ଏଡ୍‌ସ ଆକ୍ରାନ୍ତ ପ୍ରସୂତିଙ୍କ ଚିକିତ୍ସା କଲେନି, ୩୬ ଘଣ୍ଟାର ପ୍ରସବ ଯନ୍ତ୍ରଣା ପରେ ପେଟରେ ମରିଗଲା ପିଲା

Advertisment
ଏଡ୍‌ସ ଆକ୍ରାନ୍ତ ପ୍ରସୂତିଙ୍କ ଚିକିତ୍ସା କଲେନି, ୩୬ ଘଣ୍ଟାର ପ୍ରସବ ଯନ୍ତ୍ରଣା ପରେ ପେଟରେ ମରିଗଲା ପିଲା

updateodisha.com

ବାରିପଦା : ୩୬ ଘଣ୍ଟା କାଳ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଲେ ପ୍ରସୂତି। ଡାକ୍ତର ଓ ନର୍ସ ସବୁ ଦେଖି ବି ନିରବ ରହିଲେ। ପ୍ରସୂତିଙ୍କ ଦୋଷ ଏଇଆ ଯେ, ସେ ଥିଲେ ଏଡ୍‌ସ ଆକ୍ରାନ୍ତ। ଶେଷରେ ଖବର ପ୍ରଘଟ ହେବା ପରେ ମହିଳାଙ୍କର ଅସ୍ତ୍ରୋପଚାର କରିଥିଲେ ଡାକ୍ତର। ହେଲେ ସେତେବେଳକୁ ଗର୍ଭସ୍ଥ କନ୍ୟାସନ୍ତାନର ମୃତ୍ୟୁ ହୋଇ ସାରିଥିଲା। ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଏଭଳି ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାରେ ମୟୂରୀ ସୋସିଆଲ୍‌ ଓ୍ବେଲଫେୟାର ସୋସାଇଟିର ସଦସ୍ୟା ସନ୍ଧ୍ୟାରାଣୀ ନନ୍ଦ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶ୍ରୀମତୀ ନନ୍ଦଙ୍କ ସୂଚନା ଅନୁଯାୟୀ, ଗତ ୧୨ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ରାଇରଙ୍ଗପୁର ଉପଖଣ୍ତ ଜାମଦା କଙ୍ଖା ଅଞ୍ଚଳର ଜଣେ ଏଡ୍‌ସ ଆକ୍ରାନ୍ତ ୩୪ ବର୍ଷୀୟା ପ୍ରସୂତି ରାଇରଙ୍ଗପୁର ଉପଖଣ୍ତ ଡାକ୍ତରଖାନାରୁ ପିଆର୍‌ଏମ୍‌କୁ ସ୍ଥାନାନ୍ତର ହୋଇ ଆସିଥିଲେ। ସାଙ୍ଗରେ ଥିଲେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀ। ୧୨ ତାରିଖ ରାତିରୁ ୧୪ ତାରିଖ ସକାଳ ୯ଟା ଯାଏ ପ୍ରସୂତି ଜଣକ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ହେଲେ ଦାୟିତ୍ବରେ ଥିବା ଡାକ୍ତର କିମ୍ବା ନର୍ସ କେହି ତାଙ୍କର ଚିକିତ୍ସା କଲେନି। ଖବର ପାଇ କିଛି ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ଡାକ୍ତରଖାନାରେ ପହଞ୍ଚିବା ସହ ଗଣମାଧ୍ୟମକୁ ଏ ସମ୍ପର୍କରେ ଜଣାଇଥିଲେ। ଏହା ପରେ ଆଜି ସକାଳ ସାଢ଼େ ୯ଟାରେ ପ୍ରସୂତିଙ୍କର ଅସ୍ତ୍ରୋପଚାର କରି ଡାକ୍ତର ଏକ ମୃତ ଶିଶୁକନ୍ୟା ବାହାର କରିଥିଲେ। ଡାକ୍ତରଙ୍କ ଅବହେଳା କାରଣରୁ ଶିଶୁଟିର ମୃତ୍ୟୁ ହୋଇଥିବା ଶ୍ରୀମତୀ ନନ୍ଦ ଅଭିଯୋଗ କରିଛନ୍ତି।

ତେବେ ପ୍ରସୂତିଙ୍କ ସହ ଆସିଥିବା ଆଶାକର୍ମୀଙ୍କ କହିବା ଅନୁସାରେ, ଦାୟିତ୍ବରେ ଥିବା ଡାକ୍ତର ସ୍ବାଭାବିକ ପ୍ରସବ କରାଇବାକୁ ଚାହୁଁଥିଲେ। ସେଥିପାଇଁ ପ୍ରସୂତିଙ୍କୁ ସେ କିଛି ଔଷଧ ଖାଇବାକୁ ଦେଇଥିଲେ। କିନ୍ତୁ ସାଧାରଣ ପ୍ରସବ ସମ୍ଭବ ନ ହେବାରୁ ଆଜି ଅସ୍ତ୍ରୋପଚାର କରାଯାଇଥିଲା। ଯଦି ପୂର୍ବରୁ ଅସ୍ତ୍ରୋପଚାର କରାଯାଇଥାନ୍ତା ହୁଏତ ପିଲାଟି ବଞ୍ଚି ଯାଇଥାନ୍ତା ବୋଲି ସେ କହିଛନ୍ତି। ସେହିପରି ପ୍ରସୂତିଙ୍କ ସ୍ବାମୀଙ୍କ କହିବା ମୁତାବକ, ୩ ମାସ ତଳେ ତାଙ୍କ ସ୍ତ୍ରୀଙ୍କ ରକ୍ତ ପରୀକ୍ଷା ସମୟରେ ଏଚ୍ଆଇଭି ପଜିଟିଭ ବାହାରିଥିଲା। କିନ୍ତୁ ଡାକ୍ତରଖାନାରେ ଏ ପର୍ଯ୍ୟନ୍ତ ତାଙ୍କ (ନିଜର) ରକ୍ତ ପରୀକ୍ଷା କେହି କରିନାହାନ୍ତି। ଘଟଣା ସଂପର୍କରେ ମେଡିକାଲ କଲେଜ ଅଧୀକ୍ଷକ ବିଏନ୍‌ ମହାପାତ୍ର ଓ ସିଡିଏମ୍‌ଓ ଡାକ୍ତର ରୁପଭାନୁ ମିଶ୍ରଙ୍କ ମତାମତ ପାଇଁ ବାରମ୍ବାର ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ବି କେହି ଫୋନ୍‌ ଉଠାଇନଥିଲେ। ଚଳିତ ମାସ ପହିଲାରେ ପିଆର୍‌ଏମ ପରିସରରେ ବିଶ୍ବ ଏଡ୍‌ସ ଦିବସ ପାଳନ ଅବସରରେ ଡାକ୍ତରମାନେ ‘ରୋଗୀକୁ ନୁହେଁ, ରୋଗକୁ ଘୃଣା କର’ ବୋଲି ବାର୍ତ୍ତା ଦେବାର ଦିନ କେଇଟା ପରେ ଏଭଳି ଘଟଣା ସାମ୍‌ନାକୁ ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe