୩ ବର୍ଷରେ ଦେଶରେ ୨୭୮ ନକଲି ଇଞ୍ଜିନିୟରିଂ କଲେଜ : ଓଡ଼ିଶାରେ ଗୋଟିଏ ଚିହ୍ନଟ

Advertisment

୨୦୧୫ରୁ କଟକରେ ଥିବା ଏହି କଲେଜରେ ତାଲା, ଦିଲ୍ଲୀରେ ୬୬, ତେଲେଙ୍ଗାନାରେ ୩୫ କଲେଜ

୨୦୧୫ରୁ କଟକରେ ଥିବା ଏହି କଲେଜରେ ତାଲା, ଦିଲ୍ଲୀରେ ୬୬, ତେଲେଙ୍ଗାନାରେ ୩୫ କଲେଜ

୩ ବର୍ଷରେ ଦେଶରେ ୨୭୮ ନକଲି ଇଞ୍ଜିନିୟରିଂ କଲେଜ : ଓଡ଼ିଶାରେ ଗୋଟିଏ ଚିହ୍ନଟ

ଭୁବନେଶ୍ୱର : ଓଡ଼ିଶାରୁ ଚିହ୍ନଟ ହୋଇଛି ଗୋଟିଏ ନକଲି ଇଞ୍ଜିନିୟରିଂ କଲେଜ। ଅଲ୍‌ ଇଣ୍ଡିଆ କାଉନ୍‌ସେଲିଂ ଫର୍‌ ଟେକ୍ନିକାଲ ଏଜୁକେସନ୍‌(ଏଆଇସିଟିଇ)ର ବିନା ଅନୁମତିରେ ଏହି କଲେଜ ଚାଲିଥିବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ୨୦୧୫ରୁ ୨୦୧୭ ମଧ୍ୟରେ ଦେଶରେ ମୋଟ ୨୭୮ଟି ନକଲି କଲେଜ ଥିବା ଜଣାପଡ଼ିଛି। ଗତବର୍ଷ ଓଡ଼ିଶାରେ ଦୁଇଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ ହୋଇଥିବାରୁ ଇଞ୍ଜିନିୟରିଂ କଲେଜ ସଂଖ୍ୟା ଅଧିକ ରହିଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରିପୋର୍ଟ ପରେ ବୈଷୟିକ ଶିକ୍ଷା ବିଭାଗକୁ ଟିକିଏ ଆଶ୍ୱସ୍ତି ମିଳିଛି।

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଗତ ତିନି ବର୍ଷରେ ଦିଲ୍ଲୀରେ ସର୍ବାଧିକ ୬୬ଟି ନକଲି ଇଞ୍ଜିନିୟରିଂ କଲେଜ ଚିହ୍ନଟ ହୋଇଛି। ତେଲେଙ୍ଗାନାରେ ୩୫, ପଶ୍ଚିମବଙ୍ଗରେ ୨୭, କର୍ଣ୍ଣାଟକରେ ୨୩, ଉତ୍ତରପ୍ରଦେଶରେ ୨୨, ହରିୟାଣାରେ ୧୮, ବିହାରରେ ୧୭, ମହାରାଷ୍ଟ୍ରରେ ୧୬, ତାମିଲନାଡ଼ୁରେ ୧୧, ଗୁଜୁରାଟରେ ୮, ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡ଼ରେ ୭ଟି ଲେଖାଏ, ପଞ୍ଜାବରେ ୫, ଝାଡ଼ଖଣ୍ଡରେ ୪, ରାଜସ୍ଥାନରେ ୩, ଉତ୍ତରାଖଣ୍ଡରେ ୩, କେରଳରେ ୨, ଗୋଆରେ ୨, ଓଡ଼ିଶା ଓ ହିମାଞ୍ଚଳ ପ୍ରଦେଶରୁ ଗୋଟିଏ ଲେଖାଏ ନକଲି କଲେଜ ଥିବା ଜଣାପଡ଼ିଛି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୧୬ଟିରେ ନକଲି କଲେଜ ନ ଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ଚିହ୍ନଟ ହୋଇଥିବା ଏହି କଲେଜଟି କଟକରେ ଥିଲା। ରାଜ୍ୟର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ନାଁରେ ଏହି କଲେଜ ଖୋଲିଥିଲା। ପିଲାଙ୍କ ନାମଲେଖା ମଧ୍ୟ ହୋଇଥିଲା। ୨୦୧୫ରେ ଏଭଳି ଘଟଣା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଲାଗି ବିଭିନ୍ନ ଆଡ଼ୁ ଦାବି ଉଠିଥିଲା। ଏନେଇ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା) ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରେ କଲେଜରେ ତାଲା ପଡ଼ିଥିଲା।

ଓପେକା ସମ୍ପାଦକ ବିନୋଦ ଦାସ କହିଛନ୍ତି ଯେ ଏବେ ଓଡ଼ିଶାରେ ନକଲି ଇଞ୍ଜିନିୟରିଂ କଲେଜ ନାହିଁ। ଦୁଇ ବର୍ଷ ତଳେ କଟକରେ ଏକ ନକଲି କଲେଜ ଚାଲୁଥିବା ନେଇ ଆମେ ଭିଜିଲାନ୍ସକୁ ଲେଖିଥିଲୁ। ତାହାକୁ ବନ୍ଦ କରି ଦିଆଯାଇଛି। ଏଦିଗରେ ଆମେ ଦୃଷ୍ଟି ରଖିଛୁ।

ସୂଚନାଯୋଗ୍ୟ ଯେ ଗତବର୍ଷ ସାରା ଦେଶରେ ୨୬ଟି ନକଲି ବିଶ୍ୱବିିଦ୍ୟାଳୟ ଚିହ୍ନଟ ହୋଇଥିଲା। ଏଥିରେ ଓଡ଼ିଶାର ଦୁଇଟି ଥିଲା। ଉତ୍ତର ଓଡ଼ିଶାରେ ଏକ ନକଲି କୃଷି ବିଶ୍ୱବିଦ୍ୟାଳୟ ଓ ରାଉରକେଲାରେ ଏକ ବିଶ୍ୱବିଦ୍ୟାଳୟ ଚାଲୁଥିବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ପ୍ର୍ରକାଶ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe