ରାଉରକେଲା ଦେଖିବ ବାୟୁସେନାର ‘ଏୟାର୍‌ ସୋ’

Advertisment

ବିଶ୍ବକପ୍‌ ପୂର୍ବରୁ ହେବା ସମ୍ଭାବନା, ଆର୍‌ଏସ୍‌ପି-ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ

ବିଶ୍ବକପ୍‌ ପୂର୍ବରୁ ହେବା ସମ୍ଭାବନା, ଆର୍‌ଏସ୍‌ପି-ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ

ରାଉରକେଲା ଦେଖିବ ବାୟୁସେନାର ‘ଏୟାର୍‌ ସୋ’

ରାଉରକେଲା: ରାଉରକେଲାବାସୀଙ୍କ ଦୀର୍ଘ ଦିନର ଅଭିଳାଷ ପୂରଣ ହେବାକୁ ଯାଉଛି। ସହରବାସୀ ସର୍ବପ୍ରଥମଥର ପାଇଁ ରାଉରକେଲାରେ ଭାରତୀୟ ବାୟୁସେନାର ‘ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌’ ଦ୍ବାରା ‘ଏୟାର୍‌ ସୋ’ ଦେଖିବାର ସୁଯୋଗ ପାଇବେ। ଏନେଇ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ବେଗ ଧରିଛି। ହକି ବିଶ୍ବକପ୍‌ ପୂର୍ବରୁ ହକିର ମାହୋଲ ସୃଷ୍ଟି କରିବା ସହ ସହରବାସୀଙ୍କ ବହୁ ଆକାଂକ୍ଷିତ ସ୍ବପ୍ନ ପୂରଣ କରିବା ଉଦ୍ଦେଶ୍ୟରେ ସମ୍ଭବତଃ ଆଗାମୀ ଜାନୁଆରୀ ମାସରେ ରାଉରକେଲାରେ ହେବାକୁ ଥିବା ହକି ବିଶ୍ବକପ୍‌ ପୂର୍ବରୁ ଏୟାର୍‌ ସୋ’ ଅନୁଷ୍ଠିତ ହେବ। ତେବେ ଏଯାଏଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନି। ଏ ଦିଗରେ ଉଭୟ ରାଜ୍ୟ ସରକାର ଓ ଆର୍‌ଏସ୍‌ପି ପ୍ରଶାସନ ପକ୍ଷର ଚୂଡ଼ାନ୍ତ ବୈଠକରେ ନିଷ୍ପତ୍ତି ନିଆଯିବ।

କିଛି ଦିନ ପୂର୍ବେ ଆର୍‌ଏସ୍‌ପି ପକ୍ଷରୁ ଏୟାର ସୋ’ ଆୟୋଜନ ପାଇଁ ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଭାରତ ସରକାରଙ୍କଠାରୁ ସବୁଜ ସଙ୍କେତ ମିଳିବାପରେ ଆର୍‌ଏସ୍‌ପି ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏହି କ୍ରମରେ ଗତ ୧୯ ତାରିଖରେ ଆର୍‌ଏସ୍‌ପି ଇଡି(ପି ଆଣ୍ଡ୍‌ ଏ) ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗକୁ ଇ-ମେଲ ମାଧ୍ୟମରେ ଅନୁମତି ମାଗିଥିଲେ। ଏହାର ଜବାବରେ ଗତ ୨୨ ତାରିଖ ରାଜ୍ୟ ସରକାରଙ୍କ ଅନୁସଚିବ କଳ୍ପତରୁ ରାଉତରାୟ ଜବାବ ରଖିଛନ୍ତି। ଏୟାର ସୋ’ ଆୟୋଜନ କରିବାକୁ ଆନୁଷ୍ଠାନିକ ଅନୁମତି ଦେଇଛନ୍ତି। ଏହାସହ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନାକରି ତାରିଖ ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ଖବର ରାଉରକେଲାବାସୀଙ୍କ ମନରେ ଖୁସିର ଲହରୀ ଖେଳାଇଦେଇଛି।

ଉଲ୍ଲେଖଯୋଗ୍ୟ, ଗତ ମେ’ ମାସରେ ରାଉରକେଲାରେ ଏୟାର ସୋ’ ଆୟୋଜନ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମତି ଦେଇନଥିଲା। ଆର୍‌ଏସ୍‌ପିର ପୂର୍ବତନ ସିଜିଏମ୍‌ ତଥା ସମାଜସେବୀ ବିମଳ ବିଶି ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖିଥିଲେ। ଜବାବରେ ବିଭାଗୀୟ ଅନୁସଚିବ ଏସ.କେ. ତିୱାରୀ ସାଂପ୍ରତିକ ବୈଶ୍ବିକ ସ୍ଥିତି ଯୋଗୁଁ ଏୟାର ସୋ’ ଉପରେ କଟକଣା ଲଗାଯାଇଥିବାରୁ କିଛି ମାସ ପର୍ଯ୍ୟନ୍ତ ଏହାର ଆୟୋଜନ ହୋଇପାରିବ ନାହିଁ। ଭବିଷ୍ୟତରେ ସ୍ଥିତିରେ ସୁଧାର ଆସିଲେ, ଏହି ଦାବିକୁ ପୁନର୍ବିଚାର କରାଯିବବୋଲି ଜବାବ ରଖିଥିଲେ। ସେତେବେଳେ ଏହା ସହରବାସୀଙ୍କ ମନରେ ନିରାଶା ଖେଳାଇଦେଇଥିଲା। ତେବେ ବିଳମ୍ବ ହେଉ ପଛେ, ଏୟାର ସୋ’ ଆୟୋଜନ ପାଇଁ ଅନୁମତି ମିଳିବାପରେ ସହରବାସୀଙ୍କ ମନରେ ନୁଆ ଉତ୍ସାହ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe