ସିଦ୍ଧାନ୍ତକୁ ଆଧାର କରି ନୂଆଦିଲ୍ଲୀ ଘୋଷଣାରେ ସମଗ୍ର ମାନବ ଜଗତକୁ ଏଆଇର ଲାଭ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ଅନ୍ତର୍ଜାତୀୟ ସହଯୋଗ ଏବଂ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନକୁ ସୁଦୃଢ଼ କରିବାକୁ ସହମତି ହୋଇଛି। ଜାତୀୟ ସାର୍ବଭୌମତ୍ୱକୁ ସମ୍ମାନ ଜଣାଇବା ସହିତ ସୁଲଭ ଓ ଭରସାଯୋଗ୍ୟ ବ୍ୟବସ୍ଥା ଦିଗରେ ଆଗକୁ ବଢ଼ିବା ଲାଗି ସବୁ ପକ୍ଷ ରାଜି ହୋଇଛନ୍ତି। 

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀର ଏହି ଘୋଷଣାରେ ସାତଟି ପ୍ରମୁଖ ସ୍ତମ୍ଭ ଉପରେ କାର୍ଯ୍ୟ କରିବା ଉପରେ ଆଲୋକପାତ କରାଯାଇଛି: ପ୍ରଥମତଃ, ଏଆଇ ସମ୍ବଳକୁ ସାର୍ବଜନୀନ କରାଯିବ। ଦ୍ୱିତୀୟତଃ ଆର୍ଥିକ ବିକାଶ ଓ ସାମାଜିକ କଲ୍ୟାଣକୁ ଆଗକୁ ବଢ଼ାଇବା ସହିତ ତୃତୀୟତଃ, ଏକ ସୁରକ୍ଷିତ ଓ ବିଶ୍ୱସ୍ତ ଏଆଇ ପ୍ରସ୍ତୁତ କରାଯିବ। ଚତୁର୍ଥତଃ, ବିଜ୍ଞାନ ପାଇଁ ଏଆଇକୁ ଉପଯୋଗ କରାଯିବ। ପଞ୍ଚମରେ ସାମାଜିକ ସଶକ୍ତିକରଣ ଲାଗି ଏହାର ସୁଲଭତାକୁ ବିସ୍ତାର କରାଯିବ। ଷଷ୍ଠରେ ମାନବ ପୁଞ୍ଜି ବିକାଶ କରାଯିବ ଏବଂ ଶେଷରେ ଦୃଢ଼, ଦକ୍ଷ ଓ ଅଭିନବ ଏଆଇ ପ୍ରଣାଳୀ ବିକଶିତ କରାଯିବ।

ଏହି ସମ୍ମିଳନୀରେ ସ୍ୱେଚ୍ଛାକୃତ, ସହଭାଗୀ ଏବଂ ବିଶ୍ୱସ୍ତରୀୟ ପ୍ରୟାସ ନିମନ୍ତେ ଏକାଧିକ ପରିଣାମ ଘୋଷଣା କରାଯାଇଥିଲା। ଏଆଇକୁ ସୁଲଭ କରିବା ଏବଂ ସ୍ଥାନୀୟ ପ୍ରାସଙ୍ଗିକ ଅଭିନବ ଇକୋସିଷ୍ଟମକୁ ପ୍ରୋତ୍ସାହନ ଲାଗି ଏଆଇର ସାର୍ବଜନୀନ କରାଯିବ। ବିଶ୍ୱସ୍ତରରେ ଏଆଇର ବ୍ୟାପକତା ଏବଂ ବିକାଶମୂଳକ ପ୍ରଭାବ ନିମନ୍ତେ ମଞ୍ଚ ପ୍ରସ୍ତୁତ କରାଯିବ। ଏଆଇ ଉପକରଣ, ଶ୍ରେଷ୍ଠ ପଦ୍ଧତି, ସୁରକ୍ଷିତ, ଓ ବିଶ୍ୱସ୍ତ ଏଆଇ ପ୍ରଣାଳୀ ନିର୍ମାଣ କରାଯିବ। ବୈଜ୍ଞାନିକ ପ୍ରତିଷ୍ଠାନ ଲାଗି ଏଆଇର ଅନ୍ତର୍ଜାତୀୟ ନେଟୱାର୍କ, ସାମାଜିକ ସଶକ୍ତିକରଣ ମଞ୍ଚ ପାଇଁ ଏଆଇର ଉପଯୋଗ, ଏଆଇ ଶ୍ରମଶକ୍ତି ବିକାଶ ଓ ଦକ୍ଷତା ବିକାଶ ସିଦ୍ଧାନ୍ତ, ଦୃଢ଼ ଓ ଦକ୍ଷ ଏଆଇ ଉପରେ ମାର୍ଗଦର୍ଶୀ ସିଦ୍ଧାନ୍ତ ଆପଣାଇବାକୁ ନିଷ୍ପତ୍ତି ହୋଇଛି।

ଘୋଷଣାନାମାରେ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ ନିମନ୍ତେ ଏଆଇର ଉପଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଛି। ବିଜ୍ଞାନ, ପ୍ରଶାସନ ଓ ଜନସେବା ବିତରଣରେ ଏଆଇର ଭୂମିକାକୁ ବିସ୍ତାର କରାଯିବ। ଏଆଇ ପ୍ରଶାସନରେ ସହଭାଗୀ ବିଶ୍ୱସ୍ତରୀୟ ପ୍ରାଥମିକତାକୁ ଆଗକୁ ବଢ଼ାଇବା ଲାଗି ନିଷ୍ପତ୍ତି ହୋଇଛି। ନିରନ୍ତର ସହଭାଗିତା ମାଧ୍ୟମରେ ଲକ୍ଷ୍ୟକୁ କାର୍ଯ୍ୟରେ ପରିଣତ କରିବା ଲାଗି ପଦକ୍ଷେପ ନିଆଯିବ। ଏଆଇ ଇମ୍ପାକ୍ଟ ସମ୍ମିଳନୀ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବ ଏବଂ ପ୍ରାଥମିକତାଗୁଡ଼ିକୁ ବିସ୍ତାର କରିବା କ୍ଷେତ୍ରରେ ଏକାଧିକ ଅଂଶୀଦାରକୁ ନେଇ ଆଗକୁ ବଢ଼ିବ ବୋଲି ସବୁ ପକ୍ଷ ସହମତ ହୋଇଛନ୍ତି। ଏହି ଆଭିମୁଖ୍ୟ ମାନବଜଗତର ଭବିଷ୍ୟତ ସମୃଦ୍ଧି ଲାଗି ଏଆଇକୁ ପ୍ରୋତ୍ସାହନ ଯୋଗାଇବ ବୋଲି ସବୁ ପକ୍ଷ ସ୍ୱୀକାର କରିଛନ୍ତି। 

ଆହୁରି ପଢ଼ନ୍ତୁ: US tariff ruling: ଆମେରିକା ଶୁଳ୍କ ରାୟର ଅନୁଧ୍ୟାନ ଚାଲିଛି: ଗୋୟଲ

ଏଆଇର ଲାଭକୁ ସାକାର କରିବା ଲାଗି ନିଜର ସହଭାଗୀ ଆକାଂକ୍ଷାକୁ ଆଗକୁ ବଢ଼ାଇବା ନିମନ୍ତେ ସବୁ ପକ୍ଷ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି। ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀର ସଂକଳ୍ପକୁ ସାକାର କରିବା ଲାଗି ନିରନ୍ତର ସହଯୋଗ ନିମନ୍ତେ ସବୁ ପକ୍ଷ ରାଜି ହୋଇଛନ୍ତି। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲଜିୟମ, ଭୂଟାନ, ବ୍ରାଜିଲ, କାନାଡ଼ା, ଚୀନ, ଡେନମାର୍କ, ଇଥିଓପିଆ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଗ୍ରୀସ, ଗୁୟାନା, ହଙ୍ଗେରୀ, ଇଣ୍ଡୋନେସିଆ, ଇରାନ, ଆୟରଲ୍ୟାଣ୍ଡ, ଇଟାଲୀ, ଜାପାନ, କାଜାକିସ୍ତାନ, ମରିସସ, ମେକ୍ସିକୋ, ନେଦରଲ୍ୟାଣ୍ଡସ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଶ୍ରୀଲଙ୍କା, ସ୍ପେନ, ସ୍ୱିଜରଲ୍ୟାଣ୍ଡ, ୟୁଏଇ, ବ୍ରିଟେନ, ଆମେରିକା, ୟୁରୋପୀୟ ସଂଘ, ସ୍ୱିଡେନ ଆଦି ୮୮ଟି ଦେଶ ଓ ଅନ୍ତର୍ଜାତୀୟ ସଂଗଠନର ରାଷ୍ଟ୍ରମୁଖ, ପ୍ରମୁଖ ଟେକ୍‌ କମ୍ପାନୀର ବରିଷ୍ଠ ଅଧିକାରୀ, ଏଆଇ ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ।