ଜୟପୁର ଓ ଉତ୍‌କେଲାକୁ ବିମାନ ସେବା ବିଳମ୍ବିତ: ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କଲେ ମାନସ

ଜୟପୁର ଓ ଉତ୍‌କେଲାକୁ ବିମାନ ସେବା ବିଳମ୍ବିତ: ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କଲେ ମାନସ

ଭୁବନେଶ୍ବର : ‘ଉଡାନ୍’ ଯୋଜନାରେ ଓଡ଼ିଶାର ଜୟପୁର, ଉତ୍‌କେଲା, ରାଉରକେଲା ଆଦି ଅଞ୍ଚଳକୁ ସାମିଲ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏଏଆଇ ଅଧିକାରୀ ବାରମ୍ବାର କ୍ଷେତ୍ର ପରିଦର୍ଶନ କରୁଥିଲେ ମଧ୍ୟ ତାହାର ସୁଫଳ ମିଳୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଆଜି ସ୍ୱତନ୍ତ୍ର ଧ୍ୟାନ ଆକର୍ଷଣକାରୀ ନୋଟିସ୍‌ ଜରିଆରେ ଶ୍ରୀ ମଙ୍ଗରାଜ କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତ୍‌କେଲାକୁ ବିମାନ ଚଳାଚଳ ନିମନ୍ତେ ଦାବି କରିଛନ୍ତି।

ଶ୍ରୀ ମଙ୍ଗରାଜ କହିଥିଲେ ଯେ ୨୦୧୭ ମସିହାରେ ଉଡାନ୍ ଯୋଜନା ଅଧୀନରେ ଝାରସୁଗୁଡ଼ା ସମେତ ମାଓ ଉପଦ୍ରୁତ କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଉତ୍‌କେଲା ବିମାନଘାଟିରୁ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ବିଭିନ୍ନ ପ୍ରକ୍ରିୟା ପରେ ୨୦୨୦ ମସିହାରେ ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଝାରସୁଗୁଡ଼ାରୁ ବିମାନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଉଡାନ୍ ଯୋଜନା ଅଧୀନରେ ରାଉରକେଲାରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। କିନ୍ତୁ ପରିତାପର ବିଷୟ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାବାସୀଙ୍କ ଆକାଂକ୍ଷା ପୂରଣ ହୋଇପାରିନାହିଁ। ଇତି ମଧ୍ୟରେ ଏଏଆଇ ପକ୍ଷରୁ ବାରମ୍ବାର କ୍ଷେତ୍ର ପରିଦର୍ଶନ, ଆଲୋଚନା ପର୍ଯ୍ୟାଲୋଚନା ସହିତ ଜୟପୁର ଓ ଉତ୍‌କେଲାରୁ ବିମାନ ଚଳାଚଳ ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ଦିଆଯାଇଛି। ହେଲେ ଅତ୍ୟନ୍ତ ଦୁଃଖର ବିଷୟ ହେଉଛି ଯେ ଅଜଣା କାରଣ ପାଇଁ ଆଜି ପର୍ଯ୍ୟନ୍ତ ଦୁଇ ସ୍ଥାନରୁ ବିମାନ ସେବା ଆରମ୍ଭ ହୋଇପାରିଲା ନାହିଁ। ଦୁଇ ଜିଲ୍ଲାବାସୀ ନିଜ ସ୍ୱପ୍ନ ସାକାର ହେବାକୁ ଚାହିଁ ବସିଛନ୍ତି।

ଶ୍ରୀ ମଙ୍ଗରାଜ ଯୁକ୍ତି ଦର୍ଶାଇଛନ୍ତି ଯେ ଉଭୟ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ପଡ଼ୋଶୀ ରାଜ୍ୟର ବାଣିଜ୍ୟିକ ପ୍ରବେଶ ପଥ ବୋଲି କୁହାଯାଏ। ବାଣିଜ୍ୟିକ ପରିବେଶ ତଥା ମାଓ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ସୁରକ୍ଷିତ ପରିବହନ ନିମନ୍ତେ ଜୟପୁର ଓ ଉତ୍‌କେଲା ବେଶ୍ ଗୁରୁତ୍ୱ ବହନ କରିଥାଏ। ଏଠାରୁ ବିମାନ ସେବା ଆରମ୍ଭ ହେଲେ ତାହା ସମଗ୍ର ରାଜ୍ୟ ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିବ। ତେଣୁ ଓଡ଼ିଶାବାସୀଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗକୁ ଗୁରୁତ୍ୱ ପ୍ରଦାନ କରି ଦୁଇ ବିମାନଘାଟିରୁ ଯଥାଶୀଘ୍ର ବିମାନ ଚଳାଚଳ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ସେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe