ଏଆଇସିସି ସାଧାରଣ ସମ୍ପାଦକ ଓ ପିସିସି ସଭାପତିଙ୍କ ସମ୍ବଲପୁର ଗସ୍ତ, ୫ ଜିଲ୍ଲାରେ ଦଳୀୟ ସଂଗଠନର ସମୀକ୍ଷା

ଏଆଇସିସି ସାଧାରଣ ସମ୍ପାଦକ ଓ ପିସିସି ସଭାପତିଙ୍କ ସମ୍ବଲପୁର ଗସ୍ତ, ୫ ଜିଲ୍ଲାରେ ଦଳୀୟ ସଂଗଠନର ସମୀକ୍ଷା

Odisha Sun Times

ସମ୍ବଲପୁର : ଓଡ଼ିଶାରେ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ଦଳ ତରଫରୁ ଆରମ୍ଭ ହୋଇଛି ଉଦ୍ୟମ। ଆଜି ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ଜିତେନ୍ଦ୍ର ସିଂହ, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ସମ୍ବଲପୁରରେ ପହଞ୍ଚି ୫ଟି ଜିଲ୍ଲାର ନେତୃବର୍ଗଙ୍କ ସହ ଆଲୋଚନା, ଦଳୀୟ ସ୍ଥିତିର ସମୀକ୍ଷା କରିବା ସହ କର୍ମୀଙ୍କ ମନରେ ଉତ୍ସାହ ଭରିବା ପାଇଁ ଉଦ୍ୟମ କରିଛନ୍ତି। ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର, ସୁବର୍ଣ୍ଣପୁର, ଦେବଗଡ଼, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ନେତାମାନେ ଯୋଗ ଦେଇଥିଲେ। ଗତ ନିର୍ବାଚନରେ କଂଗ୍ରେସ କେତେ ଭୋଟ ଅଧିକ ପାଇଛି ବା ହରାଇଛି ଏବଂ ତାହାର କାରଣ କଣ; ସେ ସମ୍ପର୍କରେ ଶ୍ରୀ ସିଂହ ସମସ୍ତ ଜିଲ୍ଲାସ୍ତରୀୟ ସଂଗଠନ ସହ ପୃଥକ ଭାବେ ଆଲୋଚନା କରିଥିଲେ। ତେବେ ଆଗକୁ ପୌର ନିର୍ବାଚନ ଥିବାରୁ କିଭଳି ରାଜ୍ୟରେ କଂଗ୍ରେସର ସ୍ଥିତିକୁ ତୃଣମୂଳସ୍ଥରରୁ ଅଧିକ ମଜବୁତ କରାଯାଇପାରିବ ସେନେଇ ସେ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି।

ସକାଳୁ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀ ସିଂହଙ୍କୁ ଦଳର କର୍ମୀମାନେ ଜିଲ୍ଲା କଂ‌ଗ୍ରେସ କାର୍ଯ୍ୟାଳୟକୁ ପାଛୋଟି ଆଣିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶ୍ବିନୀ ଗୁରୁ ଉଭୟ ନେତାଙ୍କ ସହ କର୍ମୀମାନଙ୍କୁ ସ୍ବାଗତ କରିଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦଳକୁ ଅଧିକ ମଜବୁତ କରିବା ପାଇଁ ନିଜେ ସକ୍ରିୟ ହେବା ସହ ସଂଗଠନକୁ ସକ୍ରିୟ କରିବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ଶ୍ରୀ ସିଂହ ତାଙ୍କ ଭାଷଣରେ ବର୍ତ୍ତମାନର କେନ୍ଦ୍ର ଓ ରାଜ୍ୟ ସରକାର ଜନବିରୋଧୀ ବୋଲି କହିଥିଲେ। ସିଏଏକୁ ‌କଂଗ୍ରେସ ଦୃଢ଼ ବିରୋଧ କରୁଛି ଓ ଏହା ବିରୋଧରେ ଆନ୍ଦୋଳନ ଜାରି ରଖିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଂପାଦକ ମୁସ୍ତାକ ଅଲୀ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ଏବଂ ପ୍ରଦୀପ ମାଝୀ ମଞ୍ଚାସୀନ ଥିଲେ। ୫ଟି ଯାକ ଜିଲ୍ଲାର ସଭାପତି ଓ ପ୍ରମୁଖ ନେତାଙ୍କ ସହିତ ପୂର୍ବତନ ବିଧାୟକ, ସାଂସଦ, ଗତ ନିର୍ବାଚନର ଦଳୀୟ ପ୍ରାର୍ଥୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe