ଜେଲ୍ ଗଲେ ଅଜୟ, ବିଜୟ

Advertisment
ଆୟ ବହର୍ଭୂତ ସଂପତ୍ତି ଠୁଳ ମାମଲା : ଅଜୟ ଦାସଙ୍କୁ ମିଳିଲା ଜାମିନ

ଆକ୍ସନ ମୁଡରେ ଭିଜିଲାନ୍ସ। ଗୋଟିଏ ଦିନରେ ଦୁଇ ଦୁଇ ଜଣ ବାବୁ ଜାଲରେ ପଡ଼ି ଜେଲ୍ ଯାଇଛନ୍ତି। ପ୍ରାୟ ୩ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ ତଥା ବିତ୍ତ ଉପଦେଷ୍ଟା ଅଜୟ କୁମାର ଦାସଙ୍କୁ ଜେଲ ଯିବାକୁ ପଡ଼ିଛି। ସେହିପରି ଡ୍ରାଇଭରଙ୍କ ବକେୟା ପ୍ରାପ୍ୟ ବିଲ୍ ପାସ କରିବା ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କୃଷି ବିପଣନ ନିର୍ଦେଶକଙ୍କ କାର୍ଯ୍ୟାଳୟର ଡିଡିଓ ତଥା ସହକାରୀ ନିର୍ଦେଶକ ବିଜୟ କୁମାର ଦାଶ ମଧ୍ୟ ଜେଲ ଯାଇଛନ୍ତି। ତେବେ ରାଜଧାନୀରେ ଏହି ଅଜୟ ଓ ବିଜୟଙ୍କ ଜେଲ ଯିବାକୁ ନେଇ ଚର୍ଚା ଜୋର୍ ଧରିଛି।

୩ କୋଟି ଟଙ୍କାର ସମ୍ପତ୍ତି ଠାବ
ଭୁବନେଶ୍ବର, ପୁରୀ, ବାଲେଶ୍ବରରେ ୩ କୋଠା, ୪ ଫ୍ଲାଟ୍, ୯ ଜମି ଠାବ
୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୮୧ ଲକ୍ଷ ଟଙ୍କାର ଜୀବନ ବୀମା
କେଜିଏ ସୁନା ଓ ରୁପା ଅଳଙ୍କାର

ଭୁବନେଶ୍ୱର : ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ ତଥା ବିତ୍ତ ଉପଦେଷ୍ଟା ଅଜୟ କୁମାର ଦାସଙ୍କ ସମ୍ପତ୍ତ ଦେଖି ଭିଜିଲାନ୍ସ ଅଧିକାରୀମାନେ ତାଜୁବ୍ ହୋଇ ଯାଇଛନ୍ତି। ଗତକାଲି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଚଢ଼ଉ ଆଜି ଅପରାହ୍ନରେ ଶେଷ ହୋଇଥିଲା। ପ୍ରାୟ ୩୦ ଘଣ୍ଟା ଧରି ଏହି ଚଢ଼ଉ ଜାରି ରହିଥିଲା। ଚଢ଼ଉ ସମୟରେ ଭୁବନେଶ୍ବର ଓ ପୁରୀରେ ୪ଟି ଫ୍ଲାଟ୍, ୨ଟି କୋଠା ଏବଂ ବାଲେଶ୍ବରରେ ଗୋଟିଏ କୋଠା ଠାବ କରାଯାଇଛି। ସମୁଦାୟ ୪ଟି ଫ୍ଲାଟ୍ ଓ ୩ଟି କୋଠାର ମୂଲ୍ୟ ୧ କୋଟି ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଭୁବନେଶ୍ବର, ବାଲେଶ୍ବର ଓ ଭଦ୍ରକରେ ୯ଟି ପ୍ଲଟ୍ ମଧ୍ୟ ମିଳିଛି। ୫୦ ଲକ୍ଷ ୮୩ ହଜାର ଟଙ୍କାର ବ୍ୟାଙ୍କ ଏବଂ ଫିକ୍ସଡ୍ ଡିପୋଜିଟ୍ ମିଳିଥିବା ବେଳେ ୧ କେଜିରୁ ଅଧିକ ସୁନା ଓ ରୁପା ଅଳଙ୍କାର ଠାବ ହୋଇଛି। ଯାହାର ମୂଲ୍ୟ ୨୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ସେହିପରି ୮୧ ଲକ୍ଷ ୫୩ ହଜାର ଟଙ୍କାର ଜୀବନ ବୀମା ପଲିସି ମଧ୍ୟ ଜବତ କରିଛି ଭିଜିଲାନ୍ସ। ନଗଦ ୨ ଲକ୍ଷ ୬୯ ହଜାର ଟଙ୍କା ଜବତ ହୋଇଛି। ଏହି ସବୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଅଜୟଙ୍କ ଆୟ, ଖର୍ଚ୍ଚ ସବୁ ହିସାବ ପରେ ଏହି ଟଙ୍କା ଆୟ ବହିର୍ଭୂତ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି। ଯାହାର ହିସାବ ମଧ୍ୟ ଅଜୟ ଦେଇ ପାରି ନ ଥିଲେ ବୋଲି ଭିଜିଲାନ୍ସ କହିଛି। ଆୟ ବହିର୍ଭୂତ ସମ୍ପତ୍ତ ଠୁଳ ମାମଲାରେ ସନ୍ଧ୍ୟାରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି।

ଡ୍ରାଇଭରଙ୍କଠାରୁ ଲାଞ୍ଚ ନେବା ମହଙ୍ଗା ପଡ଼ିଲା : ଜେଲ୍ ଗଲେ ବିଜୟ
ଭୁବନେଶ୍ୱରରେ ଫ୍ଲାଟ୍, ସ୍ପା ସେଣ୍ଟର

ଭୁବନେଶ୍ୱର : ଡ୍ରାଇଭରଙ୍କ ଠାରୁ ଲାଞ୍ଚ ନେବା କୃଷି ବିପଣନ ନିର୍ଦେଶକଙ୍କ କାର୍ଯ୍ୟାଳୟର ଡିଡିଓ ତଥା ସହକାରୀ ନିର୍ଦେଶକ ଦାୟିତ୍ବରେ ଥିବା ବିଜୟ କୁମାର ଦାଶଙ୍କୁ ମହଙ୍ଗା ପଡ଼ିଛି। ଗତକାଲି ଡ୍ରାଇଭର ଧୀରେନ୍ଦ୍ର ମଲ୍ଲିକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଥିବା ବିଜୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିଲା। ଏହାପରେ ତାଙ୍କୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି।

ଭିଜିଲାନ୍ସ ସୂଚନା ଅନୁସାରେ, ବିଜୟଙ୍କର ନୟାପଲ୍ଲୀରେ ଥିବା ଭଡ଼ାଘର, ରୂପାଲି ଛକ ନିକଟରେ ଥିବା ଫ୍ଲାଟ୍ ଓ ସହିଦନଗରରେ ଥିବା ସ୍ପା ଉପରେ ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ କ’ଣ ମିଳିଛି ସେ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ଡ୍ରାଇଭର ଧୀରେନ୍ଦ୍ରଙ୍କର ଆରଏସିପି (ପଦୋନ୍ନତି ବିପକ୍ଷରେ ଦରମା) ବାବଦରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପାଇବାର ଥିଲା। ବିଜୟ ଏହି ବିଲ୍ ପାସ କରାଇବା ଲାଗି ଧୀରେନ୍ଦ୍ରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ଭିଜିଲାନ୍ସ ସେଲ୍ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe