ପିଏଲ୍‌ଏଫ୍‌ଆଇ-ପୁଲିସ ଗୁଳି ବିନିମୟ: ଏକେ-୪୭, ୯୪ ଅଫୁଟା ଗୁଳି ଜବତ

ପିଏଲ୍‌ଏଫ୍‌ଆଇ-ପୁଲିସ ଗୁଳି ବିନିମୟ: ଏକେ-୪୭, ୯୪ ଅଫୁଟା ଗୁଳି ଜବତ

ରାଉରକେଲା: କିଛି ଦିନର ନୀରବତା ପରେ ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ସକ୍ରିୟ ହୋଇଛି ପିପୁଲ୍‌ସ ଲି‌ବ୍ରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ବଡଧରଣ ହିଂସାକାଣ୍ଡ ଯୋଜନାକୁ ବାସ୍ତବ ରୂପ ଦେବାକୁ ଛୋଟ ବଡ କ୍ୟାମ୍ପ ଆରମ୍ଭ କରିଛନ୍ତି। ବିଶ୍ରା ଠାରୁ ପ୍ରାୟ ୧୧୦ କି.ମି. ଦୂର ଜୋମତାଇ ପାହାଡରେ ପିଏଲ୍‌ଏଫଆଇ ପକ୍ଷରୁ ଚାଲିଥିବା ସେମିତି ଯୋଜନାକୁ ପଣ୍ଡ କରିଛି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମୁତୟନ ଥିବା‌ କୋବ୍ରା ବାହିନୀ।

ସର୍ଚ୍ଚ ଅପରେସନ ବେଳେ ପୁଲିସ, କୋବ୍ରା ବାହିନୀ ଓ ପିଏଲ୍‌ଏଫଆଇ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ଅଧଘଣ୍ଟା ଧରି ଉଭୟ ପଟୁ ଗୁଳି ଚାଳନା କରାଯାଇଥିଲା। ଶେଷରେ ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ‌ନିକଟସ୍ଥ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରୁ ପୁଲିସ ଏକେ-୪୭ ବନ୍ଧୁକ, ୯୪ ଟି ଅଫୁଟା ଗୁଳି, ୧୧ଟି ମୋବାଇଲ, ଦୁଇଟି ମେଗଜିନ୍‌, ଦାଦା ବଟି ଆଦାୟ କରୁଥିବା ପୁସ୍ତିକା, ସିମ୍‌ କାର୍ଡ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସେମାନଙ୍କୁ ଧରିବାକୁ ଉଭୟ ପୁଲିସ କୋବ୍ରା ବାହିନୀ ପକ୍ଷରୁ ମିଳିତ ଭାବେ ସ୍ଥାନୀୟ ପାହାଡ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି।

ସେପଟେ ଗୁଦରୀ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମହାମାରୀ କରୋନାକୁ ପାଇଁ ସଙ୍ଗଠନର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଛି। ସଙ୍ଗଠନକୁ ସ୍ଥିତିକୁ ମଜବୁତ କରିବା ସହ ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତରେ ସ୍ଥିତି ବଜାୟ ରଖିବାକୁ ପିଏଲ୍‌ଏଫ୍‌ଆଇର ନେତାମାନେ ଛୋଟ ଛୋଟ କ୍ୟାମ୍ପ କରୁଥିବା ପୁଲିସକୁ ଗୁଇନ୍ଦା ସୂଚନା ମିଳିଛି। ସୂଚନା ଆଧାରରେ ପୁଲିସ ପକ୍ଷରୁ ସର୍ଚ୍ଚ ଅରେପସନ୍ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe