DNA India
ଆଇସିୟୁ ଦରକାର ହେଉଥିଲେ ରୋଗୀଙ୍କ ରେଫର୍ କରିଦିଅ
ହୃଦ୍ରୋଗ ବିଭାଗ ବୈଠକରେ ବଢ଼ିଲା ଅସନ୍ତୋଷ
୫ ବର୍ଷର ଦାବିକୁ ଶୁଣୁନାହାନ୍ତି କର୍ତ୍ତୃପକ୍ଷ
ଭୁବନେଶ୍ବର : ଏମ୍ସ ଭୁବନେଶ୍ବରକୁ ଭେଣ୍ଟିଲେଟର ମିଳିବ, କିନ୍ତୁ ଆଇସିୟୁ ମିଳି ପାରିବ ନାହିଁ। ବରଂ କାଥୋଲାବ୍ ଦିବସ ସଂଖ୍ୟା ହ୍ରାସ କରାଯିବ। ଓପିଡିରେ ରୋଗୀଙ୍କ ଚିକିତ୍ସା ପରେ ଆଇସିୟୁର ଆବଶ୍ୟକତା ପଡ଼ିଲେ ଅନ୍ୟ ହସ୍ପିଟାଲକୁ ରେଫର କରିଦିଅ ବୋଲି ଡାକ୍ତରଙ୍କୁ ପରାମର୍ଶ ଦେଉଛନ୍ତି ଅଧୀକ୍ଷକ। ଏମ୍ସ ହୃଦରୋଗ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଇସିୟୁ ସଂକ୍ରାନ୍ତରେ ଆଲୋଚନା ବେଳେ ଅଧୀକ୍ଷକ ଡ.ଏସ୍ଏନ୍ ମହାନ୍ତି ଏଭଳି କହିବାରୁ ଏହାକୁ ନେଇ ଉପସ୍ଥିତ ବରିଷ୍ଠ ଏବଂ କନିଷ୍ଠ ରେସିଡେଣ୍ଟମାନେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଏମ୍ସ ହୃଦରୋଗ ବିଭାଗରେ ସ୍ବତନ୍ତ୍ର ଆଇସିୟୁ ପାଇଁ ୫ ବର୍ଷ ହେଲା ଲିଖିତ ଭାବରେ ଅନୁରୋଧ କରି ଆସୁଛନ୍ତି ବିଭାଗୀୟ ଡାକ୍ତର ଏବଂ ଡାକ୍ତରୀ ଛାତ୍ର। ମାତ୍ର ଆଜି ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଆଇସିୟୁ ନଥିବା ବେଳକୁ ଏବେ ପୁଣି କାଥୋଲାବ୍ ଦିବସ ସଂଖ୍ୟା ହ୍ରାସ କରିଦେଲେ ସେମାନଙ୍କ ପାଠପଢ଼ା ପ୍ରଭାବିତ ହେବ ବୋଲି ଦର୍ଶାଇ ସେମାନେ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି।
ନିକଟରେ ‘ସମ୍ବାଦ’ରେ ‘କୋମାରେ ଏମ୍ସ ହୃଦରୋଗ ବିଭାଗ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଅଧୀକ୍ଷକ ତଥା ହୃଦରୋଗ ବିଭାଗର ଏଚ୍ଓଡି ଏସଏନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସହକାରୀ ପ୍ରଫେସର ରାମଚନ୍ଦ୍ର ବାରିକ, ସହଯୋଗୀ ପ୍ରଫେସର ଡ.ଦେବାଶିଷ ଦାଶ, ଡାକ୍ତର ଦେବାଶିଷ ଆଚାର୍ଯ୍ୟ, ବରିଷ୍ଠ ଏବଂ କନିଷ୍ଠ ଏସ୍ଆର୍ ଓ ଟେକନିସିଆନ୍ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ଡାକ୍ତରମାନେ କହିଥିଲେ, ରାଜ୍ୟର ବିଭିନ୍ନ ସ୍ଥାନରୁ ରେଫର୍ ହୋଇ ଅତି ଗୁରୁତର ଅବସ୍ଥାରେ ରୋଗୀ ଏମ୍ସକୁ ଆସୁଛନ୍ତି। ଏଠାରେ ୨୪ ବା ୪୮ ଘଣ୍ଟା ଯାଏ ସେମାନଙ୍କୁ ଯେଉଁ ଅବ୍ଜରଭେସନ୍ରେ ରଖାଯାଉଛି ଏଥିପାଇଁ ଆଇସିୟୁର ନିତାନ୍ତ ଆବଶ୍ୟକତା ରହିଛି। ବର୍ତ୍ତମାନ ସ୍ଥିତି ଯେଉଁଭଳି ରହିଛି, ହୃଦ୍ରୋଗ ବିଭାଗରେ ଅନ୍ୟୂନ ୨୦ଟି ଆଇସିୟୁ ଶଯ୍ୟାର ଆବଶ୍ୟକତା ରହିଛି। ତେବେ ଅଧୀକ୍ଷକ ଏଠାରେ ଆଇସିୟୁ ପରିଚାଳନା ପାଇଁ କର୍ମଚାରୀଙ୍କ ଅଭାବ ରହିଥିବା ଦର୍ଶାଇ ସେମାନଙ୍କ ଦାବିକୁ ଏଡ଼ାଇ ଯାଇଥିଲେ। ଯାହାକୁ ବିଭାଗର ବରିଷ୍ଠ ଡାକ୍ତରମାନେ ମଧ୍ୟ ବିରୋଧ କରିଥିଲେ। ଯେଉଁ ଡାକ୍ତରମାନେ ଏଞ୍ଜିଓଗ୍ରାମ, ଏଞ୍ଜିଓପ୍ଲାଷ୍ଟି, ପେସ୍ମେକର୍ ଆଦିର ଚିକିତ୍ସା କରୁଛନ୍ତି; ସେମାନେ ଆଇସିୟୁ ପରିଚାଳନା କରିବାରେ କୌଣସି ଅସୁବିଧା ହେବ ନାହିଁ। ବର୍ତ୍ତମାନ ସପ୍ତାହକୁ ୬ ଦିନ କାଥୋଲାବ୍ ହେଉଛି। ଯେତେ ଅଧିକ କେଥୋଲାବ୍ କରାଯାଉଛି, ସେତେ ଅଧିକ ଆଇସିୟୁର ଆବଶ୍ୟକତା ରହିଛି। ତେଣୁ ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କାଥୋଲାବ୍ ଦିବସ ସଂଖ୍ୟା ହ୍ରାସ କରିବାକୁ ଅଧୀକ୍ଷକ ପରାମର୍ଶ ଦେଇଥିଲେ। ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ରେଫର୍ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ଯାହାକୁ ନେଇ ଉପସ୍ଥିତ ଏସ୍ଆର୍, ଡାକ୍ତରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ ଏମ୍ସର ହୃଦରୋଗ ବିଭାଗକୁ ଅଧିକାଂଶ ରୋଗୀ ଏଂଜିଓପ୍ଲାଷ୍ଟି ଓ ପେସମେକର ପାଇଁ ଆସିଥାଆନ୍ତି। କେଥୋଲାବ୍ ବନ୍ଦ କରିଦେଲେ, ରୋଗୀ ସେବା ଏବଂ ଡାକ୍ତରୀ ସେବା ଉଭୟ ବାଧାପ୍ରାପ୍ତ ହେବ।
ସୂଚନା ଅନୁଯାୟୀ, ଏମ୍ସ ହୃଦ୍ରୋଗ ବିଭାଗ ଓପିଡିକୁ ୨୫୦ରୁ ୩୦୦ ରୋଗୀ ଆସିଥାଆନ୍ତି। ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ରୋଗୀଙ୍କୁ ଅବସ୍ଥା ଏଭଳି ରହିଥାଏ ଯେ ସେମାନଙ୍କୁ ତୁରନ୍ତ ଆଇସିୟୁର ଆବଶ୍ୟକତା ରହିଥାଏ। ମାତ୍ର ବିଭାଗରେ କେବଳ ଦୁଇଟି ଆିସିୟୁ ଶଯ୍ୟା ରହିଛି, ଯେଉଁଠି ଭେଣ୍ଟିଲେଟର ଟିଏ ମଧ୍ୟ ନାହିଁ। ଗୋଟିଏ ଆଇସିୟୁ ଶଯ୍ୟା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଆବଶ୍ୟକ। ମାତ୍ର ଗୁରୁତ୍ବପୂର୍ଣ୍ଣ ବିଭାଗକୁ କାହିଁକି ଆଇସିୟୁ ଦିଆଯାଉ ନାହିଁ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।
Follow Us