ବୈଷୟିକ ଶିକ୍ଷାନୁଷ୍ଠାନକୁ ଏଆଇସିଟିଇର ଚେତାବନୀ: ଛଟେଇ, ଦରମା କାଟ ବନ୍ଦ କର

Advertisment

ସମ୍ପୂର୍ଣ୍ଣ ଫି’ ଦେବାକୁ କହିପାରିବନି

ସମ୍ପୂର୍ଣ୍ଣ ଫି’ ଦେବାକୁ କହିପାରିବନି

ବୈଷୟିକ ଶିକ୍ଷାନୁଷ୍ଠାନକୁ ଏଆଇସିଟିଇର ଚେତାବନୀ: ଛଟେଇ, ଦରମା କାଟ ବନ୍ଦ କର

Deccan Chronicle

ଭୁବନେଶ୍ବର : କୋଭିଡ୍‌-୧୯ର ଦ୍ବିତୀୟ ଲହର ପାଇଁ ଦିନକୁ ଦିନ ସ୍ଥିତ ଜଟିଳ ହେଉଥିବା ବେଳେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଏବେ ଛଟେଇ ନୀତି ଆପଣାଇଛନ୍ତି। କେଉଁଠି ଅଧ୍ୟାପକଙ୍କୁ ତ ଆଉ କେଉଁଠି କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରୁଛନ୍ତି। ଆଉ କିଛି ଶିକ୍ଷାନୁଷ୍ଠାନ ଦରମା ଦେଉନାହାନ୍ତି। ପାଠପଢ଼ା ବନ୍ଦ ରହିଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ଫି’ ଦେବାକୁ ଚାପ ସୃଷ୍ଟି କରୁଛନ୍ତି। ଅଭିଭାବକଙ୍କ ଉପରେ ମଧ୍ୟ ଚାପ ପକାଯାଉଥିବା ନେଇ ସାରା ଦେଶରୁ ଶତାଧିକ ଅଭିଯୋଗ ଅଲ୍‌ ଇଣ୍ଡିଆ କାଉନସିଲ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ନିକଟରେ ପହଞ୍ଚିଛି। ଯାହାକୁ ଆଧାର କରି ଏଆଇସିଟିଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଜାତୀୟ ଜରୁରୀକାଳୀନ ପରିସ୍ଥିତିରେ ଦେଶର ସାମ୍ପ୍ରତିକ ସ୍ଥିତିକୁ ବିଚାର କରି ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କର ନିଜସ୍ବ କଲେଜ/ଅନୁଷ୍ଠାନର ସମସ୍ତ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ଓ ଆନୁଷଙ୍ଗିକ ସ୍ବାର୍ଥ ସୁରକ୍ଷା ପ୍ରତି ଗୁରୁତ୍ବ ଦେବାକୁ କହିଛି। ଏଥିସହ ନିର୍ଦେଶାବଳୀ ମଧ୍ୟ ଜାରି କରିଛି।

କୌଣସି ବି ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ଫି’ ଦାଖଲ କରିବାକୁ ପିଲାଙ୍କ ଉପରେ ଚାପ ପକାଇବା ଉଚିତ ନାହିଁ। ବରଂ କରୋନା ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ୩ କିମ୍ବା ୪ କିସ୍ତିରେ ଛାତ୍ରଛାତ୍ରୀଙ୍କଠାରୁ ଫି’ ସଂଗ୍ରହ କରନ୍ତୁ। ସେହି ଅନୁଯାୟୀ କଲେଜ/ଶିକ୍ଷାନୁଷ୍ଠାନ ଏହି ସୂଚନାକୁ ନିଜ ୱେବସାଇଟ୍‌ରେ ପ୍ରଦର୍ଶନ କରିବା ସହ ଇ‌-ମେଲ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଜଣାଇବାକୁ କୁହାଯାଇଛି। ସେହିପରି କୌଣସି ଏକ ନିର୍ଦ୍ଦିଷ୍ଟ କାରଣ ନ ଥାଇ ଅଧ୍ୟାପକଙ୍କୁ ଛଟେଇ କରାଯାଇ ପାରିବ ନାହିଁ। ଶିକ୍ଷାନୁଷ୍ଠାନଗୁଡ଼ିକ ଅଧ୍ୟାପକ ଓ କର୍ମଚାରୀଙ୍କ ମାସିକ ଦରମା ନିର୍ଦ୍ଧାରିତ ସମୟରେ ପ୍ରଦାନ କରିବେ। ଲକ୍‌ଡାଉନ୍‌ ସମୟରେ ଯଦି କୌଣସି କର୍ମଚାରୀଙ୍କୁ ଛଟେଇ କରାଯାଇଥିବ, ତାହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଏଆଇସିଟିଇ ପକ୍ଷରୁ କୁହାଯାଇଛି।

ଆହୁରି କୁହାଯାଇଛି ଯେ ବିଭିନ୍ନ ଗୋଷ୍ଠୀ ଓ ବ୍ୟକ୍ତିବିଶେଷ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମିଥ୍ୟା ଖବର ପ୍ରଚାର କରୁଛନ୍ତି। ଯାହାଦ୍ବାରା ଭୁଲ ତଥ୍ୟ ଓ ଗୁଜବ ସୃଷ୍ଟି ହେଉଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ/ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଓ ଏଆଇସିଟିଇ ଅଫିସିଆଲ୍‌ ୱେବସାଇଟ୍‌ରେ ପ୍ରକାଶ ପାଉଥିବା ବିଜ୍ଞପ୍ତିକୁ ହିଁ କେବଳ ବିଶ୍ବାସ କରନ୍ତୁ। ସେହିପରି ଉକ୍ତ ମନ୍ତ୍ରଣାଳୟ ସହ ଜଡ଼ିତ ହୋଇଥିବା ଅନ୍ୟ ସଂସ୍ଥାର ୱେବସାଇଟ୍‌ରେ ପ୍ରକାଶିତ ବିଜ୍ଞପ୍ତିକୁ ବି ବିଶ୍ବାସ କରିପାରିବେ। ଗୋଟିଏ ଶିକ୍ଷାନୁଷ୍ଠାନ ଅନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଲାଗି ନିଜ କ୍ୟାମ୍ପସକୁ ଉନ୍ମୁକ୍ତ ରଖିବା ଆବଶ୍ୟକ। ଫଳରେ ଛାତ୍ରଛାତ୍ରୀ କ୍ୟାମ୍ପସର ଇଣ୍ଟରନେଟ୍‌ ଓ ୱାଇ-ଫାଇ ସୁବିଧା ବ୍ୟବହାର କରିପାରିବେ। ଲକ୍‌ଡାଉନ୍‌ ଜାରି ରହିଥିବାରୁ ଉପସ୍ଥାନ ନିୟମରେ କୋହଳ କରିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ଶିକ୍ଷାନୁଷ୍ଠାନ ଉପରୋକ୍ତ ନିୟମକୁ ଉଲ୍ଲଂଘନ କରନ୍ତି, ସେମାନଙ୍କ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଆଇସିଟିଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe